କଟକ : କଟକ ନିଆଳିର ସୁଦାମ ସାମଲ । ମାନବ ସେବା ହିଁ ମାଧଵ ସେବା ଉକ୍ତିକୁ ବୁଝିଛନ୍ତି ସୁଦାମ । ସେ ପେସାରେ ଜଣେ କ୍ଷୁଦ୍ର ଯୁବ ଉଦ୍ୟୋଗୀ ହେଲେ ମଧ୍ୟ ନିଶା ତାଙ୍କର ସମାଜ ସେବା। ପ୍ରତିଦିନ ସକାଳ ହେଲେ ସେ ବାହାରି ଯାଆନ୍ତି ଅଞ୍ଚଳର ଦୁଖୀ ରଙ୍କି ସେବା ପାଇଁ।
କଟକ ନିଆଳିର ସୁଦାମ ସାମଲ କୋରନା ମହାମାରୀ ଅସମୟରେ ଅସହାୟଙ୍କ ବନ୍ଧୁ ସାଜିଛନ୍ତି। ସମସ୍ତେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ବେଳେ ରାସ୍ତା କଡରେ ବୁଲୁଥିବା ଅସହାୟଙ୍କ ସ୍ଥିତି ନ କହିବା ଭଲ । ହେଲେ ଏମାନଙ୍କୁ ସାହା ହୋଇଛନ୍ତି ସୁଦାମ । ନିଆଳି ଅଞ୍ଚଳର ଦୁଃଖୀ ରଙ୍କି,ମାନସିକ ବିକାର ଗ୍ରସ୍ତ ଲୋକ,ଡାକ୍ତରଖାନାକୁ ଆସୁଥିବା ଅସହାୟ ରୋଗୀ ଓ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ ପାଇଁ ସୁଦାମ ଆରମ୍ଭ କରିଛନ୍ତି ଏକ ଛୋଟିଆ ପ୍ରୟାସ । ସେ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି, ସାମାଜିକ ସଂଗଠନ ଓ ତାଙ୍କ ବନ୍ଧୁ ମାନଙ୍କ ସହଯୋଗରେ ଆରମ୍ଭ କରିଛନ୍ତି କିଚେନ ଅର୍ଣ୍ଣପୂର୍ଣ୍ଣା ।
ଆଜିକୁ ପାଖାପାଖି 2 ମାସ ହେବ ସେ ନିଆଳି ଅଞ୍ଚଳର ବିଭିନ୍ନ ବସଷ୍ଟାଣ୍ଡ, ଡ଼ାକ୍ତରଖାନା, ବିଭିନ୍ନ ସରକାରୀ ଅଫିସକୁ ଆସୁଥିବା ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ଓ ରାସ୍ତା କଡରେ ବୁଲୁଥିବା ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରୁଛନ୍ତି । କେବଳ ଏତିକି ନୁହେଁ ବନ୍ୟା,ବାତ୍ୟା ବା କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ସୁଦାମ ସୁବୁବେଳେ ଅସହାୟ ଲୋକଙ୍କ ପାଖରେ ସାହାଯ୍ୟ ପାଇଁ ପହଞ୍ଚି ଯାଆନ୍ତି । ଏହି କାମରେ ତାଙ୍କୁ ଅନେକ ଆତ୍ମସନ୍ତୋଷ ମିଳେ ବୋଲି କହିଛନ୍ତି ସୁଦାମ । ତେବେ ସୁଦାମ ଅଂଚଳରେ ଯୁବପିଢ଼ୀଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।