26 ବର୍ଷୀୟ ଯୁବରାଜ ମେଧେଙ୍କ କାହାଣୀ ଏକଲବ୍ୟ ଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଯୁବରାଜ 4 ବର୍ଷ ଧରି ଇଣ୍ଡିଆନ ଆଇଡଲର ଷ୍ଟେଜ୍ ସହ ଜଡିତ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଜଣେ ଗାୟକ କିମ୍ବା ପ୍ରତିଯୋଗୀ ନୁହଁନ୍ତି ବରଂ ସେଟରେ ସ୍ଵିପର ଭାବରେ କାମ କରୁଥିଲେ। ପିଲାଦିନରୁ ସଙ୍ଗୀତ ପ୍ରତି ଥିବା ତାଙ୍କର ଅହେତୁକ ଭଲପାଇବା କାରଣରୁ ଏବେ ଯୁବରାଜ ସିଜିନ-12ର ଜଣେ ପ୍ରତିଯୋଗୀ ହୋଇପାରିଛନ୍ତି। ତାଙ୍କର ଗୀତ ବିଚାରକ ମଣ୍ଡଳୀ ନେହା କାକର, ହିମେଶ ରେଶମିୟା, ଏବଂ ବିଶାଲ ଦଦଲାନିଙ୍କ ଭାବବିହ୍ଵଳ କରି ଦେଇଛି।
ଏନେଇ ଯୁବରାଜ କହିଛନ୍ତି ଯେ, ସେ ଦୀର୍ଘ 4 ବର୍ଷ ଧରି ଇଣ୍ଡିଆନ ଆଇଡଲ ସେଟରେ ଜଣେ ସ୍ଵିପର ଭାବରେ କାମ କରନ୍ତି। ଯେତେବେଳେ ବିଚାରକ ମଣ୍ଡଳୀମାନେ କୌଣସି ପ୍ରତିଯୋଗୀଙ୍କୁ ସେମାନଙ୍କର ଭୁଲ ବିଷୟରେ କୁହନ୍ତି ତାହାକୁ ଯୁବରାଜ ଧ୍ୟାନ ସହକାରେ ଶୁଣନ୍ତି ଏବଂ ଅଭ୍ୟାସ କରନ୍ତି। ତାଙ୍କର ବନ୍ଧୁମାନେ ମଧ୍ୟ ଏହି ସେଟରେ କାମ କରନ୍ତି। ଏହି ସୋରେ ଭାଗ ନେବା ପାଇଁ ତାଙ୍କ ବନ୍ଧୁମାନେ ତାଙ୍କୁ ଆତ୍ମବିଶ୍ଵାସ ଦେଇଛନ୍ତି। ଏତେ ବଡ଼ ପ୍ଲାଟଫର୍ମରେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିବ ବୋଲି ସେ କେବେ ଚିନ୍ତା କରି ନଥିଲେ।