ଝାରସୁଗୁଡା : ଡାକ୍ତର ହେବେ ଲଙ୍କା ବିକାଳୀ ଝିଅ । ସଂକଳ୍ପ ଓ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଗାଁର ରିମାରାଣୀ ସାହୁ । ଦାରିଦ୍ରତା ତାଙ୍କ ଲକ୍ଷ୍ୟ ପଥରେ କଣ୍ଟା ସାଜିନି । ସବୁ ବାଧାବିଘ୍ନକୁ ପଛରେ ପକାଇ ରିମାରାଣୀ ପାଇଛନ୍ତି ନିଟରେ ସଫଳତା । ବାପା ଦିଲ୍ଲୀପ ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରି କରିଥାନ୍ତି । ଘରର ଆର୍ଥିକ ସ୍ଥିତି ଭଲ ନଥିବା ସତ୍ତ୍ୱେ ନିଜ ସ୍ୱପ୍ନକୁ ଉପେକ୍ଷା କରିନାହାନ୍ତି ଝିଅ ରିମାରାଣୀ । ନିଟ୍ ପରୀକ୍ଷାରେ ସଫଳତା ପାଇ ଡାକ୍ତରଟିଏ ହେବାର ସ୍ୱପ୍ନ ନେଇ ସେ ଆଗକୁ ବଢିଛନ୍ତି । ଏଥିପାଇଁ ସେ ଦିନରାତି ପରିଶ୍ରମ କରିଛନ୍ତି । ନିଟରେ ସର୍ବଭାରତୀୟ ରେକିଂରେ 7555 ରଖିଥିବା ସମୟରେ ପରୀକ୍ଷାରେ 720 ମାର୍କରୁ 633 ମାର୍କ ରଖିଛନ୍ତି । ତେବେ ଓଡିଶାରେ ମେଡ଼ିକାଲ ପଢିବାକୁ ଇଛା ପ୍ରକାଶ କରିବା ଭବିଷ୍ୟତରେ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରୀମା ।
2015 ମସିହାରେ ମାଟ୍ରିକ ପରୀକ୍ଷା ଦେଇ 86.83 ପ୍ରତିଶତ ମାର୍କ ରଖି ପାସ କରିବା ପରେ ଯୁକ୍ତ ଦୁଇରେ 75.5 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ସମ୍ବଲପୁରରେ ଯୁକ୍ତ ଦୁଇ ପଢିବା ସମୟରେ ନିଟ ପାଇଁ ପ୍ରସ୍ତୁତି କରୁଥିଲେ । ପରିବାରର ଆର୍ଥିକ ସ୍ଥିତି ପାଇଁ ଭଲ କୋଚିଂ ସେଣ୍ଟରରେ ରିମାରାଣୀ ବଞ୍ଚିତ ହୋଇଥିଲେ ସୁଦ୍ଧା ଡ଼ାକ୍ତରୀ ହେବା ନିଶା ଶେଷରେ ସଫଳତା ଆଣିଦେଇଛି ବୋଲି ବାପା ଦିଲ୍ଲୀପ ସାହୁ କହିଛନ୍ତି । ଅନ୍ୟପଟେ ରିମାରାଣୀଙ୍କ ସଫଳତା ପରେ ଉପାନ୍ତ ଅଞ୍ଚଳରେ ପୁଅ-ଝିଅଙ୍କ ମଧ୍ୟରେ ଉଚ୍ଚତର ଶିକ୍ଷା ଦେବାରେ ପାତର ଅନ୍ତର କରୁଥିବା ଅଭିଭାବକ ମାନଙ୍କ ପାଇଁ ଏକ ଶିକ୍ଷା ବୋଲି ସାମାଜିକ କର୍ମୀ କହିଛନ୍ତି । ନିଟରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବା ପରେ ରିମାରାଣୀଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।