ତାଲିକାରେ ନା ନାହିଁ, ଆମେ ରହିବୁ କାହିଁପାଇଁ ?
ଧଡାଧଡ ଦେଉଛନ୍ତି ଇସ୍ତଫା
ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡି ରାଜନୀତି ସେତିକି ସେତିକି ଗୋଳିଆ ହୋଇ ପଡୁଛି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଏହାରି ଭିତରେ ନଜର ପକାନ୍ତୁ ବିଜେଡି ଛାଡିଲେଣି କେଉଁ କେଉଁ ନେତା ?
ଟିକେଟ ନପାଇବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି । ଫଳରେ ଦଳ ଟିକେଟ୍ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ଗତକାଲି ମାଧବଙ୍କ ନାଁରେ ମୋହର ମାରିଥିଲା ଦଳ । ୨୦୧୪ ଏବଂ ୨୦୧୯ ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା । କୌଣସି ଦଳରୁ ଲଢ଼ିବି ନା ସ୍ବାଧୀନ, ଲୋକ ଓ ସମର୍ଥକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଧଡ଼ା ।
ଖାଲି ପର୍ଶୁରାମ କାହିଁକି ? ବରଂ ବିଜେଡିରୁ ଇସ୍ତଫା ଦେଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ୨୪ ନିର୍ବାଚନରେ କୌଣସି ଦଳକୁ ନଯାଇ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ କରୁଛନ୍ତି ପ୍ରସ୍ତୁତି । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଦେବେନ୍ଦ୍ର ଫୁଲବାଣୀ ଆସନରେ ବିଜେଡି ବିଧାୟକ ଥିଲେ ।
ଖାଲି ଏ ଦୁଇଜଣ ନୁହନ୍ତି ବରଂ ବିଜେଡି ସୁପ୍ରିମୋ ଜଗତସିଂହପୁର ବିଧାନସଭା ପାଇଁ ପ୍ରଶାନ୍ତ ମୁଦୁଲିଙ୍କ ନାଁରେ ମୋହର ମାରିବା ପରେ ଛାତ୍ର ଜୀବନରୁ ବିଜେଡିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଅମରେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ସେ ଦଳ ଛାଡ଼ିଛନ୍ତି ।
ମୋଟ୍ ଉପରେ, ବିଜେଡିରେ ଏବେ ଟିକେଟ୍କୁ ନେଇ କେଁ ରହିଛି । ତେଣୁ ଯାହାକୁ ମିଳୁନି ସେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ପୁଣି ଥରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି । ଆଉ ସମୟ କହିବ ପୁଣି କେଉଁମାନେ ଛାଡୁଛନ୍ତି ଦଳ ।
ଆହୁରି ପଢନ୍ତୁ ରାଜନୀତି ଖବର...