ସେପଟେ ନୟାଗଡ଼ ବିଧାନସଭା କ୍ଷେତ୍ରରେ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ନୟାଗଡ଼ ବିଜେପୁର ଗେଟଠାରୁ ବାହାରି ସହର ପରିକ୍ରମା କରିଥିଲା ବିଶାଳ ବାଇକ ରାଲି । ଏହାର ନେତୃତ୍ବ ନେଇଥିଲେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ । ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜା କରି ପ୍ରଚାର ମଇଦାନକୁ ବାହାରିଛନ୍ତି ବିଜେପି ପ୍ରାର୍ଥୀ । ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ସଦର ବିଧାୟକ ପ୍ରାର୍ଥୀ କୁସୁମ ଟେଟେ, ତଳସରା ବିଧାୟକ ପ୍ରାର୍ଥୀ ଭବାନୀ ଭୋଇ ମାଙ୍କର ଆଶିଷ ଭିକ୍ଷା କରିବା ସହ ଅଭିଯାନରେ ବାହାରିଛନ୍ତି । ମଙ୍ଗଳବାର ସବଡେଗା ବ୍ଲକର ରାଜପୁରରେ କର୍ମୀ ସମ୍ମିଳନୀ କରିବା ଶହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ ଜୁଏଲ ଓରାମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପଶ୍ଚିମ ଓଡିଶାର ପ୍ରାଚୀନ ତୀର୍ଥ କ୍ଷେତ୍ର ନୃସିଂହନାଥ ଯାଇ ମାର୍ଜାର କେଶରୀ ମହାପ୍ରଭୁ ନୃସିଂଙ୍କ ଠାକୁରଙ୍କୁ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବରଗଡ଼ର ବିଜେପି ପ୍ରାର୍ଥୀ । ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ପଦ୍ମପୁର ପାଇଁ ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ । ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ସ୍ମୃତିରେଖା ପହିଙ୍କୁ ମିଳିଛି ବିଜେଡି ଟିକେଟ । ସକାଳୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରି ଧର୍ମଶାଳାସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଂଚିଥିଲେ ସ୍ମୃତିରେଖା । ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ଶହ ଶହ ଦଳୀୟ କର୍ମୀ ।