ବିଜେଡି ଟିକଟ କାଟିବା ପରେ ଏବେ ଚିନ୍ତାରେ ସମୀର । ଏମିତିକି ପୂର୍ବରୁ ବିଶାଳ ସମାବେଶ କରି ନିଜ ପ୍ରତିଥିବା ଜନସମର୍ଥନ ଦେଖାଇଥିଲେ । ତେବେ ଟିକଟ କଟିବା ପରେ କର୍ମୀଙ୍କ ସାମ୍ନାରେ କାନ୍ଦିଥିଲେ ବିଜେଡିର ନିମାପଡ଼ା ବିଧାୟକ ସମୀର ଦାସ । ଖାଲି କାନ୍ଦିଲେ ତାହା ନୁହେଁ ବରଂ ୪୨ ବର୍ଷ ରାଜନୀତିରେ ସ୍ତ୍ରୀକୁ ଘଣ୍ଟାଏ ସମୟ ଦେଇନାହାନ୍ତି...କେବଳ ଲୋକଙ୍କ ଲାଗି କାମ କରିଛନ୍ତି ବୋଲି କହିଥିଲେ । ହେଲେ କେମିତି ତାଙ୍କ ବଦଳରେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କଲା ସେନେଇ ଆପତ୍ତି କରିବା ସହ ପୁଣି ଥରେ ପୁର୍ନବିଚାର କରିବାକୁ ଦାବି କରିଥିବା ପରେ ବି ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ପୁଣି ଥରେ ସମୀରଙ୍କ ଭିଡିଓ ହୋଇଛି ଭାଇରାଲ ।
ଏପଟେ, ଦିଲ୍ଲୀପ ଦଳୀୟ ସଭା ସହ ମିଶ୍ରଣ ପର୍ବ କରାଇ ନିଜର ଶକ୍ତି ବଢ଼ାଉଛନ୍ତି । ଜୋନ ୧୮ରେ ବିଜେଡିର ବଡ଼ ସଭା ଆୟୋଜନ ହୋଇଥିଲେ ବି ଏଥିରେ ସମୀର ଦାସଙ୍କ ଫଟୋ ଦେଖିବାକୁ ମିଳି ନଥିଲା । ଅନ୍ୟପଟେ ଏହି ସଭାରେ ସବୁ ରାଗ ଭୁଲି ନିମାପଡ଼ାର ବିକାଶ ପାଇଁ ଏକାଠି ହୋଇ କାମ କରିବାକୁ ସମୀରଙ୍କୁ ଆହ୍ୱାନ କରିଛନ୍ତି ଦିଲ୍ଲୀପ । ତେବେ ଦିଲ୍ଲୀପଙ୍କ ଏହି ଅନୁରୋଧ ସ୍ପଷ୍ଟ କରୁଛି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବୋଧହୁଏ ସମୀର ତାଙ୍କୁ ସହଯୋଗ କରୁ ନାହାନ୍ତି । ତେବେ ସମୟ କହିବ ଆଗାମୀ ଦିନରେ ସମୀର କି ନିଷ୍ପତ୍ତି ନେଉଛନ୍ତି ?