ପାଣ୍ଡିଆନ ହିଁ ବିଜୁ ଜନତା ଦଳ ଓ ନିର୍ବାଚନ ପରିଚାଳନାରେ ସର୍ବେସର୍ବା ଏକଥା କାହାରିକୁ ଅଛପା ନାହିଁ । ବିଜେଡି ପ୍ରଚାର ମଇଦାନରେ ଦୁଇ ନମ୍ବର ନେତା ସିଏ । ଓଡିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା, ମୁଖ୍ୟମନ୍ତ୍ରୀଙ୍କ ଇସାରା ଓ ପାଣ୍ଡିଆନଙ୍କ ବୟାନ ସ୍ପଷ୍ଟ କରୁଛି ସେ ନବୀନଙ୍କ ଉତ୍ତରାଧିକାରୀ । ହେଲେ ଏହାକୁ ନେଇ ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଗଣମାଧ୍ୟମକୁ ଖୋଦ ପାଣ୍ଡିଆନ ପ୍ରଥମ ପୁରୁଷ ଏକ ବଚନରେ କହିଛନ୍ତି, ସେ ହିଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ । ସମଝଦାରୋ କୋ ଇସାରା କାଫି ହୈ । କିନ୍ତୁ ଉତ୍ତରାଧିକାରୀ ଏଥର ନିର୍ବାଚନ ଲଢୁନାହାନ୍ତି । କାରଣ ପାଣ୍ଡିଆନ୍ ଓଡ଼ିଶାର ମୂଳବାସିନ୍ଦା ନୁହନ୍ତି । ତେଣୁ ନିର୍ବାଚନକୁ ଓହ୍ଲାଇବାକୁ ସେ କୁନ୍ଥୁକୁନ୍ଥୁ ହେଉଛନ୍ତି ବୋଲି କୁହାଯାଉଛି ।
ନିର୍ବାଚନ ଲଢିବାକୁ ରାଜି ନାହାନ୍ତି, ହେଲେ ପାୱାର ନେବାକୁ ଭାରି ଇଚ୍ଛା । ସେଇଥି ଲାଗି ତ ଶାସନ କ୍ଷମତାକୁ ହାଇଜାକ୍ କରି ରଖିଛନ୍ତି । ଏମିତିକି ଓଡ଼ିଆଙ୍କ ଅସ୍ମିତା ବାଜିରେ ଲାଗିଲାଣି ହେଲେ ପାଣ୍ଡିଆନ ଓ ବିଜେଡି ବେଫିକର । ବିଜେପି ବି ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି । କାଳେ ଓଡ଼ିଶାବାସୀ ପ୍ରତ୍ୟାଖାନ କରିବେ ସେଥିପାଇଁ ଭାବିଚିନ୍ତି ନିଜ ପାଇଁ ଯୋଜନା କରୁଛନ୍ତି କି ଭୈରବ ? ପାଣ୍ଡିଆନ ନିର୍ବାଚନ ଲଢ଼ିଲେ ଓଡିଆ ସ୍ବାଭିମାନ ସହ ହୋଇପାରେ ଲଢ଼େଇ । ଦୁଇ ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ଉପନିର୍ବାଚନ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏବେ ପ୍ରଶ୍ନ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଖଣ୍ଡି ଓଡ଼ିଆକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ମାତ୍ର ଅଣ ଓଡ଼ିଆ ଅଫିସରଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ଓଡିଶାବାସୀ ଗ୍ରହଣ କରିବେ କି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ହେଲେ ଉତ୍ତର ମିଳୁନି ।