ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେକ ପାଇଲଟଙ୍କ ସହ ପାଖାପାଖି ୩୦୦ କ୍ରୁ ମେମ୍ବର୍ସ ଏକକାଳୀନ ସିକ୍ ଲିଭ୍ ନେଇ ଛୁଟିରେ ଯାଇଛନ୍ତି । ତେବେ ଏତେ ସଂଖ୍ୟକ କ୍ରୁ ମେମ୍ବର୍ସ ହଠାତ ଏଭଳି ପଦକ୍ଷେପ କାହିଁକି ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶିବାକୁ ଯାଉଥିବାରୁ ଉଭୟ ଏୟାରଲାଇନ୍ସର ପାଇଲଟ ଓ କ୍ୟାବିନ୍ କ୍ରୁ ମାନେ ନିଜ ଚାକିରି ପ୍ରତି ବିପଦ ଅନୁଭବ କରି ପ୍ରତିବାଦ କରିଥିଲେ । ସେଥିପାଇଁ ସମସ୍ତେ ବିରୋଧ କରୁଛନ୍ତି । ମଙ୍ଗଳ ବାର ରାତିରୁ ଆନ୍ଦୋଳନ ଜୋରଦାର ହୋଇଥିବାରୁ ପାଇଲଟ୍ ଓ ଅନ୍ୟ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଅନ୍ୟପଟେ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ବିମାନ ବାତିଲ ଏବଂ ବିଳମ୍ବ ହେବା କାରଣରୁ ଅନେକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଯାତ୍ରୀଙ୍କ ଅସୁବିଧା ହେତୁ ଆମେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି । ଉଡାଣ ବାତିଲ ହୋଇଥିବା ଫ୍ଲାଇଟର ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ କିମ୍ବା ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ । ତେବେ ଆଜି ଯେଉଁମାନେ ଉଡାଣ ଭରିବାକୁ ଯାଉଛନ୍ତି ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କ ଯାତ୍ରା ପ୍ରଭାବିତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।