ରିମୋଟ ପାଇଁ ମାଆକୁ ହତ୍ୟା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

Key Points
ଟିଭି ରିମୋଟକୁ ନେଇ ଘରେ ସୃଷ୍ଟି ହୋଇଥିବା ଝଗଡା । ଆଉ ସାମାନ୍ୟ କଥାରେ ରାଗି ମାଆକୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ ସୁରଜିତ । ମାଆ ଅଟକାଇବାରୁ ତାଙ୍କୁ ଲାତ ମାରିବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ ।
ମାଆ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କ୍ରାଉନ କୋର୍ଟ । ବ୍ରିଟେନ୍ରେ ମାଆକୁ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଏପରି କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥିସହ ଏହା ମଧ୍ୟ କୁହାଯାଇଛି ଯେ ପାରୋଲ ପାଇବା ପୂର୍ବରୁ ତାଙ୍କୁ ଅତି କମରେ ୧୫ ବର୍ଷ ପାଇଁ ଜେଲରେ ରଖାଯିବା ଉଚିତ । ପୋଲିସ ପକ୍ଷରୁ କୁହାଯାଇଛି, ଏହି ହତ୍ୟା ଘଟଣା ଏକ ପରିବାରକୁ ଭାଙ୍ଗି ଦେଇଛି।
୨୦୨୩ ମସିହା ସେପ୍ଟେମ୍ବରରେ ବ୍ରିଟେନର ବର୍ମିଘମରେ ଘଟିଥିଲା ଏହି ଜଘନ୍ୟ ହତ୍ୟା ଘଟଣା । ଆଉ ତାହା ବି ଏକ ସାଧାରଣ ଟିଭି ରିମୋଟ ପାଇଁ । ମଦ୍ୟପାନ କରି ନିଶାରେ ଟଳମଳ ହୋଇ ଘରେ ପହଞ୍ଚିଥିଲେ ସୁରଜିତ ସିଂ । ଏହାପରେ ଟିଭି ରିମୋଟକୁ ନେଇ ଘରେ ସୃଷ୍ଟି ହୋଇଥିବା ଝଗଡା । ଆଉ ସାମାନ୍ୟ କଥାରେ ରାଗି ମାଆକୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ ସୁରଜିତ । ମାଆ ଅଟକାଇବାରୁ ତାଙ୍କୁ ଲାତ ମାରିବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଅତ୍ୟଧିକ ନିଶା ଯୋଗୁ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ସୁରଜିତ ।
ଆଉ ମାଆ ଗୁରୁତର ଭାବେ ଆହତ ହୋଇଯିବାର ଦେଖି ପଡୋଶୀଙ୍କୁ ଫୋନ କରିଥିଲେ ସୁରଜିତ । ପଡୋଶୀଙ୍କ ସହାୟତାରେ ତାଙ୍କ ମାଆଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଆଉ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ପରେ, ତାଙ୍କୁ ଗିରଫ କରାଯାଇ ଯେତେବେଳେ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ସେ କୋକେନ୍ ଏବଂ ମଦ୍ୟପାନ କରିଥିଲେ। ସୁରଜିତ କହିଥିଲେ, ସେ ତାଙ୍କ ମାଆଙ୍କୁ ଜାଣିଶୁଣି ମାରିନଥିଲେ । କେବଳ ଅତ୍ୟଧିକ ମଦ୍ୟପାନ ଯୋଗୁ ନିଜର ହିତାହିତ ଜ୍ଞାନ ଭୁଲି ଏପରି ଆକ୍ରମଣ କରି ଦେଇଥିଲେ । ତେବେ ତାଙ୍କୁ କେଉଁ ଅସ୍ତ୍ରଦ୍ଵାରା ମାରିଥିଲେ ତାହା ସ୍ପଷ୍ଟ କରାଯାଇ ପାରିନାହିଁ ।