|
logo
Live
Argus News App
GET APP

Argus News - ନିଆରା ଦଶହରା, ପୂଜା ପାଆନ୍ତି ନାଗା ସାଧୁ...

Devotion

Unique dussehra / ନିଆରା ଦଶହରା, ପୂଜା ପାଆନ୍ତି ନାଗା ସାଧୁ...

Smruti Parija
Browse all articles by Smruti Parija
·6 months ago·2 min read
ନିଆରା ଦଶହରା, ପୂଜା ପାଆନ୍ତି ନାଗା ସାଧୁ...

Key Points

ଏଠି ପାର୍ବଣରେ ହୁଏ ନାଗା ସାଧୁଙ୍କ ପୂଜାର୍ଚ୍ଚନା

ପ୍ରାଚୀନ କାଳରେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିଲେ ନାଗା ସାଧୁ

ପୁରୀରେ ଦେଖିବାକୁ ମିଳେ ଏହି ସ୍ୱତନ୍ତ୍ରତା

ଶାରଦୀୟ ପାର୍ବଣରେ ସବୁଠି ମା' ଦୁର୍ଗାଙ୍କ ଉପାସନା ଚାଲିଥିବାବେଳେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ନିଆରା ଦୃଶ୍ୟ । ନାଗା ଉପାସନା । ବଳିଷ୍ଠ ଚେହେରା, ବୀର ଦର୍ପ ଠାଣି ସମ୍ପନ୍ନ ନାଗା ମୂର୍ତ୍ତି ଅନ୍ୟ କେଉଁଠି ଦେଖିବାକୁ ମିଳେନା । ପ୍ରାଚୀନ କାଳରେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିଲେ ନାଗା ସାଧୁ । ସେଥିପାଇଁ କାଳକ୍ରମେ ସାହି ଗଳି କନ୍ଦିରେ ପୂଜା ହୋଇ ଆସୁଛନ୍ତି ବୃହତ୍ ନାଗା ସାଧୁ ମୂର୍ତ୍ତିମାନ ।


ମୋଟା ନିଶ ଦାଢ଼ି ପଗଡ଼ି, ମଥାରେ ସିନ୍ଦୂର କଲି । ବାଘ ଛାଲ ପରିଧାନ ପୂର୍ବକ ଦେହରେ ପିନ୍ଧିଥାନ୍ତି ରାମରଜ । ମସ୍ତକରେ ସିରସ୍ତ୍ରାଣ ସାଙ୍ଗକୁ ବାହୁରେ ଏରାପକ୍ଷୀ ପର । କେହି ବି ଦେଖିଲେ ଅଦ୍ଭୁତ ଅନୁଭବ କରିବା ସ୍ୱାଭାବିକ । କିମ୍ବଦନ୍ତୀ କହେ ପ୍ରାଚୀନ କାଳରେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଯେତେବେଳେ ବାହ୍ୟ ଶତ୍ରୁ ଆକ୍ରମଣ କରୁଥିଲେ, ସେତେବେଳେ ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିଲେ ନାଗା ସାଧୁ । ବିଭିନ୍ନ ସମରାଭ୍ୟାସ କରିବା ସହ ଖୀର, ସର ଆଦି ଖାଇ ନିଜ ଶରୀରକୁ ଯୋଦ୍ଧା ଭଳି ଗଢି ତୋଳୁଥିଲେ । ଏବଂ ନିଜର ପରାକାଷ୍ଠା ବଳରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଚତୁର୍ଦିଗରୁ ସୁରକ୍ଷା ଦେଉଥିଲେ । ଯଦିଓ ଏମାନେ ପୁରୁଷ ଥିଲେ କିନ୍ତୁ ଯେହେତୁ ଏମାନେ ମାଆଙ୍କ ବଳରେ ବଳିୟାନ ଥିଲେ ତେଣୁ ବନ ଦୁର୍ଗା ମନ୍ତ୍ରରେ ଏହି ନାଗା ଉପାସନା କରାଯାଏ ।


ମହା ସପ୍ତମୀ, ମହାଅଷ୍ଟମୀ, ମହା ନବମୀ ଓ ବିଜୟା ଦଶମୀ ଏହି ଚାରିଦିନ ଧରି ନାଗାମୂର୍ତ୍ତିଙ୍କୁ ଶ୍ରୀକ୍ଷେତ୍ରରେ ପୂଜା କରାଯାଉଥିବା ବେଳେ ଏକାଦଶୀ ତିଥିରେ ବିସର୍ଜନ କରିବାର ପରମ୍ପରା ରହିଛି । ନାଗା ଉପାସନା ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ବହନ କରେ । ବୀରପୁରୁଷ ଠାଣିରେ ଏହି ନାଗାପୂଜା ପରମ୍ପରା ଶ୍ରୀକ୍ଷେତ୍ରର ଯାଗା ଆଖଡ଼ା ସହ ଜଡିତ ବୋଲି ଗବେଷକ ମତ ଦିଅନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିରରେ ମହାପ୍ରଭୁ ମଧ୍ୟ ନାଗାର୍ଜୁନ ବେଶରେ ଦର୍ଶନ ଦେବାର ବଳିଷ୍ଠ ପରମ୍ପରା ରହିଛି । ସାହି ଯାତ ସମୟରେ ବି ସାହି ଭେଣ୍ଡିଆମାନଙ୍କୁ ନାଗା ରୂପରେ ଦେଖିବାକୁ ମିଳିଥାଏ । ଶ୍ରୀକ୍ଷେତ୍ରର ବାଲିସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ବାସେଳୀ ସାହି ସମେତ ପଶ୍ଚିମ ଦ୍ୱାର, ମାଜଣା ଜାଗା, ନରେନ୍ଦ୍ର କୋଣ ଓ ସିଦ୍ଧମହାବୀର ଆଦି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବିଶାଳକାୟ ନାଗାମୁର୍ତ୍ତି ପୂଜା କରାଯାଉଛି ।


ଏହାର ନିର୍ମାଣ ଶୈଳୀ ସ୍ୱତନ୍ତ୍ର ଅଟେ । ବିରାଟକାୟ ନାଗା ମୂର୍ତ୍ତିର ମୁଣ୍ଡରେ ହାଣ୍ଡିଆ ଥିବାବେଳେ ବାମ ପାଦ ନିକଟରେ ବ୍ୟାଘ୍ର ରହିଛି । ନାଗାମୂର୍ତ୍ତିର ପଛପଟେ ତାଟି ରହିଥିବାବେଳେ ହାତରେ ଓଳମାଳ, ରୁଦ୍ରାକ୍ଷ ମାଳି, କାଠମାଳି, ବାଙ୍କ ଛୁରୀ ଓ ଢାଲ ରହିଥାଏ । ସେହିପରି ନାଗାଙ୍କ ମୋଟା ନିଶଦାଢ଼ି, କପାଳରେ ସିନ୍ଦୁର କଲି ଶୋଭାପାଉଥାଏ । ଶ୍ରୀକ୍ଷେତ୍ର ବ୍ୟତୀତ ନାଗା ମୂର୍ତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଷଷ୍ଠୀ ଓଷା ଠାରୁ ଏହି ବିଶାଳ ମୂର୍ତ୍ତିର ନିର୍ମାଣ ଆରମ୍ଭ ହୁଏ ଆଉ ପୂଜା ସମୟରେ ସପ୍ତମୀ ତିଥିରୁ ପୂଜା ହୁଏ । ଗବେଷକଙ୍କ ମତରେ ରାମାନୁଜଙ୍କ ସମୟରୁ ହିଁ ଶ୍ରୀକ୍ଷେତ୍ରରେ ନାଗା ଉପସନା ପ୍ରଚଳିତ ।


ବିଜୟ ଦଶମୀ ଅର୍ଥାତ୍ ଦଶହରା ପରଦିନ ଏକାଦଶୀ ଦିନରେ ସିଂହଦ୍ୱାର ଠାରେ ବିଭିନ୍ନ ଗୋଶାଣୀ ମୂର୍ତ୍ତି ଓ ସମ୍ପାତ୍ତି, ବୁଢ଼ାବୁଢ଼ୀ, ଜଟାୟୁ ଆଦି ସମସ୍ତ ପୂଜିତ ମୂର୍ତ୍ତିକୁ ନେଇ ହୁଏ ଦେବସଭା । ନାଗାମାନେ ମଧ୍ୟ ସେଠାରେ ଯାଇ ଏକତ୍ରିତ ହୁଅନ୍ତି । ମହାପ୍ରଭୁଙ୍କ ଏକାଦଶୀର ମହାଦ୍ବୀପ ଉଠିଵା ସହ ଅନ୍ୟ ମୂର୍ତ୍ତି ମାନଙ୍କ ସହ ଶୋଭାଯାତ୍ରାରେ ଯାଇ ମେଲାଣି ନିଅନ୍ତି ନାଗା ମୂର୍ତ୍ତି ।

Related Topics

Explore more stories

Sponsored
Unique dussehra: ନିଆରା ଦଶହରା, ପୂଜା ପାଆନ୍ତି ନାଗା ସାଧୁ... | Argus News