America vs Venezuela / ଭେନେଜୁଏଲା ଉପରେ ରହସ୍ୟମୟ ଅସ୍ତ୍ରରେ ଆକ୍ରମଣ କରିଥିଲା କି ଆମେରିକା ?

Key Points
ଆକ୍ରମଣରେ 100 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା
ଅତ୍ୟାଧୁନିକ ଓ ରହସ୍ୟମୟ ଅସ୍ତ୍ର ବ୍ୟବହାର କରିଥିବା ଚର୍ଚ୍ଚା
ରକ୍ତାକ୍ତ ହୋଇଥିଲେ ଭେନେଜୁଏଲାର ସୁରକ୍ଷାକର୍ମୀ
ଭେନେଜୁଏଲା ଉପରେ ରହସ୍ୟଜନକ ଅସ୍ତ୍ରରେ ଆକ୍ରମଣ କରିଥିଲା କି ଆମେରିକା । ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋଙ୍କୁ ଧରିବାକୁ ଆମେରିକା କରିଥିବା ଅପରେସନ ବେଳେ ଏମିତି କ'ଣ ଅସ୍ତ୍ର ବ୍ୟବହାର କରିଥିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଭେନେଜୁଏଲା ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଜାନୁଆରୀ 3ରେ ହୋଇଥିବା ଏହି ଆକ୍ରମଣରେ ୧୦୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଏହି ଆକ୍ରମଣରେ ଆମେରିକା ଅତ୍ୟାଧୁନିକ ଓ ରହସ୍ୟମୟ ଅସ୍ତ୍ର ବ୍ୟବହାର କରିଥିବା ଚର୍ଚ୍ଚା ହେଉଛି । ଏହି ଅସ୍ତ୍ର ଦ୍ବାରା ରକ୍ତାକ୍ତ ହୋଇଥିଲେ ଭେନେଜୁଏଲାର ସୁରକ୍ଷାକର୍ମୀ । ସବୁଠୁ ବଡ଼ କଥା ହେଉଛି ଆମେରିକା ବ୍ୟବହାର କରିଥିବା ଅସ୍ତ୍ର ଦ୍ବାରା ଅତି ତୀବ୍ରତାର ଶବ୍ଦ ହୋଇଥିଲା । ଫଳରେ ଭେନେଜୁଏଲାର ସୁରକ୍ଷାକର୍ମୀଙ୍କ ନାକ ଓ ପାଟିରୁ ରକ୍ତ ବାହାରିଥିଲା । ଏମିତି କି କିଛି ସୁରକ୍ଷାକର୍ମୀ ରକ୍ତ ବାନ୍ତି କରିବା ସହ ଘଟଣା ସ୍ଥଳରେ ଟଳିପଡ଼ିଥିଲେ ।
ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆମେରିକାର ସେନା ରାଷ୍ଟ୍ରପତି ମାଦୁରୋଙ୍କୁ ଉଠାଇନେଇଥିଲେ । ଏହି ଆକ୍ରମଣ ଦ୍ବାରା ଭେନେଜୁଏଲାର ରାଡାର ସିଷ୍ଟମ ଅକାମୀ ହୋଇଯାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ, ଷଡ଼ଯନ୍ତ୍ର, ନିଶାଦ୍ରବ୍ୟ କାରବାର, ମନିଲଣ୍ଡରିଂ ଭଳି ଅଭିଯୋଗରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୋଧରେ ଆକ୍ସନ ନେଇଥିଲା ଆମେରିକା । ତେବେ ଭେନେଜୁଏଲାର ରହସ୍ୟମୟ ଅସ୍ତ୍ର ଅଭିଯୋଗ ନେଇ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।
ମାଦୁରୋ ଅପରେସନରେ ଶହେ ମୃତ । ଆମେରିକା ଆକ୍ରମଣରେ ଅତି କମରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଭେନେଜୁଏଲା ଗୃହମନ୍ତ୍ରୀ ଦିଓସଡାଡୋ କାବେଲୋ କହିଥିଲେ । ଗତ ଶନିବାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବାକୁ ଆମେରିକା ଅପରେସନ ଆରମ୍ଭ କରିଥିଲା । ପୂର୍ବରୁ ଭେନେଜୁଏଲା ସରକାରୀ ସୁତ୍ରରୁ ମୃତକଙ୍କ ତାଲିକା ଜାରି ହୋଇଛି ।
ଅପରେସନ ସମୟରେ ମାଦୁରୋଙ୍କ ସହିତ ଅଟକ ଥିବା ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି କାବେଲୋ କହିଥିଲେ । ମାଦୁରୋଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଥିଲା । ଭେନେଜୁଏଲାର ଗୃହମନ୍ତ୍ରୀ ସରକାରୀ ଟେଲିଭିଜନରେ ତାଙ୍କ ସାପ୍ତାହିକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ମୃତ ସାମରିକ ସଦସ୍ୟଙ୍କ ପାଇଁ ଏକ ସପ୍ତାହ ଶୋକ ଘୋଷଣା କରିଛନ୍ତି ଭେନେଜୁଏଲା ସରକାର ।
ଅନ୍ୟପଟେ ମାଦୁରୋଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ଆମେରିକା । କୋର୍ଟଙ୍କ ଆଗରେ ହାତ ଯୋଡ଼ି କହିଲେ 'ମୁଁ ନିର୍ଦ୍ଦୋଷ । ମୋ ସହ ହୋଇଛି ଅନ୍ୟାୟ'। ଭେନେଜୁଏଲାର ଅପଦସ୍ଥ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଥିଲେ ମାଦୁରୋ । ସେ ଜଜଙ୍କ ସାମ୍ନାରେ କହିଛନ୍ତି ଯେ, ସେ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି । ମାଦୁରୋ ଓ ତାଙ୍କ ପତ୍ନୀ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ ପୂର୍ବାହ୍ନ ୧୧ଟାରେ ହେବ ।
📱 Get Argus News App
✨Related Topics
Explore more stories