Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଏଲନ ମସ୍କ ଗଢିଲେ ନୂଆ ଦଳ

Rashmita Mishra
Browse all articles by Rashmita Mishra
·1 year ago·3 min read
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଏଲନ ମସ୍କ ଗଢିଲେ ନୂଆ ଦଳ

Key Points

ଏଲନ ମସ୍କ ଗଢିଲେ `ଆମେରିକା ପାର୍ଟି’
ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ
'ଆମେରିକା ପାର୍ଟି' ନାଁରେ ରାଜନୈତିକ ଦଳ ଗଠନ କଲେ
ଆପଣଙ୍କୁ ଆପଣଙ୍କର ସ୍ବାଧୀନତା ଫେରାଇ ଆଣିବି କହିଲେ ମସ୍କ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାମ୍ପ୍ରତିକ ବିବାଦ ପରେ ଆସିଛି, ଯେଉଁଥିରେ ମସ୍କ ଟ୍ରମ୍ପଙ୍କ ‘ଓାନ ବିଗ ବ୍ୟୁଟିଫୁଲ ବିଲ’କୁ ତୀବ୍ର ବିରୋଧ କରିଥିଲେ।

ମସ୍କଙ୍କ ଏହି ନୂଆ ରାଜନୈତିକ ଉଦ୍ୟମ ଆମେରିକାର ଦୁଇ ପ୍ରମୁଖ ରାଜନୈତିକ ଦଳ ଡେମୋକ୍ରାଟ ଓ ରିପବ୍ଲିକାନଙ୍କୁ ଚ୍ୟାଲେଞ୍ଜ କରିବା ଲକ୍ଷ୍ୟରେ ଗଠିତ ହୋଇଛି। ସେ ଏହାକୁ ‘ୟୁନିପାର୍ଟୀ’ ବ୍ୟବସ୍ଥାର ବିକଳ୍ପ ଭାବେ ଦେଖୁଛନ୍ତି, ଯାହା ତାଙ୍କ ମତରେ ଆମେରିକାରେ ଏକ ଏକଦଳୀୟ ଶାସନ ସୃଷ୍ଟି କରୁଛି। ମସ୍କ ଦାବି କରିଛନ୍ତି ଯେ, ଟ୍ରମ୍ପଙ୍କ ଏହି ବିଲ ଜାତୀୟ ଋଣକୁ ୩.୩ ଟ୍ରିଲିୟନ ଡଲାର ବୃଦ୍ଧି କରିବ ଏବଂ ଋଣ ସୀମା ୫ ଟ୍ରିଲିୟନ ଡଲାର ବୃଦ୍ଧି ହୋଇଯିବ। ଯାହା ଦେଶକୁ ଆର୍ଥିକ ସଙ୍କଟ ଆଡ଼କୁ ନେଇଯିବ।

ଏଲନ ମସ୍କ ପୂର୍ବରୁ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାର ପାଇଁ ୨୭୭ ମିଲିୟନ ଡଲାରରୁ ଅଧିକ ଦାନ କରିଥିଲେ ଏବଂ ଟ୍ରମ୍ପଙ୍କ ଦିତୀୟ କାର୍ଯ୍ୟକାଳ ଆରମ୍ଭରେ ସେ ‘ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି’ (DOGE)ର ନେତୃତ୍ୱ ନେଇଥିଲେ। କିନ୍ତୁ ମେ ମାସରେ ସେ ଏହି ପଦ ଛାଡ଼ିଥିଲେ, ଯେତେବେଳେ ସେ ଟ୍ରମ୍ପଙ୍କ ବଜେଟ ଯୋଜନାକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଥିଲେ। ମସ୍କ ଏହି ବିଲକୁ ‘ଅସାଧାରଣ ଅପଚୟ’ ବୋଲି ଅଭିହିତ କରିଛନ୍ତି ଏବଂ ଏହାର ବିରୋଧରେ ଥିବା ଲମପିମାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।

ଟ୍ରମ୍ପଙ୍କ ଏହି ବିଲରେ କର ହ୍ରାସ, ଇମିଗ୍ରେସନ ପ୍ରୟୋଗ ଓ ସାମରିକ ଖର୍ଚ୍ଚ ବୃଦ୍ଧି ଏବଂ ମେଡିକେଡ ଭଳି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ବଡ଼ କାଟ ଅନ୍ତର୍ଭୁକ୍ତ। ଏହା ବିଶେଷ କରି ଇଲେକ୍ଟ୍ରିକ ଗାଡ଼ି ଓ ନବୀକରଣଯୋଗ୍ୟ ଶକ୍ତି ପାଇଁ ଟିକସ ରିହାତିକୁ ହ୍ରାସ କରୁଛି, ଯାହା ମସ୍କଙ୍କ ଟେସଲା କମ୍ପାନୀ ପାଇଁ ସିଧା ପ୍ରଭାବ ପକାଇପାରେ। ମସ୍କ ଏହାକୁ ‘ଦେଶକୁ ଦିବାଳିଆ କରିବା’ର ଏକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି।

ଏହି ବିବାଦ ମଧ୍ୟରେ ଟ୍ରମ୍ପ ମସ୍କଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ମସ୍କଙ୍କୁ ଦେଶାନ୍ତର କରିବାର ଧମକ ଦେଇଛନ୍ତି ଏବଂ ତାଙ୍କ କମ୍ପାନୀଗୁଡ଼ିକୁ ମିଳୁଥିବା ବିଲିୟନ ଡଲାରର ସବସିଡି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ସବସିଡି ବିନା ଏଲନଙ୍କୁ ସମ୍ଭବତଃ ଦକ୍ଷିଣ ଆଫ୍ରିକାକୁ ଫେରିଯିବାକୁ ପଡ଼ିବ।

ଅନ୍ୟପକ୍ଷରେ, ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ କରିଥିଲେ, ଯେଉଁଥିରେ ସେ ପଚାରିଥିଲେ, ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ସମୟ ଆସିଛି । ଯାହା ୨:୧ ଅନୁପାତରେ ଜନତାଙ୍କ ସମର୍ଥନ ପାଇଥିଲା। ଶନିବାର ସେ ଘୋଷଣା କରିଥିଲେ, ଆଜି ଆମେରିକା ପାର୍ଟୀ ଗଠନ ହେଲା ଯାହା ଆପଣଙ୍କୁ ଆପଣଙ୍କର ସାଧୀନତା ଫେରାଇ ଦେବ।

ମସ୍କ ଏହି ନୂଆ ଦଳ ମାଧ୍ୟମରେ କିଛି ର୍ନିଦ୍ଦିଷ୍ଟ କଂଗ୍ରେସ ଆସନ ଓ ସିନେଟ ଆସନ ଉପରେ ଧ୍ୟାନ ଦେବେ ବୋଲି ଇଙ୍ଗିତ ଦେଇଛନ୍ତି, ଯାହା ତାଙ୍କ ରାଜନୈତିକ ପ୍ରଭାବ ବୃଦ୍ଧି କରିବା ପାଇଁ ଏକ କୌଶଳଗତ ପଦକ୍ଷେପ ହେବ। ତେବେ, ସେ ଏହାର ସମ୍ପୂର୍ଣ୍ଣ ଯୋଜନା ବା ନେତୃତ୍ୱ ସମ୍ପର୍କରେ ସ୍ପଷ୍ଟ କିଛି କହିନାହାନ୍ତି। ରାଜନୈତିକ ବିଶେଷଜ୍ଞମାନେ ମସ୍କଙ୍କ ଏହି ପଦକ୍ଷେପକୁ ଆମେରିକାର ଦୁଇ ଦଳୀୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାର ଏକ ସାହସୀ ପ୍ରୟାସ ବୋଲି ଦେଖୁଛନ୍ତି। ମସ୍କଙ୍କ ଏହି ନୂଆ ରାଜନୈତିକ ଦଳ ଆମେରିକାର ରାଜନୀତିରେ କେତେ ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ଦେଖାଯିବ। ତେବେ, ଏହା ନିଶ୍ଚିତ ଭାବେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କର ସୂଚନା କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elon-musk-former-ally-of-us-president-donald-trump-forms-new-party | Argus News