ଫେସବୁକ୍, ହ୍ଵାଟ୍ସଆପ୍ ସହ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କଲା ନେପାଳ; ଜାଣନ୍ତୁ କାହିଁକି ?

Key Points
ସମସ୍ତ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନେପାଳ ସରକାର । ଆଜ୍ଞା ହଁ, ଲୋକପ୍ରିୟ ୨୬ଟି ସୋସିଆଲ୍ ମିଡିଆ ଏବଂ ଯୋଗାଯୋଗ ପାଇଁ ବହୁଳ ବ୍ୟବହାର ହେଉଥିବା ଆପ୍କୁ ନିଷିଦ୍ଧ କରିଛି ନେପାଳ ।
ନୂଆଦିଲ୍ଲୀ: ଆଉ ଚାଲିବନି ୟୁଟ୍ୟୁବ୍, ହ୍ଵାଟ୍ସଆପ୍ରେ କରି ହେବନି ଚାଟ୍ । ଫେସବୁକ୍ରେ ବି କରି ପାରିବେନି ଫଟୋ ପୋଷ୍ଟ । ସମସ୍ତ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନେପାଳ ସରକାର । ଆଜ୍ଞା ହଁ, ଲୋକପ୍ରିୟ ୨୬ଟି ସୋସିଆଲ୍ ମିଡିଆ ଏବଂ ଯୋଗାଯୋଗ ପାଇଁ ବହୁଳ ବ୍ୟବହାର ହେଉଥିବା ଆପ୍କୁ ନିଷିଦ୍ଧ କରିଛି ନେପାଳ ।
ଏନେଇ ନେପାଳ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହ୍ଵାଟ୍ସଆପ୍, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡଇନ୍, ସ୍ନାପଚାଟ ଆଦିର ଆସେସ୍ ନେପାଳରେ ବ୍ଲକ୍ କରି ଦିଆଯାଇଛି । ଏଭଳି ୨୬ଟି କମ୍ପାନୀ ସରକାର ଦେଇଥିବା ୭ ଦିନ ସମୟ ସୀମା ଭିତରେ ପଞ୍ଜୀକରଣ କରି ନପାରିବାରୁ ଏ ସବୁର ବ୍ୟବହାରକୁ ନେପାଳରେ ନିଷିଦ୍ଧ କରାଯାଇଛି ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପରେ ନେପାଳର ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ, ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ 'ଘରୋଇ ଏବଂ ବିଦେଶରୁ ପରିଚାଳିତ ଅନଲାଇନ୍ ପ୍ଲାଟଫର୍ମ ଗୁଡ଼ିକୁ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରାଯିବ । ଏହାଦ୍ଵାରା ସେଥିରେ ସେୟାର କଣ୍ଟେଣ୍ଟ ଗୁଡ଼ିକର ମନିଟର୍ କରାଯାଇ ପାରିବ ।'
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନେପାଳ ସରକାରଙ୍କ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରି ୭ ଦିନ ସମୟ ଦେଇଥିଲା । ଆଉ ସରକାରଙ୍କ ନିକଟରେ ପଞ୍ଜୀକରଣ କରି ନଥିବା ୨୬ଟି ବହୁଳ ବ୍ୟବହୃତ ଆପ୍ଲିକେସନ୍କୁ ଏବେ ନେପାଳରେ ନିଷିଦ୍ଧ କରାଯାଇଛି ।
ନିଷିଦ୍ଧ ପଛର ବିବାଦ
୨୦୨୦ରୁ ସୋସିଆଲ୍ ମିଡିଆ କଣ୍ଟେଣ୍ଟ ନେଇ ସୁପ୍ରିମକୋର୍ଟରେ ଏନେକ ମାମଲା ହୋଇଛି । ଆବେଦନକାରୀ, ଅଣପଞ୍ଜୀକୃତ ପ୍ଲାଟଫର୍ମରେ ପ୍ରସାରିତ କଣ୍ଟେଣ୍ଟ ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଦାବି କରୁଛନ୍ତି । ଆଉ ସରକାରଙ୍କ ନିୟମ ଅନୁସାରେ, ନେପାଳରେ ସେବା ଯୋଗାଇବା ଲାଗି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପାଖରେ ପଞ୍ଜୀକରଣ ସହ କମ୍ପାନୀ ସ୍ଥାନୀୟ ୨ ଜଣଙ୍କୁ ନିଯୁକ୍ତ କରିବ । ଏଥିସହ ଅଭିଯୋଗର ସମାଧାନ ଲାଗି ବ୍ୟବସ୍ଥା କରିବ ।
📱 Get Argus News App
✨
କ'ଣ ଚାଲିବ, କ'ଣ ବନ୍ଦ ?
ନିଷିଦ୍ଧ- ଫେସବୁକ୍, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ୍, ଏକ୍ସ, ରେଡ୍ଡିଟ୍, ଲିଙ୍କଡଇନ୍, ହ୍ଵାଟ୍ସଆପ୍, ଡିସକର୍ଡ, ପିନଟେରେଷ୍ଟ, ସିଗନାଲ୍, ଥ୍ରେଡସ୍, ୱିଚାଟ୍, କ୍ଯୁରା, ଟମ୍ବଲର, କ୍ଲବହାଉସ୍, ରମ୍ବଲ, ଲାଇନ୍, ଇମୋ, ସୋଲ, ହାମରୋ ପାତ୍ରୋ, ଏମ୍ଆଇ ଭିଡିଓ, ଏମ୍ଆଇ ଭାଇକ୩ ।
ପ୍ରଚଳିତ- ଟିକଟକ୍, ଭାଇବର, ୱେଟଲକ, ନିମ୍ବୁଜ୍ଜ, ଟେଲିଗ୍ରାମ ଏଭଂ ଗ୍ରୋବାଲ ଡାଏରୀ ।
ନେପାଳର ଯୋଗାଯୋଗ ମନ୍ତ୍ରୀ ପୃଥ୍ଵୀ ସୁବ୍ବା ଗୁରୁଙ୍ଗ କହିଛନ୍ତି, ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା ପଞ୍ଜୀକରଣ ଲାଗି । ତଥାପି ସମସ୍ତ ଅନୁରୋଧକୁ ଅଣଦେଖା କରାଯାଇଥିଲା । ଯେଉଁ କମ୍ପାନୀ ପ୍ରକ୍ରିୟାକୁ ଆସି ପଞ୍ଜୀକରଣ କରିବେ, ସେମାନଙ୍କ ସେବାକୁ ପୁନଃପ୍ରଚଳିତ କରାଯିବ ।
ତେବେ ସରକାର ନିଷ୍ପତ୍ତିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ ମଧ୍ୟ କରୁଛନ୍ତି । ସେମାନଙ୍କ କହିବା କଥା, ଏଭଳି କରି ସରକାର ବାକ୍ ସ୍ଵାଧୀନତା ଓ ଗଣମାଧ୍ୟମ ସ୍ଵାଧୀନତାକୁ ସଙ୍କୁଚିତ କରାଯାଉଛି । ଅନ୍ୟପଟେ ନେପାଳ ସଂସଦରେ ସୋସିଆଲ୍ ମିଡିଆ ବିଲ୍ ବିଚାରାଧିନ ରହିଛି । ଯେଉଁଥିରେ ଜାତୀୟ ସ୍ଵାର୍ଥ ବିରୋଧୀ କଣ୍ଟେଣ୍ଟ ପାଇଁ ଜେଲ୍ ଓ ଜରିମାନାର ପ୍ରାବଧାନ ରହିଛି ।