|
logo
Live
Argus News App
GET APP

Argus News - ପାକିସ୍ତାନରେ ଭୟଙ୍କର ସ୍ଥିତି ! ସରକାରଙ୍କୁ ଘାରିଲାଣି ଚିନ୍ତା, ରାଜଧାନୀରେ କର୍ଫ୍ୟୁ

International

Imran Khan / ପାକିସ୍ତାନରେ ଭୟଙ୍କର ସ୍ଥିତି ! ସରକାରଙ୍କୁ ଘାରିଲାଣି ଚିନ୍ତା, ରାଜଧାନୀରେ କର୍ଫ୍ୟୁ

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·3 min read
ପାକିସ୍ତାନରେ ଭୟଙ୍କର ସ୍ଥିତି ! ସରକାରଙ୍କୁ ଘାରିଲାଣି ଚିନ୍ତା, ରାଜଧାନୀରେ କର୍ଫ୍ୟୁ
Imran Khan

Key Points

ପିଟିଆଇର ଏଭଳି ଚେତାବନୀ ପରେ ସାରା ଦେଶରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ।
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଦୁଇଟି ବଡ଼ ସହରରେ କର୍ଫ୍ୟୁ ଲଗାଇଛନ୍ତି ସରକାର ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ କେଉଁଠି ଓ କିପରି ଅଛନ୍ତି...? ଏହି ପ୍ରଶ୍ନକୁ ନେଇ ପୁରା ପାକିସ୍ତାନ ଏବେ ଜଳୁଛି ! ଇମ୍ରାନଙ୍କ ସ୍ଥିତି ନେଇ ତାଙ୍କ ପରିବାର ଏବେ ସନ୍ଦିହାନ । ଇମ୍ରାନ ସତରେ ବଞ୍ଚିଛନ୍ତି ନା ନାହିଁ, ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଇମ୍ରାନଙ୍କ ଦଳ ପିଟିଆଇର କର୍ମୀମାନେ ମଧ୍ୟ ନିଜ ମୁଖିଆଙ୍କୁ ଦେଖିପାରୁ ନଥିବାରୁ, ଚିନ୍ତିତ ରହିଛନ୍ତି । ଇମ୍ରାନଙ୍କୁ ଭେଟିବାକୁ ସରକାର ଅନୁମତି ଦେଉନଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ଘନିଭୂତ ହେଉଛି ।

ଅନ୍ୟପଟେ ଯେବେଠାରୁ ଇମ୍ରାନ ଖାନ୍‌ଙ୍କ ହତ୍ୟା ନେଇ ଆଫଗାନିସ୍ତାନ ଦାବି କରିଛି, ସେବେଠାରୁ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଉତ୍ତେଜନା ଏବେ ଧିରେ ଧିରେ ଉଗ୍ରରୂପ ନେବାକୁ ଲାଗିଲାଣି । ଇମ୍ରାନଙ୍କ ଦଳ ପିଟିଆଇ ସଂସଦୀୟ କମିଟି କହିଛି, ବାରମ୍ବାର ଚେଷ୍ଟା ଫଳରେ ଆମେ ଆମ ଦଳର ମୁଖିଆଙ୍କୁ ଭେଟି ପାରୁନାହୁଁ । ପାକିସ୍ତାନ ସରକାର ଆମକୁ ଭେଟିବାକୁ ଦେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଦଳ ପକ୍ଷରୁ ରାଓଲପିଣ୍ଡି ସ୍ଥିତ ସେଣ୍ଟ୍ରାଲ ଜେଲ୍‌ ସମ୍ମୁଖରେ ଧାରଣା ଦିଆଯିବ । ଏହାସହ ଇସଲାମାବାଦ ହାଇକୋର୍ଟ ନିକଟରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯିବ ।

ପିଟିଆଇର ଏଭଳି ଚେତାବନୀ ପରେ ସାରା ଦେଶରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଦୁଇଟି ବଡ଼ ସହରରେ କର୍ଫ୍ୟୁ ଲଗାଇଛନ୍ତି ସରକାର ।

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍‌ଲାମବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦୁଇ ମାସ ପାଇଁ ସହରରେ ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରଓଲପିଣ୍ଡିର ଡେପୁଟି କମିଶନର ଅନ୍ୟ ଏକ ଅଧିସୂଚନା ଅନୁସାରେ ସୋମବାରଠାରୁ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଓଲପିଣ୍ଡିରେ ୩ ଡିସେମ୍ବର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଇସଲାମାବାଦ ପ୍ରଶାସନ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଆଦେଶ 'ରେଡ୍ ଜୋନ୍ ସମେତ ଜିଲ୍ଲା ଇସଲାମାବାଦର ରାଜସ୍ୱ ସୀମା ମଧ୍ୟରେ ଯେକୌଣସି ସାର୍ବଜନୀନ ସ୍ଥାନରେ ପାଞ୍ଚ କିମ୍ବା ତା'ଠାରୁ ଅଧିକ ବ୍ୟକ୍ତିଙ୍କ ସମସ୍ତ ପ୍ରକାରର ସମାବେଶ, ଶୋଭାଯାତ୍ରା/ରାଲି ଏବଂ ପ୍ରଦର୍ଶନକୁ ନିଷେଧ କରେ'।

ଅନ୍ୟପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି । କିନ୍ତୁ ଗତ କିଛି ସପ୍ତାହ ଧରି ଇମ୍ରାନଙ୍କୁ ନେଇ ହେଉଥିବା ଚର୍ଚ୍ଚା ତାଙ୍କ ପରିବାରକୁ ମଧ୍ୟ ଚିନ୍ତିତ କରିଛି। ଏବେ ପାକିସ୍ତାନର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ନାମ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଇଣ୍ଟରନେଟରେ ଇମ୍ରାନ ଖାନଙ୍କ କୌଣସି ଝଲକ ଦେଖିବାକୁ ମିଳିବ ନାହିଁ। ଏହି ସମୟରେ ତାଙ୍କ ପୁଅମାନେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ମନ୍ତବ୍ୟ ଦେଇଛନ୍ତି । ଲଣ୍ଡନରେ ରହୁଥିବା କାସିମ ଖାନ କହିଛନ୍ତି ଯେ, ସେ ତାଙ୍କ ବାପାଙ୍କୁ ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ଦେଖିଥିଲେ । ସେତେବେଳେ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା।

ପରିବାର ମଧ୍ୟ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକରୁ ସହାୟତା ଲୋଡୁଛି। ସେମାନେ ଦାବି କରୁଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ସାକ୍ଷାତ ଲାଗି ଅନୁମତି ଦିଆଯାଉ । ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁମତି ଦିଆଯାଉ ଏବଂ ଇମ୍ରାନ ଖାନଙ୍କ ଅବସ୍ଥା ବିଷୟରେ ଏକ ସରକାରୀ ଅପଡେଟ୍ ପ୍ରଦାନ କରାଯାଉ। ଇମ୍ରାନ ଖାନଙ୍କ ପୁଅ କାସିମ ଖାନ ରଏଟର୍ସଙ୍କୁ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କେଉଁଠି ରାଖିଯାଇଛି ସେନେଇ ପରିବାରକୁ ତିନି ସପ୍ତାହ ଧରି କୌଣସି ପ୍ରମାଣ ମିଳିନାହିଁ । ବାପା ସୁରକ୍ଷିତ, ଆହତ କିମ୍ବା ଜୀବିତ ଅଛନ୍ତି କି ନାହିଁ ତାହା ନଜାଣିବା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Imran Khan: ପାକିସ୍ତାନରେ ଭୟଙ୍କର ସ୍ଥିତି ! ସରକାରଙ୍କୁ ଘାରିଲାଣି ଚିନ୍ତା, ରାଜଧାନୀରେ କର୍ଫ୍ୟୁ | Argus News