ଟାରିଫ୍ ହ୍ରାସ ପାଇଁ ଭାରତ ପ୍ରସ୍ତାବ ପଠାଇଥିବା ଦାବି କଲେ ଡୋନାଲ୍ଡ ଟ୍ରମ୍ପ

Key Points
ଭାରତକୁ ନେଇ ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
କହିଲେ, ଟାରିଫ୍ ହ୍ରାସ କରିବା ପାଇଁ ଏକ ପ୍ରସ୍ତାବ ପଠାଇଛି ଭାରତ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଏକପାଖିଆ କହିଲେ ଟ୍ରମ୍ପ
ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ବା SCO ଶିଖର ସମ୍ମିଳନୀ ଋଷ ଓ ଚୀନ ସହ ଭାରତ ଅଧିକ ନିକଟତର ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଗ ମୁଣ୍ଡକୁ ଚଢ଼ିଯାଇଛି। SCO ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଘନିଷ୍ଠ ହେବା ଦେଖି ଏପଟେ ଟ୍ରମ୍ପ ଖେଳିଥିଲେ ଏକ ନୂଆ ଚାଲ୍। ଆମେରିକାକୁ ପଛ କରି ଭାରତ ଋଷ ଓ ଚୀନ ଆଡ଼କୁ ଢଳୁଥିବା ଅନୁଭବ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, 'ଭାରତ ଆମେରିକାକୁ ଟାରିଫ୍ ହ୍ରାସ କରିବା ପାଇଁ ଏକ ପ୍ରସ୍ତାବ ପଠାଇଛି'। ତେବେ ଟ୍ରମ୍ପ ଏହାକୁ ଏକ ବିଳମ୍ବିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
ଏହା ସହ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଏକପାଖିଆ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି 'କିଛି ଲୋକ ବୁଝନ୍ତି ଯେ ଆମେ ଭାରତ ସହିତ ବହୁତ କମ ବାଣିଜ୍ୟ କରୁ'। 'କିନ୍ତୁ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି'। 'ସେମାନେ ଆମକୁ ବହୁତ ସାମଗ୍ରୀ ବିକ୍ରି କରନ୍ତି'। 'କିନ୍ତୁ ଆମେ ସେମାନଙ୍କୁ ବହୁତ କମ୍ ବିକ୍ରି କରୁ'। 'ଏହାର କାରଣ ହେଉଛି ଯେ ଭାରତ ଏପର୍ଯ୍ୟନ୍ତ ଆମଠାରୁ ଏତେ ଶୁଳ୍କ ଆଦାୟ କରିଛି'। 'ଆମର କମ୍ପାନୀଗୁଡ଼ିକ ଭାରତରେ ସାମଗ୍ରୀ ବିକ୍ରି କରିପାରୁନାହାଁନ୍ତି'। 'ଭାରତ ଋଷରୁ ବିପୁଳ ପରିମାଣରେ ତେଲ ଏବଂ ସାମରିକ ଉପକରଣ କିଣୁଛି'। 'ଯେତେବେଳେ କି ଆମେରିକାରୁ ବହୁତ କମ୍ କିଣୁଛି'। 'ଦୀର୍ଘ ସମୟ ଧରି ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଏକପାଖିଆ ରହିଛି, ଯାହା ଏକ ଦୁଃଖଦ ଘଟଣା'। ଏହା ସହ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି କି 'ଭାରତ ଏବେ ସେମାନଙ୍କର ଟାରିଫ୍କୁ ସମ୍ପୂର୍ଣ୍ଣ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି'। 'କିନ୍ତୁ ଏବେ ବହୁତ ଅଧିକ ବିଳମ୍ବ ହୋଇଯାଇଛି'। 'ସେମାନଙ୍କୁ ଏହା ବର୍ଷ ବର୍ଷ ପୂର୍ବରୁ କରିବା ଉଚିତ ଥିଲା'।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦାବି ପଛରେ କେତେ ସତ୍ୟତା ରହିଛି ତାହା ଜଣାନାହିଁ। କାରଣ ପୂର୍ବରୁ ମଧ୍ୟ ଅନେକ ଥର ଆମେରିକା ରାଷ୍ଟ୍ରପତି ଅନେକ ମିଛ ଦାବି କରିଛନ୍ତି। କିନ୍ତୁ ବଡ଼ କଥା ହେଉଛି, ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅବନତି ହୋଇଛି। ସେପଟେ ଆମେରିକା ରାଷ୍ଟ୍ରପତିଙ୍କ ଏକପାଖିଆ ନୀତିକୁ ଚ୍ୟାଲେଞ୍ଜ କରିବା ପାଇଁ ଭାରତ, ରୁଷ ଏବଂ ଚୀନ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହି ତିନି ଦେଶ ପରସ୍ପର ସହିତ ସେମାନଙ୍କର ବନ୍ଧୁତା ଏବଂ ପାରସ୍ପରିକ ସହଯୋଗକୁ ମଜ୍ବୁତ କରୁଛନ୍ତି।
SCO ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଭାରତ ପାଖରେ ବାଣିଜ୍ୟ ପାଇଁ ଅନେକ ବିକଳ୍ପ ଖୋଲା ଅଛି। କିନ୍ତୁ ଏହା ପରେ ସମୟରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଭାରତ ଟାରିଫ୍ ହ୍ରାସ ପାଇଁ ପ୍ରସ୍ତାବ ପଠାଇଥିବା କଥା କହିଛନ୍ତି। ଯେତେବେଳେ କି ପୂର୍ବରୁ ଭାରତ ସରକାର ଆମେରିକାର ଏହି ଅତିରିକ୍ତ ଟାରିଫକୁ ଅନୁଚିତ ଓ ଅନ୍ୟାୟପୂର୍ଣ୍ଣ’ ବୋଲି କହି ସାରିଛନ୍ତି।