Delhi Artificial Rain / ଦିଲ୍ଲୀ ଆକାଶରେ ହେଲା କୃତ୍ରିମ ବର୍ଷା

Key Points
ରାଜଧାନୀରେ କୃତ୍ରିମ ବର୍ଷା । ଦିଲ୍ଲୀରେ କ୍ଲାଉଡ୍ ସିଡିଂର ପରୀକ୍ଷଣ ସଫଳ ହୋଇଛି । ଦୁଇଟି ପର୍ଯ୍ୟାୟରେ ଦିଲ୍ଲୀରେ କୃତ୍ରିମ ବର୍ଷା ପରୀକ୍ଷଣ କରାଯାଇଛି । ଏହାପୂର୍ବରୁ ଗତ ୨୪ ତାରିଖରେ ଖେକଡା, ବୁରାଡି ଓ ବାଦଲି ଅଞ୍ଚଳରେ କ୍ଲାଉଡ ସିଡିଂ ପରୀକ୍ଷଣ ସଫଳ ହୋଇଥିଲା ।
ଦିଲ୍ଲୀ ସରକାର ସେପ୍ଟେମ୍ବର ୨୫ରେ ପାଞ୍ଚଟି କ୍ଲାଉଡ୍ ସିଡିଂ ପରୀକ୍ଷଣ କରିବା ପାଇଁ IIT କାନପୁର ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ IIT କାନପୁରକୁ ଅକ୍ଟୋବର ୧ରୁ ନଭେମ୍ବର ୩୦ ମଧ୍ୟରେ ପରୀକ୍ଷଣ କରିବା ପାଇଁ ଅନୁମତି ପ୍ରଦାନ କରିଥିଲା। ଦିଲ୍ଲୀ କ୍ୟାବିନେଟ୍ ମେ ୭ରେ ମୋଟ ୩.୨୧ କୋଟି ଟଙ୍କା ମୂଲ୍ୟରେ ପାଞ୍ଚଟି କ୍ଲାଉଡ୍ ସିଡିଂ ପରୀକ୍ଷଣ କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲା।
କ୍ଲାଉଡ ସିଡିଂକୁ କେନ୍ଦ୍ର ପରିବେଶ, ପ୍ରତିରକ୍ଷା, ଗୃହ ମନ୍ତ୍ରଣାଳୟ, ଉତ୍ତର ପ୍ରଦେଶ ସରକାର, ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋରୁ ମଧ୍ୟ ଅନୁମତି ମିଳିଛି। ଏହି ପଦକ୍ଷେପ କେବଳ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଐତିହାସିକ ନୁହେଁ ବରଂ ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା କରିବା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ।
କୃତ୍ରିମ ବର୍ଷାକୁ କ୍ଲାଉଡ ସିଡିଂ କୁହାଯାଏ । ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି କୃତ୍ରିମ ବର୍ଷା କିମ୍ବା ତୁଷାରପାତ କରାଯାଏ । କ୍ଲାଉଡ୍ ସିଡିଂ ପ୍ରକ୍ରିୟାରେ, ସିଲଭର ଆୟୋଡାଇଡ୍, ପୋଟାସିୟମ୍ କ୍ଲୋରାଇଡ ଏବଂ ସୋଡିୟମ୍ କ୍ଲୋରାଇଡ୍ ଭଳି ରାସାୟନିକ ପଦାର୍ଥ ମିଶ୍ରଣ କରି ବିହନ ତିଆରି କରାଯାଏ, ଯାହା ପରେ ବିମାନରୁ ମେଘାଚ୍ଛନ୍ନ ମେଘ ଉପରେ ସ୍ପ୍ରେ କରାଯାଏ । ଏହି ବିହନଗୁଡିକ ମେଘରେ ଥିବା ପାଣିକୁ ବରଫରେ ପରିଣତ କରନ୍ତି, ଯାହା ଏକାଠି ଲାଗି ରହିଥାଏ ଏବଂ ଭୂମିରେ ପଡିବାରେ ପରେ ଫାଟି ପାଣି ହୋଇଯାଏ ।
ଅନ୍ୟପଟେ ଥଣ୍ଡା ବଢ଼ିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୨ ରହିଛି ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଛି । ତେଣୁ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଏବଂ ବିଷାକ୍ତ ବାୟୁର ପ୍ରତିକ୍ରିୟାରେ ସରକାର ରାଜଧାନୀରେ କୃତ୍ରିମ ବର୍ଷା ଘୋଷଣା କରିଛନ୍ତି ।
ଦିଲ୍ଲୀ-ଏନସିଆରରେ ମଧ୍ୟ ଶୀତ ଆସିବା ସହିତ, ପ୍ରଦୂଷଣରେ ବୃଦ୍ଧି ନଜର ଆସୁଛି। ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ୨୦୦ ଅତିକ୍ରମ କରିଛି। ଚାନ୍ଦନୀ ଚୌକ ଅଞ୍ଚଳରେ, AQI ୩୦୦ର ସ୍ତରକୁ ମଧ୍ୟ ଅତିକ୍ରମ କରିସାରିଛି। ଦିଲ୍ଲୀର ହାରାହାରି AQI ଗୁରୁବାର ୧୦୦ ପଏଣ୍ଟରେ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ୧୫ ଦିନ ପୂର୍ବରୁ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୯୯ ଅଙ୍କ ଥିଲା।
📱 Get Argus News App
✨Related Topics
Explore more stories