Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cyclone Montha / କାହିଁକି ଦିଆଯାଏ ବାତ୍ୟାର ନାଁ, କେଉଁ ଦେଶମାନେ ଏଥିରେ ସାମିଲ ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·4 min read
କାହିଁକି ଦିଆଯାଏ ବାତ୍ୟାର ନାଁ, କେଉଁ ଦେଶମାନେ ଏଥିରେ ସାମିଲ ?

Key Points

ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡ଼କୁ ନେଇ ଏହି ୧୩ଟି ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି ।
ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।

ବାତ୍ୟା ନାଁ ଶୁଣିଲେ ଲୋକଙ୍କ ମନରେ ଛାନିଆ। ପୂର୍ବରୁ ଓଡ଼ିଶାରେ ଆସିଛି ଅନେକ ବାତ୍ୟା । ତିତଲି, ଫନି, ଅମ୍ଫାନ ଏମିତି କେତେ । ଏଥର ବାତ୍ୟାର ନାଁ ହେଉଛି ମୋନ୍ଥା। ତେବେ କେମିତି କରାଯାଏ ବାତ୍ୟାର ନାମକରଣ। ଏଥର ମୋନ୍ଥାର ନାଁ ଦେଇଛି କିଏ ?

ବାତ୍ୟା କଥା ଶୁଣିବା କ୍ଷଣି ହିଁ ଉପକୂଳିଆ ଅଞ୍ଚଳରେ ସତେ ଯେମିତି କୋକୁଆ ଭୟ ଖେଳିଯାଇଛି। ଆଉ ଏହି ଭୟରେ ଆହୁରି ବଳ ଭରୁଛି ଏହି ବାତ୍ୟାର ନାଁ... ମୋନ୍ଥା। ହେଲେ କେବେ ଭାବିଛନ୍ତି କିଏ ଦେଲା ଏ ବାତ୍ୟାର ନାଁ ? ଖାଲି ମୋନ୍ଥା କାହିଁକି ତିତଲି, ଫନି, ଅମ୍ଫାନ, ଶକ୍ତି ଏମିତି ଅନେକ ବାତ୍ୟା ଯାହା ଓଡ଼ିଶାକୁ ଅଳ୍ପ ବହୁତ ପ୍ରଭାବିତ କରିଛନ୍ତି। କେମିତି ହୋଇଥାଏ ଏ ବାତ୍ୟା ଗୁଡିକର ନାମକରଣ। ଆଉ ୧୯୯୯ରେ ଆସିଥିବା ସେହି ପ୍ରଳୟଙ୍କାରୀ ବାତ୍ୟାର ନାଁ କଣ ? ଜାଣିଛନ୍ତି କି ଆପଣ ?

ସାମୁଦ୍ରିକ ଝଡ଼ର ଏଭଳି ନାମକରଣର ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରେ ସୃଷ୍ଟି ହେଉଥିବା ପ୍ରତିଟି ବତ୍ୟାର କିଛି ନା କିଛି ନାଁ ରହିଥାଏ। ଯାହା ପଛରେ ରହିଥାଏ ଏକ ରୋମାଞ୍ଚକର ଅର୍ଥ। ଯେମିତିକି ସମୁଦ୍ରରୁ ଏବେ ମାଡ଼ି ଆସୁଥିବା ବାତ୍ୟା ମୋନ୍ଥାର ଅର୍ଥ ହେଉଛି ସୁବାସିତ ଫୁଲ ବା ସୁନ୍ଦର ଫୁଲ। ଅକ୍ଷାଂଶ ଓ ଦ୍ରାଘିମା ଅନୁଯାୟୀ ନମ୍ବର ଦେଇ ବାତ୍ୟାକୁ ଚିହ୍ନିଥାନ୍ତି ପାଣିପାଗ ବିଜ୍ଞାନୀ। ଏବେକା ସମୟରେ ଏହି ପ୍ରକ୍ରିୟା କିନ୍ତୁ କିଛି ଦେଶକୁ ନେଇ ଗଠିତ ଗୋଷ୍ଠୀ ଦ୍ୱାରା ପ୍ରସ୍ତାବିତ ନାମକୁ ନେଇ କରାଯାଉଛି।

ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମେନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡ଼କୁ ନେଇ ଏହି ୧୩ଟି ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।

ବଡ଼ କଥା ହେଉଛି କୌଣସି ସାମୁଦ୍ରିକ ଝଡ଼ର ନାମକରଣ କମିଟି ବା ସଂଗଠନ କରେ ନାହିଁ । ବରଂ ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ଼ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ କରେ । ଯେମିତିକି ପ୍ରଥମେ ବାଲାଂଦେଶ, ତା ପରେ ଭାରତ ଏବଂ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ‘ଶକ୍ତି’ର ନାଁ ଯେମିତି ଶ୍ରୀଲଙ୍କା ଦେଇଥିଲା । ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ନାଁ ଥାଇଲ୍ୟାଣ୍ଡ ଦେଇଛି ।

ୱାର୍ଲଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ ବା WMOର ଅଂଶୀଦାର ସମସ୍ତ ଦେଶ ଭିତରେ ବୁଝାମଣା ହୋଇଛି। ସାରା ପୃଥିବୀର ସାମୁଦ୍ରିକ ଜଳଭାଗକୁ ବିଭିନ୍ନ ଅଞ୍ଚଳ ଆଧାରରେ ବଣ୍ଟାଯାଇଛି। ସବୁ ଅଞ୍ଚଳର ଦେଶଗୁଡ଼ିକୁ ନେଇ ହୋଇଛି ବୁଝାମଣା । ଆଉ ଏହି ବୁଝାମଣା ଆଧାରରେ ପ୍ରସ୍ତୁତ କରାଯାଇଛି ନିର୍ଦ୍ଦିଷ୍ଟ ତାଲିକା । ସେହି ତାଲିକା ଆଧାରରେ ସ୍ଥିର ହୁଏ ସାମୁଦ୍ରିକ ବାତ୍ୟାର ନାଁ । ଏଥିଲାଗି କେତେକ ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି ।

ଯେମିତିକି ସମୁଦ୍ରରେ ସୃଷ୍ଟି ହେଉଥିବା ସମସ୍ତ ଲଘୁଚାପ ଓ ଝଡ଼ର ନାମକରଣ ହୁଏନି ବରଂ ଯେଉଁ ଝଡ଼ବାତ୍ୟାରେ ପବନର ବେଗ ୬୧ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ହୋଇଥାଏ ତାହାର ହିଁ ନିର୍ଦ୍ଦିଷ୍ଟ ନାମ ଦିଆଯାଏ ।

ଗୋଲାର୍ଦ୍ଧରେ ଉତ୍ତର ଆଟ୍‌ଲାଣ୍ଟିକ୍‌ ଓ ପୂର୍ବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକାନ୍‌ ନ୍ୟାସନାଲ ଅରିକେନ୍‌ ସେଣ୍ଟର, କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକାନ୍‌ ସେଣ୍ଟ୍ରାଲ ପାସଫିକ୍‌ ହରିକେନ୍‌ ସେଣ୍ଟର, ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ଜାପାନ୍‌ ମେଟେରୋଲଜିକାଲ ଏଜେନ୍ସି, ଉତ୍ତର-ଭାରତ ମହାସାଗର ଅଞ୍ଚଳ ପାଇଁ ଭାରତୀୟ ପାଣିପାଗ କେନ୍ଦ୍ର ନାମକରଣର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗୋଟିଏ ଏଜେନ୍ସି ମଧ୍ୟରେ ଥିବା କୌଣସି ସଦସ୍ୟଙ୍କ ପ୍ରସ୍ତାବକ୍ରମେ ଏହି ନାମକୁ ପ୍ରତ୍ୟାହାର କରି ଅନ୍ୟ ନାମ ଦେଇପାରିବେ, କିନ୍ତୁ ଏଥିପାଇଁ କମିଟିର ସର୍ବସମ୍ମତି ଆବଶ୍ୟକ ହୋଇଥାଏ।

ବାତ୍ୟା ସମ୍ବନ୍ଧୀୟ ତଥ୍ୟକୁ ଟ୍ରାକ୍ କରିବାକୁ ସମସ୍ୟା ଉପୁଜିବାରୁ ଆରମ୍ଭ ହେଲା ବାତ୍ୟାର ନାମକରଣ । ପ୍ରଥମେ ପ୍ରଥମେ ସ୍ଥାନ, ନଦୀ, ପଶୁପକ୍ଷୀ ବା ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଏହାର ନାମକରଣ କରାଗଲା । କ୍ବିନ୍‌ସଲାଣ୍ଡର ସରକାରୀ ପାଣିପାଗ ବିଜ୍ଞାନୀ କ୍ଲେମାଣ୍ଟ ରେଜ୍‌ ବିଶ୍ୱରେ ପ୍ରଥମେ ବାତ୍ୟାର ନାମକରଣ ଆରମ୍ଭ କରିଥିଲେ। ୧୮୮୭ ରୁ ୧୯୦୭ ପର୍ଯ୍ୟନ୍ତ ସେ ଅନେକ ବାତ୍ୟାର ନାମକରଣ କରିଥିଲେ।

୧୯୫୩ ମସିହାରେ ଆମେରିକୀୟ ପାଣିପାଗ ବିଭାଗ ପକ୍ଷରୁ କେବଳ ଇଂରାଜୀ ଅକ୍ଷର ‘ଏ’ ଠାରୁ ‘ଡବ୍ଲ୍ୟୁ’ରେ ଆରମ୍ଭ ହୋଇଥିବା ମହିଳାଙ୍କ ନାମାନୁସାରେ ବାତ୍ୟାର ନାମକରଣ ଆରମ୍ଭ କରାଗଲା । ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ମହିଳା ସଂଗଠନ ତରଫରୁ ଏହାକୁ ପ୍ରବଳ ବିରୋଧ ଯୋଗୁ ଏହି ଧାରା ବାଦ୍‌ ପଡ଼ିଥିଲା । ୧୯୭୮ ମସିହା ପରଠାରୁ ବାତ୍ୟାର ନାମକରଣ ଧାରାରେ ପୁରୁଷଙ୍କ ନାମ ମଧ୍ୟ ସାମିଲ ହେଲା । ଏବେ ଏହି ପ୍ରକ୍ରିୟା କିଛି ଦେଶକୁ ନେଇ ଗଠିତ ଗୋଷ୍ଠୀ ଦ୍ୱାରା ପ୍ରସ୍ତାବିତ ନାମକୁ ନେଇ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored