Bihar Election / ଏବେ BJP ଟାର୍ଗେଟ୍ରେ ପଶ୍ଚିମବଙ୍ଗ, ଖୁବ୍ଶୀଘ୍ର ହଟିବ ଜଙ୍ଗଲରାଜ

Key Points
ଦଶକ ଦଶକ ଧରି ଦେଶ ଶାସନ କରିଥିବା ଦଳ ଉପରୁ ଲୋକଙ୍କ ଭରସା ଉଠିଯାଇଥିବା କହିଛନ୍ତି ମୋଦି ।
ବିହାରରେ ଏନଡିଏର ପ୍ରଚଣ୍ଡ ବିଜୟକୁ ନେଇ ବିଜେପି ଶିବିରରେ ଉତ୍ସବର ମାହୋଲ । ମୋଦି ମ୍ୟାଜିକର ଝଡ଼ ଆଗରେ ଲିଭିଗଲା RJDର ଲଣ୍ଠନ । ହାତ ବି ମାରିଲା ଚିତପଟ୍ଟାଙ୍ଗ । ବିହାର ବିଜୟ ପରେ ମୋଦି କହିଛନ୍ତି, ପଶ୍ଚିମବଙ୍ଗରୁ ବି ଜଙ୍ଗଲରାଜର ହେବ ମୂଳୋତ୍ପାଟନ । ବେଙ୍ଗଲ ବିଜୟର ରାସ୍ତା ତିଆରି କରିଛି ବିହାର ବୋଲି ବିଜୟ ଉତ୍ସବରେ କହିଛନ୍ତି ପିଏମ ମୋଦି । ଅନ୍ୟପଟେ ମୋଦିଙ୍କ ପରେ ଗିରିରାଜ ସିଂହ ମଧ୍ୟ କହିଛନ୍ତି ଏବେ ବିହାର ଜିତିଲୁ, ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ । ପଶ୍ଚିମବଙ୍ଗରେ ମଧ୍ୟ ବିଜେପିର ବିଜୟ ବାନା ଉଡ଼ିବ । ସେଠାରୁ ମଧ୍ୟ ଜଙ୍ଗଲରାଜ ହଟିବ ।
ବିହାର ବିଜୟକୁ ନେଇ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରୁ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିଏମ । ବିହାର ଆଗାମୀ ୫ ବର୍ଷ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ । ବିହାର ବିଜୟ ଆମକୁ ନୂଆ ଦାୟିତ୍ବ ଦେଇଛି ବୋଲି କହିଛନ୍ତି ମୋଦି । ଗତ ୩ଟି ଲୋକସଭା ନିର୍ବାଚନରେ କଂଗ୍ରେସ ୩ ଅଙ୍କ ଛୁଇଁପାରିନାହିଁ । ବହୁ ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଶାସନକୁ ଆସିନାହିଁ । ଦଶକ ଦଶକ ଧରି ଦେଶ ଶାସନ କରିଥିବା ଦଳ ଉପରୁ ଲୋକଙ୍କ ଭରସା ଉଠିଯାଇଥିବା କହିଛନ୍ତି ମୋଦି ।
ତେବେ ୨୪୩ ଆସନରୁ ବିଜେପି ସହଯୋଗୀ ମେଣ୍ଟ ୨୦୨ ସିଟ ଅକ୍ତିଆର କରିଛି । କେବଳ ବିଜେପିକୁ ୮୯ ସିଟ, ଓ ଜେଡିୟୁକୁ ୮୫ ସିଟ୍ ମିଳିଛି । ରାହୁଲ-ତେଜସ୍ୱୀଙ୍କ ମହାଗଠବନ୍ଧନକୁ ମାତ୍ର ୩୬ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ମୋଦି-ନୀତୀଶଙ୍କ ରଣନୀତି ଆଗରେ ବିରୋଧୀ ଚିତ୍ ମାରିଛନ୍ତି । ବିପୁଳ ବିଜୟ ପରେ NDA ପକ୍ଷରୁ ସାରା ଦେଶରେ ବିଜୟ ଉତ୍ସବ ପାଳନ ଜାରି ରହିଛି । ଅଦିନରେ ହୋଲି, ଦୀପାବଳି ପାଳନ କରୁଛନ୍ତି କର୍ମୀ ।
ତେବେ ଏଥର ବିହାରରେ ବିଜେପିର ନୂଆ ରେକର୍ଡ । ସମସ୍ତଙ୍କ ବସ୍ ପାଲଟିଛି ବିଜେପି । ପ୍ରଥମ ଥର ପାଇଁ ବିଜେପି ସବୁ ଦଳଠାରୁ ଅଧିକ ଆସନ ହାତେଇଛି । ତେଣୁ କୁହାଯାଉଛି ବିହାରରେ ସମସ୍ତଙ୍କ 'ବଡ଼େ ଭୈୟା' ପାଲଟିଛି ବିଜେପି । ବିହାରବାସୀଙ୍କ ମନ କଣିବାରେ ସଫଳ ହୋଇଛି ଦଳ। ଏଥର ବିଜେପି ୧୦୧ ସିଟ୍ରେ ପ୍ରାର୍ଥୀ ଦେଇଥିଲା । ଯେଉଁଥିରୁ ୮୯ ଆସନରେ ବିଜୟୀ ହୋଇଛି । ଏହା ପଛକୁ ରହିଛି ଜେଡିୟୁ । ଯିଏକି ୮୫ ଆସନ ଜିତିଛି ।
ଗତ ୨୦୨୦ ନିର୍ବାଚନରେ JDUଠାରୁ BJP ଅଧିକ ସିଟ୍ ଜିତିଥିଲେ ବି RJD ସବୁଠାରୁ ଆଗରେ ଥିଲା । ସେତେବେଳେ RJDକୁ ସବୁ ଦଳର 'ବାପ୍' ବୋଲି କୁହାଯାଉଥିଲା । ଗତଥର ବିଜେପି ୭୪ ଆସନ ଜିତିଥିବା ବେଳେ ନୀତିଶଙ୍କ ଜେଡିୟୁ ୪୩ ଆସନ ହାତେଇଥିଲା । କିନ୍ତୁ ଅନ୍ୟପଟେ RJD ୭୫ ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା । ହେଲେ ଏଥର BJP ସମସ୍ତଙ୍କ ଅଙ୍କ ବିଗାଡ଼ି ଦେଇଛି । ଆଶତୀତ ସଫଳତା ପାଇଛି ଦଳ ।
📱 Get Argus News App
✨Related Topics
Explore more stories