ବ୍ୟାଡ୍ମିଣ୍ଟନ ଖେଳିବାକୁ ଯାଇଥିଲେ: ହୃଦଘାତରେ ଚାଲିଗଲା ଜୀବନ

Key Points
ବ୍ୟାଡ୍ମିଣ୍ଟନ ଖେଳିବାକୁ ଯାଇଥିଲେ
ହୃଦଘାତରେ ଚାଲିଗଲା ଜୀବନ
ଶବ ହୋଇ ଫେରିଲେ ଜଣେ ୨୫ବର୍ଷୀୟ ଯୁବକ
ଏମିତି ବି ମୃତ୍ୟୁ ଆସେ। ଖେଳୁଥିବାବେଳେ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି। ଆଉ ଏହା ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ବ୍ୟାଡ୍ମିଣ୍ଟନ ଖେଳିବାକୁ ଯାଇଥିଲେ। ଶବ ହୋଇ ଫେରିଲେ ଜଣେ ଯୁବକ। ବୟସ ହେଉଛି ତାଙ୍କର ମାତ୍ର ୨୫ ବର୍ଷ। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ସମୟରେ ଜଣେ ୨୫ବର୍ଷୀୟ ଯୁବକଙ୍କ ହଠାତ୍ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତରମାନେ ଦାବି କରିଛନ୍ତି ଯେ, ଯୁବକଙ୍କ ମୃତ୍ୟୁ ହୃଦଘାତରେ ହୋଇଛି। ମୃତକଙ୍କ ନାମ ହେଲା ଗୁଣ୍ଡଲା ରାକେଶ। ଘଟଣାଟି ରବିବାର ରାତିରେ ଘଟିଥିଲା। ଗୁଣ୍ଡଲା ରାକେଶ ପ୍ରତିଦିନ ଭଳି ରବିବାର ମଧ୍ୟ ଷ୍ଟାଡିୟମରେ ତାଙ୍କ ବନ୍ଧୁମାନଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିଲେ।
ଏହି ସମୟରେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାକେଶ ହାଇଦ୍ରାବାଦର ଏକ ଘରୋଇ କମ୍ପାନିରେ କର୍ମଚାରୀ ଥିଲେ ଏବଂ ନିୟମିତ ଭାବରେ ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଉଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ହୃଦଘାତ ଅନେକ ଲୋକଙ୍କ ଜୀବନ ନେଇଛି। ବିଶେଷ କରି ଜିମ୍ରେ ବା ଖେଳୁଥିବା ସମୟରେ ଅନେକ ଲୋକଙ୍କର ହୃଦଘାତ ହେଉଥିବା ଦେଖାଯାଇଛି। ଆଜିକା ସମୟରେ ହୃଦଘାତର ସଂଖ୍ୟା ବଢ଼ୁଥିବା ଦେଖି ଲୋକମାନେ ଭୟଭୀତ ହୋଇଯାଉଛନ୍ତି। କାରଣ ଏତେ କମ ବୟସରୁ ଏବେ ବାରମ୍ବାର ହୃଦଘାତ ହେବାର ଖବର ଦେଖିବାକୁ ମିଳୁଛି। ତେବେ ଏପରି ହେବାର କାରଣ କଣ ଏଯାଏ ଜଣାପଡ଼ିନି।