ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା, ହେଲେ ଭର୍ତ୍ସନା ପାଇଲେ...

Key Points
ଏଣିକି ଛାଡ଼ପତ୍ର ପରେ ପତ୍ନୀଙ୍କୁ ମିଳିବନି ଆଲିମନି !
'ଯଦି ପାଠ ପଢ଼ିଛ ତେବେ ନିଜେ ରୋଜଗାର କର'
ନିଜ ଖଚ୍ଚର୍ଚ୍ଚ ପାଇଁ ସ୍ୱାମୀଙ୍କୁ ମାଗନି ଟଙ୍କା
ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଏମିତି ଏକ ମାମଲାର ଶୁଣାଣି କରୁଥିବା ବେଳେ ମହିଳାଙ୍କୁ କହିଲେ, 'ଯଦି ଏତେ ଜିନିଷ ନେବାକୁ ଇଚ୍ଛା, ତେବେ ନିଜେ ରୋଜଗାର କର' ।
ବାହାଘରର ମାତ୍ର ୧୮ ମାସ ପୁରି ଥିଲା । ସାମାନ୍ୟ ବିବାଦରୁ ମହିଳା ଜଣଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହିଲେ । ଆଉ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଆଉ କୋର୍ଟଙ୍କୁ କହିଥିଲେ, ମୁଁ ଛାଡ଼ପତ୍ର ଚାହୁଁଛି । ଏହାସହ ନିଜର ଭରଣପୋଷଣ ପାଇଁ ସ୍ବାମୀଙ୍କଠାରୁ ୧୨କୋଟି ଟଙ୍କା, ମୁମ୍ବାଇରେ ଏକ ଘର ଏବଂ ବିଏମଡବ୍ଲୁ କାର୍ ଆବଶ୍ୟକ କରୁଛି ।
ମହିଳାଙ୍କ ଏଭଳି ଦାବି ଶୁଣିବା ପରେ ଶୁଣାଣି କରୁଥିବା ଖଣ୍ଡପୀଠ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ମହିଳାଙ୍କ ଏଭଳି ଚିନ୍ତାଧାରାକୁ ଭର୍ତ୍ସନା କରିଥିଲେ । ସିଧା ସିଧା କହିଥିଲେ, 'ଯଦି ଚଳିବା ପାଇଁ ଏତେ ସବୁ ଦରକାର ତେବେ ନିଜେ ରୋଜଗାର କର ଆଉ ଖର୍ଚ୍ଚ କର । ଆପଣ ଏତେ ଶିକ୍ଷିତ। ନିଜ ପାଇଁ ଆପଣ ରୋଜଗାର କରିବା ଉଚିତ । ନିଜର ଖର୍ଚ୍ଚ ପାଇଁ ଏଭଳି ମାଗିବା ଉଚିତ୍ ନୁହେଁ। ଆପଣ ମଧ୍ୟ ଇଞ୍ଜିନନିୟରିଂ କରିଛନ୍ତି। ଏମବିଏ ଡିଗ୍ରି ମଧ୍ୟ ରହିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରରେ ଆପଣ ଭଲ ଚାକିରି କରିପାରିବେ। କାହିଁକି ଏଯାଏଁ କାମ କରିନାହାନ୍ତି ? ମାତ୍ର ୧୮ ମାସର ବିବାହ ପରେ ଆପଣ ନିଜ ସ୍ବାମୀଙ୍କଠାରୁ ବିଏମଡବ୍ଲୁ ଚାହୁଁଛନ୍ତି ?'
ନିଜ ଦାବିକୁ ଯଥାର୍ଥ ବୋଲି କହି ମହିଳା ଜଣକ କହିଥିଲେ ଯେ, "ତାଙ୍କ ସ୍ୱାମୀ ବହୁତ ଧନୀ ଏବଂ ସେ ବିବାହକୁ ଅମାନ୍ୟ ଘୋଷଣା କରିବାକୁ ଚାହୁଁଥିଲେ। ମୁଁ ସ୍କିଜୋଫ୍ରେନିଆ ରୋଗରେ ପୀଡ଼ିତ ହୋଇଥିବାରୁ ଚାକିରି କରିପାରିନାହିଁ।"
ଏହା ଶୁଣି ଖଣ୍ଡପୀଠ କହିଥିଲେ, ଯଦି ଉଚ୍ଚ ଶିକ୍ଷିତା ହୋଇ ଆପଣ ଚାକିରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣଙ୍କୁ କେବଳ ଏକ ଫ୍ଲାଟ ମିଳିବ। ଏହାଠାରୁ ଅଧିକ କିଛି ନୁହେଁ।