Smriti Mandhana Wedding Cancelled / ସ୍ମୃତିଙ୍କ ପୋଷ୍ଟ ପରେ ବଡ଼ ଅପଡେଟ୍ ଦେଲେ ପଲାଶ, କହିଲେ 'ମୁଁ ନେବି କାର୍ଯ୍ୟାନୁଷ୍ଠାନ..'

Key Points
ମହିଳା ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ର ସ୍ମୃତି ମନ୍ଧାନା ଓ ପଲାଶ ମୁଚ୍ଛାଲଙ୍କ ବିବାହକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ପ୍ରତିଦିନ ଦେଖାଯାଉଛି ନୂଆ ନୂଆ ଟ୍ୱିଷ୍ଟ । ନିର୍ବନ୍ଧ ହେବା ପରଠାରୁ ବେଶ ଚର୍ଚ୍ଚାରେ ଥିଲେ ଏହି କପଲ । ହେଲେ ନିର୍ବନ୍ଧ ପରେ ଦେଖାଦେଇଥିଲା ଉଭୟଙ୍କ ମଧ୍ୟରେ ଫାଟ । ହଠାତ୍ ବାହାଘର ସ୍ଥଗିତ ରହିଲା । ସୋସିଆଲ ମିଡିଆରେ ଛଡ଼ାଯାଇଥିବା ସବୁ ଫଟୋ ମଧ୍ୟ ଡିଲିଟ କରିଦେଲେ ସ୍ମୃତି ।
ଏହି ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ନାନା ଆକଳନ କରିବା ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ବିବାହ ହେବ କି ନାହିଁ, ସେନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଥିଲେ । ତାପରେ ଚର୍ଚ୍ଚା ହେଲା, ସ୍ମୃତିଙ୍କୁ ଚିଟ୍ କରିଛନ୍ତି ପଲାଶ । ଏମିତି ନାନା ପ୍ରକାର ଚର୍ଚ୍ଚା ଭିତରେ ପ୍ରଥମେ ସ୍ମୃତି ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଯାଇ ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ କଲେ । ସେ ସେଥିରେ ଦର୍ଶାଇଥିଲେ, ଆଉ ପଲାଶଙ୍କ ସହ ବିବାହ ହେବନି । ଖାଲି ସେତିକି ନୁହେଁ, ଏଥିରେ ସେ ଆହୁରି କେତେ କ'ଣ ଲେଖିଥିଲେ । ଯାହାର ଉତ୍ତରରେ ପଲାଶ ମଧ୍ୟ ଏକ ପୋଷ୍ଟ କଲେ । ଏବେ ତାକୁ ନେଇ ଖୁବ୍ ଚର୍ଚ୍ଚା ।
ପଲାଶ ଲେଖିଛନ୍ତି, 'ମୁଁ ମୋ ଜୀବନରେ ଆଗକୁ ବଢ଼ିବାକୁ ଏବଂ ବ୍ୟକ୍ତିଗତ ସମ୍ପର୍କରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ମୋତେ ଭୟଭୀତ କରୁଥିବା ଭିତ୍ତିହୀନ ଗୁଜବ ପ୍ରତି ଲୋକମାନେ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି ତାହା ମୋତେ କଷ୍ଟ ଦେଇଛି । ଏହା ମୋ ଜୀବନର ସବୁଠାରୁ କଷ୍ଟକର ସମୟ । ମୁଁ ଏହାକୁ ଦୃଢ଼ତାର ସହିତ ମୁକାବିଲା କରିବି । ମୁଁ ଆଶା କରୁଛି ଯେ, ଆମେ ଯେଉଁ ସମାଜରେ ରହୁଛନ୍ତି ସେଇ ସମାଜରେ ଅଯଥା ଚର୍ଚ୍ଚା କରୁଥିବା ଲୋକ ଟିକେ ସତ୍ୟତା ଉପରେ ଗୁରୁତ୍ୱ ଦିଅନ୍ତୁ । ବିନା କୌଣସି ଆଧାରରେ ଏଭଳି ଚର୍ଚ୍ଚା ନକରି ବାସ୍ତବରେ କ'ଣ ଘଟିଛି ତାହା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ । ମୋ ଟିମ୍ ମିଥ୍ୟା ଖବର ଏବଂ ମାନହାନିଜନକ ବିଷୟବସ୍ତୁ ପ୍ରସାରଣ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।' ଏହି କଷ୍ଟକର ସମୟରେ ମୋ ସହିତ ଠିଆ ହୋଇଥିବା ଲୋକଙ୍କୁ ବହୁତ ଧନ୍ୟବାଦ।
ଏହା ପୂର୍ବରୁ ସ୍ମୃତି ମାନ୍ଧନା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲେଖିଥିଲେ, 'ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ମୁଁ ଭାବୁଛି ଯେ ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ଅତ୍ୟନ୍ତ ଏକା ଏକା ରହୁଥିବା ବ୍ୟକ୍ତି ଏବଂ ମୁଁ ମୋ ଜୀବନକୁ ସେହିପରି ରଖିବାକୁ ଚାହୁଁଛି । କିନ୍ତୁ ମୁଁ ସ୍ପଷ୍ଟ କରୁଛି ଯେ, ଏଇ ବିବାହ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି। ମୁଁ ଏହି ମାମଲାକୁ ଏଠାରେ ହିଁ ଶେଷ କରୁଛି । ଆପଣମାନେ ମଧ୍ୟ ଏହି ବିଷୟକୁ ଏଠାରେ ଶେଷ କରନ୍ତୁ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ କରନ୍ତୁ । ଆମକୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ'।
ସୂଚନା ଅନୁସାରେ, ପଲାଶ ଏବଂ ସ୍ମୃତିଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା । ବିବାହ ପୂର୍ବରୁ ଉତ୍ସବ ଆରମ୍ଭ ହୋଇସାରିଥିଲା । ସୋସିଆଲ ମିଡିଆରେ ହଳଦୀ ଏବଂ ମେହେନ୍ଦୀ ଉତ୍ସବର ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ହଠାତ୍ ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ସ୍ମୃତିଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାଫଳରେ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ଆଉ ଏବେ ଏହି ବାହାଘର ଭାଙ୍ଗି ଯାଇଥିବା ସ୍ମୃତି ସୂଚନା ଦେଇଛନ୍ତି ।
📱 Get Argus News App
✨Related Topics
Explore more stories