|
logo
Live

Argus News - ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ

National

Bihar Election / ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·3 min read
ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ

Key Points

ଆମର ମା' ଏବଂ ଭଉଣୀମାନେ ଛଟ୍ ପୂଜା ସମୟରେ ପାଣି ମଧ୍ୟ ପିଅନ୍ତି ନାହିଁ ।
ମା ଓ ଭଉଣୀଙ୍କ ଏହି ନିଷ୍ଠାକୁ ସେମାନେ ପ୍ରହସନ ବୋଲି କହୁଛନ୍ତି' ।

ଗୋଟିଏ ପଟେ ଅଧା ବିହାର ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଅରରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଛନ୍ତି । ସଭା ମଞ୍ଚରୁ କଂଗ୍ରେସ ଓ ଆରଜେଡି ଉପରେ ପ୍ରଧାନମନ୍ତ୍ରୀଙ୍କ ମୋଦି କଡ଼ା ପ୍ରହାର ଦେଖିବାକୁ ମିଳିଛି ।

କହିଲେ, 'କଂଗ୍ରେସ ଓ ଆରଜେଡି ଦେଶର ସୁରକ୍ଷା ପ୍ରତି ଚିନ୍ତିତ ନୁହନ୍ତି । ଲୋକଙ୍କ ମନରେ ଅବିଶ୍ୱାସର ମଞ୍ଜି ବୁଣି ଚାଲିଛନ୍ତି । ସେଥିପାଇଁ ଏହି ଲୋକମାନେ ଆମର ବିଶ୍ୱାସ ଏବଂ ସଂସ୍କୃତିକୁ ମଧ୍ୟ ଅପମାନ କରନ୍ତି। ଛଟି ମାତାଙ୍କ ପୂଜାକୁ ଏକ ନାଟକ ବୋଲି କହୁଛନ୍ତି କଂଗ୍ରେସର 'ନାମଦାର' । ଏହା ଛଟି ମାତାଙ୍କ ପ୍ରତି ଓ ଆମ ବିଶ୍ୱାସ ପ୍ରତି ବଡ଼ ଅପମାନ । ଆମର ମା' ଏବଂ ଭଉଣୀମାନେ ଛଟ୍ ପୂଜା ସମୟରେ ପାଣି ମଧ୍ୟ ପିଅନ୍ତି ନାହିଁ । ମା ଓ ଭଉଣୀଙ୍କ ଏହି ନିଷ୍ଠାକୁ ସେମାନେ ପ୍ରହସନ ବୋଲି କହୁଛନ୍ତି' ।

ଏହା ସହ ମୋଦି ଆହୁରି କହିଛନ୍ତି, ଏନଡିଏ ସରକାରରେ ନୀତିଶ କୁମାର ବିହାରକୁ ଜଙ୍ଗଲ ରାଜରୁ ବାହାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ୨୦୧୪ରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ, ବିହାରର ବିକାଶ ନୂତନ ଗତି ପାଇଛି । ପାଟନାରେ IIT ଖୋଲିଛି, ବୋଧଗୟାରେ IIM ଖୋଲିଛି, ପାଟନାରେ AIIMS ଖୋଲିଛି, AIIMS ଦରଭଙ୍ଗାର କାମ ଦ୍ରୁତ ଗତିରେ ଚାଲିଛି, ଏବେ ବିହାରରେ ମଧ୍ୟ ଏକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅଛି, IIIT ଭାଗଲପୁରରେ ମଧ୍ୟ ଅଛି, ଏବଂ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି। ଏମିତି କହି ମୋଦି, ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିରୋଧୀ ମେଣ୍ଟକୁ ପ୍ରବଳ ଧୋଇଛନ୍ତି ।

ଅନ୍ୟପଟେ ଏଥର ବିହାର ନିର୍ବାଚନରେ ଅନେକ ଲୋକପ୍ରିୟ କଳାକାର ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପି ଦଳରୁ ଲୋକଗୀତ ଗାୟିକା ମୈଥିଳୀ ଠାକୁର ଦରଭଙ୍ଗା ଜିଲ୍ଲାର ଆଲିନଗର ଆସନରୁ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ, ବିରୋଧୀ ଦଳ ଆର୍‌ଜେଡି (RJD), ଭୋଜପୁରୀ ସୁପରଷ୍ଟାର୍ ତଥା ଅଭିନେତା ଖେସାରୀ ଲାଲ୍ ଯାଦବଙ୍କୁ ଛପ୍ରା ଆସନରୁ ପ୍ରାର୍ଥୀ କରିଛି । ଏହା ବ୍ୟତୀତ, ଅଭିନେତା ତଥା ଗାୟକ ରିତେଶ ପାଣ୍ଡେ ମଧ୍ୟ ଜନ ସୁରାଜ ପାର୍ଟି ପକ୍ଷରୁ କରଗହର ଆସନରୁ ନିର୍ବାଚନ ଲଢୁଛନ୍ତି। ଏହି ତିନିଜଣଙ୍କ ବ୍ୟତୀତ ଭୋଜପୁରୀ ଇଣ୍ଡଷ୍ଟ୍ରିର ବଡ଼ ନାମ, ଯେପରିକି ପୱନ ସିଂହ, ମନୋଜ ତିୱାରୀ, ରବି କିଶନ ଓ ଦିନେଶ ଲାଲ୍ ଯାଦବ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପାଇଁ ଷ୍ଟାର୍ ପ୍ରଚାରକ ଭାବରେ ସାରା ବିହାରରେ ପ୍ରଚାର କରୁଛନ୍ତି। ଏହି କଳାକାରମାନେ ସେମାନଙ୍କର ଲୋକପ୍ରିୟତାକୁ ଭୋଟ୍‌ରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ।

ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ଦିନ ଗୋଟାଏ ସୁଦ୍ଧା ୪୨.୩୧ ପ୍ରତିଶତ ମତଦାନ । ୧୮ ଜିଲ୍ଲାର ୧୨୧ ଆସନରେ ମତଦାନ । ଇଭିଏମରେ ସିଲ୍ ହେବ NDA, ମହାମେଣ୍ଟ ଓ ଜନସୁରାଜ ପାର୍ଟିର ୧୩୩ ମହିଳାଙ୍କ ସହ ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ । ସୁରକ୍ଷା କାରଣରୁ ଅଳ୍ପ କିଛି ବୁଥରେ ସନ୍ଧ୍ୟା ୫ଟା ଯାଏ ହେବ ମତଦାନ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ମୋଟ ୪୫ ହଜାର ୩୪୧ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ମତଦାନ ସାବ୍ୟସ୍ତ କରିବେ ୩ କୋଟି ୭୫ ଲକ୍ଷ ୧୩ ହଜାର ୩୦୨ ଜଣ ଭୋଟର । ପୁରୁଷ ଭୋଟର ସଂଖ୍ୟା ୧ କୋଟି ୯୮ ଲକ୍ଷ ୩୫ ହଜାର ୩୨୫ ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ରହିଛି ୧ କୋଟି ୭୬ ଲକ୍ଷ ୭୭ ହଜାର ୨୧୯ । ଏଥର ପ୍ରଥମ ଥର ପାଇଁ ଭୋଟ ଦେବେ ୭ ଲକ୍ଷ ୩୭ ହଜାର ୭୬୫ ଜଣ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୨୨ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ୪୨୩ ଓ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୫୧୯ ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ BJPର 48, JDUର 57, LJP(RB)ର 12, RJDର 72, କଂଗ୍ରେସର 24, CPI(ML)ର 14, CPIର 5 ଓ CPMର 3 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election: ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ | Argus News