Grievances Pending / ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ନଶୁଣିବାରୁ ୧୪ ଜଣ ଅଫିସରଙ୍କ ଦରମା ବନ୍ଦ

Key Points
ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ନଶୁଣିବା ପଡ଼ିଲା ମହଙ୍ଗା
୧୪ ଅଫିସରଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଟ୍ରେଜେରି ଅଧିକାରୀଙ୍କ ନିର୍ଦ୍ଦେଶ
କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ
ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ନଶୁଣିବା ପଡ଼ିଲା ମହଙ୍ଗା । ପୁଣି ବନ୍ଦ ହେଲା ବରିଷ୍ଠ ଅଧିକାରୀଙ୍କ ଦରମା । କଟକ ଜିଲ୍ଲାର ୧୪ ଜଣ ବରିଷ୍ଠ ଅଧିକାରୀଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲା ଟ୍ରେଜେରି ଅଧିକାରୀଙ୍କୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର, ସାଲେପୁର, ନିଆଳି, ଆଠଗଡ ଓ ତିଗିରିଆର ବିଡ଼ିଓ ଏବଂ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ, TPCODL, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପିଡି ଡିଆରଡିଏ, କାଠଯୋଡ଼ି ମହାନଦୀ ସିଷ୍ଟମର ମୁଖ୍ୟ ଯନ୍ତ୍ରୀ, ଆରଏଣ୍ଡବି ଡିଭିଜନ ୨, ଆରଡବ୍ଲୁ ଡିଭିଜନ ୧ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ଜନଶୁଣାଣୀ ପୋର୍ଟାଲରେ ଜନତା କରିଥିବା ଅଭିଯୋଗର ସମାଧାନ ନକରିବା ଯୋଗୁଁ ଏମାନଙ୍କ ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରି ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
📱 Get Argus News App
✨ଆହୁରି ପଢନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଫୁ: ୧୧ BEOଙ୍କ ଦରମା ବନ୍ଦ
ସୂଚନାଯୋଗ୍ୟ, ମାସେ ପୂର୍ବରୁ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ବଲାଙ୍ଗିରରେ ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ ।`ଏକ୍ ପେଡ୍ ମା’ କେ ନାମ୍' ଅଭିଯାନରେ ଗଛ ନ ଲଗାଇବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ଵେ BEO ମାନିନଥିବାରୁ ଆକ୍ସନ୍ ନେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ସ୍କୁଲ ମାନଙ୍କରେ ଗଛ ଲଗାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କାର୍ଯ୍ୟକ୍ରମ ତଦାରଖ କରୁ ନଥିବାରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଗଲପୁର ବିଇଓ ତଥା ଲୋଇସିଂହା ଅତିରିକ୍ତ ଦାୟିତ୍ୱ ଶ୍ୟାମ ମେହେର, ସଇଁନ୍ତଲା ବିଇଓ ତଥା ବଲାଙ୍ଗିର ଅତିରିକ୍ତ ଦାୟିତ୍ୱ ଦିଲୀପ ଯୋଶୀ, ଟିଟିଲାଗଡ଼ ବିଇଓ ଆର୍ତ୍ତତ୍ରାଣ ରଥ, ଦେଓଗାଁ ବିଇଓ ମମତା ମାହାଡ଼ିକଙ୍କ ଦରମା ବନ୍ଦ କରାଯାଇଥିଲା ।
ସେହିପରି ଗୁଡ଼ଭେଲା ବିଇଓ ନମିତାରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିହାରୀ, ତୁରେକେଲା ବିଇଓ ଗୌତମ ପଟେଲ, ବେଲପଡ଼ା ବିଇଓ ତଥା ଖପ୍ରାଖୋଲ ଅତିରିକ୍ତ ଦାୟିତ୍ୱରେ ଥିବା ଅଭିନବ ମିଶ୍ର, ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଓ ପୁଇଁନ୍ତଲା ବିଇଓ ରତ୍ନମୟ ପୁରୋହିତଙ୍କ ଦରମା ବନ୍ଦ ପାଇଁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିର୍ଦ୍ଦେଶ ଦେଇଥିଲେ । ଏହି ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା କାର୍ଯ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ ପରେ ଦରମା ପ୍ରଦାନ କରାଯିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା ।
Related Topics
Explore more stories