|
logo
Live
Argus News App
GET APP

Argus News - ରେ..ରେ.. କାର ନାଦ ଦେଇ କଳିଙ୍ଗ ପୁଅ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ିଲେ, ଶତ୍ରୁଙ୍କ ଛାତି ଥରେ...

Odisha

Historic Baliyatra Cuttack / ରେ..ରେ.. କାର ନାଦ ଦେଇ କଳିଙ୍ଗ ପୁଅ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ିଲେ, ଶତ୍ରୁଙ୍କ ଛାତି ଥରେ...

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·3 min read
ରେ..ରେ.. କାର ନାଦ ଦେଇ କଳିଙ୍ଗ ପୁଅ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ିଲେ, ଶତ୍ରୁଙ୍କ ଛାତି ଥରେ...

Key Points

ଗବେଷକ କହୁଛନ୍ତି ସେତେବେଳେ କଳିଙ୍ଗକୁ ସମୃଦ୍ଧ କରିଥିଲା କିଛି ବନ୍ଦର ଆଉ ଛଅଟି ସହର ।

ଉତ୍କଳ, କଳିଙ୍ଗ, ଉଡ୍ର, କଙ୍ଗୋଦ, କୋଶଳ ବର୍ତ୍ତମାନର ଓଡ଼ିଶାର ଏସବୁ ଥିଲା ଐତିହାସିକ ନାଁ। ଇତିହାସର କାଳଖଣ୍ଡରେ ପ୍ରାଚୀନ କଳିଙ୍ଗ ଥିଲା ସମୃଦ୍ଧିର ସମ୍ଭାର। କୁହାଯାଉଥିଲା କଳିଙ୍ଗାଃ ସାହାସିକାଃ। ହାତରେ ହଳଲଙ୍ଗଳ ଧରି ଚାଷବାଷ କରୁଥିବା କଳିଙ୍ଗ ପୁଅ ଯେତେବେଳେ ରେ ରେ କାର ନାଦ ଦେଇ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ୁଥିଲା। ଶତ୍ରୁ ଛାତି ଥରିଯାଉଥିଲା, ଶତ୍ରୁ ଛତ୍ରଭଙ୍ଗ ଦେଉଥିଲା। ଗଙ୍ଗାଠାରୁ ଗୋଦାବରୀ ଯାଏ ବିଜୟ ବାନା ଉଡ଼ାଇଥିଲେ, କଳିଙ୍ଗର ଯୋଦ୍ଧା।

ଚାଷ ଆଉ ଯୁଦ୍ଧରେ ଏ ମାଟିର ପୂର୍ବଜ ଯେତିକି ନିପୁଣ ଥିଲେ ସେତିକି ଅଗ୍ରଣୀ ଥିଲେ ବ୍ୟବସାୟ ବାଣିଜ୍ୟରେ। ସାତ ଦରିଆ ତେର ନଈ ପାର ହୋଇ ବୋଇତରେ ବିଦେଶରୁ ବୋହି ଆଣୁଥିଲେ ଧନରତ୍ନ। ଉତ୍କଳୀୟ ନୌବାଣିଜ୍ୟର ଅପାର କଳା କୌଶଳ ସମଗ୍ର ବିଶ୍ବକୁ ତାଜୁବ କରୁଥିଲା। ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଭାଗ ହିଁ ଥିଲା ସାମୁଦ୍ରିକ ବାଣିଜ୍ୟର ପ୍ରାଣକେନ୍ଦ୍ର।

ବର୍ତ୍ତମାନ ପଶ୍ଚିମବଙ୍ଗରେ ଥିବା ତାମ୍ରଲିପ୍ତୀ ହେଉ ବା ଆନ୍ଧ୍ରରେ ଥିବା କଳିଙ୍ଗପାଟନମ। ଏସବୁ ବନ୍ଦର ଥିଲା କଳିଙ୍ଗର କବ୍‌ଜାରେ। ଏଇ ଦୁଇ ସୀମାରେଖା ଭିତରେ ତୋଷାଳୀ, ପାଲୁର ଏମିତି ଅନେକ ବନ୍ଦର ଥିଲା ନୌବାଣିଜ୍ୟ କାରବାରର ପ୍ରମୁଖ ପେଣ୍ଠ।

କେବଳ ବାଣିଜ୍ୟ ନୁହେଁ କଳିଙ୍ଗର ସାଂସ୍କୃତିକ ବାର୍ତ୍ତାର ପ୍ରଚାର ମଧ୍ୟ ଥିଲା ଅନ୍ୟତମ ଉଦ୍ଦେଶ୍ୟ। ପ୍ରଥମ ଶତାବ୍ଦୀ ହିଁ କହୁଛି କଳିଙ୍ଗର ନୌବାଣିଜ୍ୟର କଥା। 2 ହଜାର ବର୍ଷ ତଳେ ଗ୍ରୀକ୍ ଭୌଗୋଳିକ ଟଲମି ଖୋଜି ପାଇଥିଲେ କଳିଙ୍ଗର ପାଲୁର ବନ୍ଦର। କିନ୍ତୁ ଗବେଷକ ଓ ଐତିହାସିକମାନେ, ଟଲମିଙ୍କ ପୁସ୍ତକର ପାଲୁର ବନ୍ଦରକୁ ଖୋଜିବାରେ ଲାଗିଥିଲେ। କିଏ ଆନ୍ଧ୍ରରେ ଖୋଜୁଥିଲେ ତ କିଏ ଗୁଜରାଟରେ। ହେଲେ ଶେଷରେ ଗଞ୍ଜାମ ଜିଲ୍ଲାର ରମ୍ଭା ଓ ହୁମା ମଝିରେ ଥିବା ପାଲୁର ଯେ, ଐତିହାସିକ ପାଲୁର ବନ୍ଦର ତାର ପ୍ରମାଣ ମିଳିଥିଲା। ପ୍ରତ୍ନତାତ୍ତ୍ୱିକ ଖନନରୁ ଏ ପ୍ରମାଣ ଆହୁରି ସିଦ୍ଧ ହୋଇଥିଲା । ଆଜି ବି ଏଠାକାର ଜମିରୁ ମିଳୁଛି ହାତୀଦାନ୍ତର ସାମଗ୍ରୀ, ରୂପାର ମୁଦ୍ରା ଓ ହୀରା । ଜାତୀୟ ରାଜପଥ କଡରେ ଏବେ ବସୁଥିବା ହୁମାର ହାଟ ପ୍ରାୟ ୨ ହଜାର ବର୍ଷ ତଳର ବୋଲି ପ୍ରମାଣ ବି ମିଳୁଛି ।

ଗବେଷକ କହୁଛନ୍ତି ସେତେବେଳେ କଳିଙ୍ଗକୁ ସମୃଦ୍ଧ କରିଥିଲା କିଛି ବନ୍ଦର ଆଉ ଛଅଟି ସହର । ନାଗାର୍ଜୁନକୋଣ୍ଡାରୁ ମିଳିଥିବା ପୁରାତନ ସାମଗ୍ରୀ ଏବଂ ଉଦୟଗରି, ଲଳିତଗିରି, ରତ୍ନଗିରିର ପ୍ରତ୍ନତାତ୍ୱିକ ପ୍ରମାଣ କହୁଛି ଯେ ରାଧାନଗର, ଶିଶୁପାଳଗଡ଼, ତାଳପଡ଼ା, ଜଉଗଡ଼, ଲାଠି, ଦନ୍ତପୁର ପରି ନଗର ହିଁ ବ୍ୟାବସାୟିକ ପ୍ରାଣକେନ୍ଦ୍ର ଥିଲା । ଆଜି ଯେମିତି ସଡକ ହେଉଛି ଗମନାଗମନର ପ୍ରମୁଖ ମାଧ୍ୟମ, ଠିକ ସେମିତି ସେ ସମୟରେ ଜଳପଥ ଉପରେ ନିର୍ଭର କରୁଥିଲେ ସମସ୍ତେ ।

ମହାନଦୀର ପ୍ରବଳ ସ୍ରୋତ ଯୋଗୁଁ ବୋଇତ ସଵୁ ଚିଲିକା ଦେଇ ସମୁଦ୍ରକୁ ଯାଉଥିଲା । ସେଥିପାଇଁ ଚିଲିକା ଉପକୂଳରେ ଗଢିଉଠିଥିଲା ଅନେକ ଛୋଟବଡ ସହର । ସାଧବ ପୁଅ ଚିଲିକା ଓ ବିଭିନ୍ନ ନଦୀ ଦେଇ ସମୁଦ୍ରକୁ ଯାଉଥିଲେ । ଏବେ ବି ଓଡିଶାର ପ୍ରାଚୀନ ବନ୍ଦରରୁ ରୋମ୍ ନାଗରିକଙ୍କ ଅନେକ ପଦାର୍ଥ, ସାମଗ୍ରୀ ମିଳୁଛି । ସମୃଦ୍ଧ କଳିଙ୍ଗର ଜଳପଥରେ କାରବାର ଏହା ହିଁ ସବୁଠୁ ବଡ଼ ପ୍ରମାଣ । ହୀରା ମାଳିଠାରୁ ସେତେବେଳେ ଆଖିରେ ମହିଳା ଲଗାଉଥିବା ବିଭିନ୍ନ ସାମଗ୍ରୀର ସନ୍ଧାନ ପାଇଛନ୍ତି ଗବେଷକ ।

ବ୍ୟବସାୟ କୌଣସି ନିର୍ଦ୍ଦିଷ୍ଟ ଜାତିରେ ସୀମିତ ନଥିଲା । ଯିଏ ସମୁଦ୍ରକୁ ଯାଉଥିଲା, ତାକୁ କୁହାଯାଉଥିଲା ସାଧବ । କଳିଙ୍ଗର ସାଧବ ପୁଅ ହାତୀଦାନ୍ତ, ଜେମ୍ସଷ୍ଟୋନ, ଝୁଣା ଭଳି ପଦାର୍ଥ ବଉଦ, କୁରୁମଗଡ଼ରୁ ନେଇ ବିଦେଶକୁ ରପ୍ତାନୀ କରୁଥିଲେ । ଏସଵୁ ପଦାର୍ଥ ବିଦେଶରେ ବେଶ୍ ଆଦୃତି ଲାଭ କରୁଥିଲା । ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ସିଂହଳ, ମାଲେସିଆ, କାମ୍ବୋଡିଆ, ଚିନ୍ ଯାଏଁ ପହଁଚୁଥିଲା କଳିଙ୍ଗର ବୋଇତ । ଓଡ଼ିଆ ପୁଅ ବିଦେଶରେ ବ୍ୟବସାୟ କରି, ଧନରତ୍ନ ଆଣି ନିଜ ମାଟି ମାଆକୁ ସମୃଦ୍ଧ କରୁଥିଲେ ।

ଆଜି କାର୍ତ୍ତିକ ପୂର୍ଣ୍ଣମାରେ ଆମେ ଏଇ ଇତିହାସକୁ ମନେପକାଉଛୁ, ଡଙ୍ଗା ଭସାଉଛୁ, ଆକାମାବୈ ଡାକୁଛୁ, ବାଲିଯାତ୍ରା କରୁଛୁ । ଆଉ ଅତୀତର ସ୍ମୃତି ରୋମନ୍ଥନ କଲାବେଳେ ମନେପଡୁଛି, ଆମ ନୌବାଣିଜ୍ୟ, ବିଶ୍ବକୁ ବାଟ ଦେଖାଇଛି । ଆମ ସାଧବ ପୁଅର ବ୍ୟବସାୟର କଳା ଅନ୍ୟମାନେ ଶିଖିଛନ୍ତି । ଶେଷରେ ଗୋଟିଏ କଥା ଅତୀତର କର୍ପୁର ସିନା ଉଡିଯାଇଛି, ହେଲେ କନା ତ ପଡି ରହିଛି । ଆଉ ଏ କନାକୁ ପୁଣି କର୍ପୁର ସହ ଯୋଡିବାକୁ ଆମକୁ ଆଗକୁ ଆସିବାକୁ ପଡିବ, ଅଣ୍ଟା ଭିଡିବାକୁ ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Baliyatra Cuttack: ରେ..ରେ.. କାର ନାଦ ଦେଇ କଳିଙ୍ଗ ପୁଅ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ିଲେ, ଶତ୍ରୁଙ୍କ ଛାତି ଥରେ... | Argus News