Cabinet Decisions: ଦେଶରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ମଞ୍ଜୁରୀ, ଓଡ଼ିଶାରେ ହେବ ୨ଟି ୟୁନିଟ୍

Key Points
ଦେଶରେ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ
ରାଜ୍ୟରେ ସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍
୨୦୩୪ ଜଣ କୁଶଳୀ ବୃତ୍ତିଗତଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା
ଭୁବନେଶ୍ଵର/ନୂଆଦିଲ୍ଲୀ: ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ରାଜ୍ୟରେ ସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ । ଦେଶରେ ମୋଟ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ ମିଳିଛି । ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ମଧ୍ୟରୁ ଓଡ଼ିଶାରେ ୨ଟି ୟୁନିଟ୍ ସ୍ଥାପନ କରାଯିବ । ୪ଟି ସେମିକଣ୍ଡକ୍ଟର ୟୁନିଟରେ ମୋଟ ୪୬୦୦ କୋଟି ବ୍ୟୟ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ପୂର୍ବରୁ ଦେଶରେ ୬ଟି ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ ମିଳି ସାରିଛି । ଏବେ ଅନୁମୋଦନ ମିଳିଥିବା ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ SiCSem, CDIL, 3D Glass Solutions Inc. ଏବଂ ASIP ଟେକ୍ନୋଲୋଜି ସ୍ଥାପନ କରିବ । ଏହି ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୪ ହଜାର ୬୦୦ କୋଟି ଟଙ୍କା ବ୍ୟୟ କରାଯିବ । ଯେଉଁଥିରେ ୨୦୩୪ ଜଣ କୁଶଳୀ ବୃତ୍ତିଗତଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି ।
ଏବେ ଟେଲିକମ, ଅଟୋମୋଟିଭ, ଡାଟାସେଣ୍ଟର, କଞ୍ଜୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ସେମିକଣ୍ଡକ୍ଟର ଚାହିଦା ବଢ଼ୁଛି । ଏବେ ନୂଆ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଚାହିଦା ପୂରଣ କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢ଼ାଇ ନେବ ।
ଓଡ଼ିଶାରେ SiCSem ଏବଂ 3D Glass ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବେ । ୨ଟି ଯାକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଭୁବନେଶ୍ଵର ଇନଫୋ ଭ୍ୟାଲିରେ ହେବ । ଭୁବନେଶ୍ଵରରେ SiCSem କରିବାକୁ ଥିବା ସିଲିକନ କାରବାଇଡ୍ (SiC) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର ମିସାଇଲ୍, ସୈନ୍ୟ ଉପକରଣ, ବୈଦ୍ୟୁତିକ ଗାଡ଼ି, ରେଲୱେ, ଫାଷ୍ଟ ଚାର୍ଜର୍ସ, ଡାଟା ସେଣ୍ଟର ସହ ସୋଲାର ପାୱାର ଇନଭର୍ଟର୍ସରେ ଲାଗିବ । କମ୍ପାନୀ ବାର୍ଷିକ ୬୦ ହଜାର ୱାଫର୍ସ ଏବଂ ୯୬ ମିଲିୟନ ୟୁନିଟ୍ ପ୍ୟାକେଜିଂ କ୍ଷମତା ଲକ୍ଷ୍ୟ ରଖିଛି ।
📱 Get Argus News App
✨
ସେହିଭଳି 3D Glass Solutions Inc. (3DGS) ପକ୍ଷରୁ ଭର୍ଟିକାଲ ଇଣ୍ଟିଗ୍ରେଟେଡ୍ ଆଡଭାନ୍ସଡ୍ ପ୍ୟାକେଜିଂ ଏବଂ ଏମ୍ବେଡେଡ୍ ଗ୍ଲାସ୍ ସବଷ୍ଟ୍ରେଟ୍ ୟୁନିଟ୍ ଇନଫୋ ଭ୍ୟାଲିରେ ସ୍ଥାପନ ହେବ । ଏହାଦ୍ୱାରା ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଆଧୁନିକ ଉନ୍ନତ ପ୍ୟାକେଜିଂ ସୁବିଧା ମିଳିବ । ଏହି ୟୁନିଟରେ ୬୯ ହଜାର ୬୦୦ ଗ୍ଲାସ ପ୍ୟାନେଲ୍ ସବଷ୍ଟ୍ରେଟର୍ ୫୦ ମିଲିଯନ ଆସେମ୍ବଲଡ୍ ୟୁନିଟ ଏବଂ ୧୩ ହଜାର ୨୦୦ DHI ମଡ୍ୟୁଲ୍ ବାର୍ଷିକ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି ।