Nuapada By Election / ସରିଆସୁଛି ପ୍ରଚାର, ହାତରେ ମାତ୍ର ଆଉ ଗୋଟିଏ ଦିନ...

Key Points
ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି ।
କମ୍ପୁଛି ନୂଆପଡ଼ା ପ୍ରଚାର ମଇଦାନ । ଶନିବାର ପୁଣି ରଣଭୂମିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ରୋଡ୍ ସୋ ସହ ଜନସଭା କରିବେ ମୋହନ ମାଝୀ । ଶେଷ ଦୁଇ ଦିନ ପ୍ରଚାରରେ ବିରୋଧୀ ବିଜେଡି ଓ କଂଗ୍ରେସ ବି ଲଗାଇବେ ସବୁ ବଳ । ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନରେ ବଳ କଷୁଛନ୍ତି ସବୁ ଦଳର ମୁଖିଆ । ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାର ପରେ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କୁ ଧରି ପ୍ରଚାର କରିବେ । ବିଭିନ୍ନ ସ୍ଥାନରେ ରୋଡ୍ ସୋ ସହ ଜନସଭାକୁ କରିବେ ସମ୍ବୋଧନ । ସେପଟେ କଂଗ୍ରେସ ମଧ୍ୟ ଜାରି ରଖିଛି ପ୍ରଚାର । ନୂଆପଡ଼ାର ବିଭିନ୍ନ ଗାଁରେ ଡେରା ପକାଇଛନ୍ତି ପିସିସି ସଭାପତି, ପୂର୍ବତନ ସଭାପତିଙ୍କ ସମେତ ବହୁ ଛାମୁଆ ନେତା ।
ଅନ୍ୟପଟେ ଦେଖିବାକୁ ଗଲେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ ପ୍ରେସମିଟ୍ କରି କହିଛନ୍ତି, "୯ ତାରିଖ ସନ୍ଧ୍ୟା ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ ।" ସେହି ୪୮ ଘଣ୍ଟା ସମସ୍ତ ନିୟମ ମାନିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ ଆରମ୍ଭର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି ।
ନୀରବ ଅବଧି (ସାଇଲେନ୍ସ ପିରିୟଡ୍)
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।
ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ଥାନ
ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
ନୂଆପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ
କ) କଲ୍ୟାଣ ମଣ୍ଡପ/କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଞ୍ଚଳର ଲୋକ ରହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବେ ।
ଖ) ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକା ଯାଞ୍ଚ କରିବେ ।
ଗ) ସୀମାନ୍ତରେ ଚେକ୍ ପୋଷ୍ଟ ସ୍ଥାପନ କରି ନିର୍ବାଚନ ମଣ୍ଡଳୀ ବାହାରର ଯାନବାହାନ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।
ଘ) ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।
ଅସୁସ୍ଥତା କ୍ଷେତ୍ରରେ
ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ଵ ଚିକିତ୍ସା ନିମନ୍ତେ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଯାଞ୍ଚ କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ବ୍ୟକ୍ତି ଭିଡିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟ କଳାପରୁ ବିରତ ରହିବେ ।
ସାଧାରଣ ସଭା ଓ ପ୍ରଚାର ଉପରେ ପ୍ରତିବନ୍ଧକ
ଜନପ୍ରତିନିଧିତ୍ୱ ଆଇନ୍, ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।
📱 Get Argus News App
✨Related Topics
Explore more stories