Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nayagarh Sugar factory / ନୟାଗଡ଼ ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ଚିନିକଳ ପାଇଁ ନେଲେ ପଦକ୍ଷେପ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ନୟାଗଡ଼ ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ଚିନିକଳ ପାଇଁ ନେଲେ ପଦକ୍ଷେପ
CM Mohan Majhi With Amit Shah

Key Points

ପରବର୍ତ୍ତୀ ସମୟରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହା ବନ୍ଦ ହୋଇଗଲା।

ନୟାଗଡ଼ ଚିନି କଳ ପାଇଁ ପାଦ ବଢ଼ାଇଲେ ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ଭିଡ଼ିଲେ ଅଣ୍ଟା । ଆଖୁ ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ନୟାଗଡ଼ରେ ଚିନି କଳ ପ୍ରତିଷ୍ଠା ପାଇଁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଲେ ଚିଠି । ସେଥିରେ ସେ ଚିନିକଳ ପ୍ରତିଷ୍ଠା କରିବାକୁ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ନୟାଗଡ଼ ଓ ଏହାର ଆଖପାଖ ଜିଲ୍ଲାରେ ପାଖାପାଖି ୨୦ ହଜାରରୁ ଅଧିକ ଆଖୁଚାଷୀ ଅଛନ୍ତି। ଦୀର୍ଘଦିନ ଧରି ସେମାନେ ଏକ ଚିନିକଳ ପ୍ରତିଷ୍ଠା ପାଇଁ ଦାବି କରିଆସୁଛନ୍ତି। ୧୯୮୮ରେ ଏଠାରେ ଏକ ଚିନିକଳ ପ୍ରତିଷ୍ଠା ହୋଇଥିବା ବେଳେ, ବାର୍ଷିକ ପ୍ରାୟ ୧ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ ଆଖୁରୁ ଚିନି ଉତ୍ପାଦନ ହେଉଥିଲା। ଯାହା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଖୁଚାଷୀଙ୍କୁ ଅର୍ଥିକ ସ୍ବଚ୍ଛଳ କରିପାରିଥିଲା।

ପରବର୍ତ୍ତୀ ସମୟରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହା ବନ୍ଦ ହୋଇଗଲା। ତେଣୁ ଏଠାରେ ଏକ ନୂଆ ଚିନିକଳ ପ୍ରତିଷ୍ଠା ହେଲେ ଆଖୁଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ। ଚିନି ଉତ୍ପାଦନ ସହ ଗୁଡ଼ ଓ ଇଥାନଲ ଭଳି ଅନ୍ୟାନ୍ୟ ପ୍ରକଳ୍ପ ପ୍ରତିଷ୍ଠାରେ ମଧ୍ୟ ଏହା ସହାୟକ ହେବ। ସେପଟେ ଚିକିକଳ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ସମ୍ବିତ ପାତ୍ର । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଚିନିକଳ ସ୍ଥାପନ ହେବ । ଚିନି କଳ ସ୍ଥାପନା ପ୍ରକ୍ରିୟାକୁ ଔପଚାରିକ ଭାବରେ ଆଗକୁ ବଢ଼ାଯାଇଛି । 

ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ଉଠିଆସୁଛି । ଏଥିପାଇଁ ଅନେକ ଥର ନୟାଗଡ଼ ବନ୍ଦ ମଧ୍ୟ କରାଯାଇଛି । ଏମିତିକି ନିର୍ବାଚନ ଆସିଲେ ନୟାଗଡ଼ ଚିନିକଳ ଏକ ବଡ଼ ମୁଦ୍ଦା ରହିଥାଏ । ପ୍ରତ୍ୟେକ ଦଳ ନୟାଗଡ଼ରେ ଚିନିକଳ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥାନ୍ତି । ଗତ ୨୪ ବର୍ଷର ବିଜେଡି ସରକାର ମଧ୍ୟ ଏହି ପ୍ରତିଶ୍ରୁତି ଦେଇ ଆସୁଥିଲା । କିନ୍ତୁ କୌଣସି ପ୍ରକାର ପଦକ୍ଷେପ ନେଇନଥିଲା । କେବଳ ନିର୍ବାଚନ ଆସିଲେ ଚିନିକଳ କଥା ମନେ ପଡ଼େ । ତାପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ।

ଏହି ଚିନିକଳ ଦାବି ଉଠାଇ ଅନେକ ଥର ନୟାଗଡ଼ର ଚାଷୀମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମଧ୍ୟ ଧାରଣା ଦେଇଛନ୍ତି । ନୟାଗଡ଼ କଲେକ୍ଟର ଅଫିସ ଆଗରେ ମଧ୍ୟ ବଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। କିନ୍ତୁ ଫଳ ଶୂନ । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁଣିଲେ ଚାଷୀଙ୍କ ଦୁଃଖ । ଚିନିକଳ ପାଇଁ ନେଲେ ବଡ଼ ପଦକ୍ଷେପ । ନୂଆ ଚିନିକଳ ସ୍ଥାପନା ହେଲେ ନାୟଗଡ଼ବାସୀ ଖୁବ୍‌ ଉପକୃତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nayagarh Sugar factory | CM Mohan Majhi understands the suffering of Nayagarh farmers, takes steps for sugar mill | Argus News