Naba Das / ନବ ଦାସ ହତ୍ୟା ମାମଲା: ବିଜେଡି ନେତ୍ରୀ ଦୀପାଳିଙ୍କ ବୟାନକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ

Key Points
ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ।
ଶ୍ରାଦ୍ଧବାର୍ଷିକୀରେ ଝିଅ ଦୀପାଳିଙ୍କ ବୟାନ ନେଇ ବିବାଦ ।
ମଧ୍ୟାହ୍ନ 12.27ରେ ବାପା କଲ୍ କରିଥିବା କହିଲେ ଦୀପାଳି ।
ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡି ନେତା ନବ ଦାସଙ୍କୁ ଗୁଳି ମାଡ଼ ଘଟଣାକୁ ପୁରିଲା ତିନି ବର୍ଷ । ଆଜି ଝାରସୁଗୁଡ଼ାରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ପାଳନ ହୋଇଛି ତାଙ୍କର ଶ୍ରଦ୍ଧାବାର୍ଷିକୀ । ତେବେ ଏହି କାର୍ଯ୍ୟକ୍ରମରେ ନବଙ୍କ ଝିଅ ତଥା ବିଜେଡି ନେତ୍ରୀ ଦୀପାଳିଙ୍କ ବୟାନକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ।
ଦୀପାଳି କହିଛନ୍ତି ଘଟଣାଦିନ ମଧ୍ୟାହ୍ନ ୧୨ଟା ୨୭ରେ ତାଙ୍କୁ କଲ୍ କରିଥିଲେ ବାପା ନବ ଦାସ । ଆଉ ଦିନ ୧୨ଟା ୪୫ ରେ ବାପାଙ୍କୁ ହୋଇଥିଲା ଗୁଳିମାଡ଼ । କିନ୍ତୁ ନବ ଦାସ ହତ୍ୟା ଘଟଣାରେ ପୋଲିସର FIR କପି କହୁଛି ନବ ଦାସଙ୍କୁ ମଧ୍ୟାହ୍ନ ୧୨ ଟା ୧୫ରେ ହୋଇଥିଲା ଗୁଳିମାଡ଼ ।
ପ୍ରଶ୍ନ ହେଲା ଯଦି ପୋଲିସ କହୁଛି ନବ ଦାସଙ୍କୁ ୧୨ଟା ୧୫ରେ ଗୁଳି ହୋଇଥିଲା, ତେବେ ସେ କେମିତି ୧୨ଟା ୨୭ରେ ଝିଅ ଦୀପାଳିଙ୍କୁ ଫୋନ୍ କଲେ । ଦୀପାଳିଙ୍କ ଏମିତି ବୟାନ ଏବେ ଆସିଛି ପ୍ରଶ୍ନ ଘେରକୁ । ଏବେ ବି ସନ୍ଦେହ ଘେରରେ ରହିଛି ନବ ଦାସ ହତ୍ୟା ମାମଲା ।
ସେତେବେଳେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିବାବେଳେ ସନ୍ଦେହ ଘେରରେ ଥିଲା ତତ୍କାଳୀନ ବିଜେଡି ସରକାରର ଆଭିମୁଖ୍ୟ । ବାପାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ବଦଳରେ ପୁରା ଚୁପ୍ ରହିଥିଲେ ଦୀପାଳି । ପୁଣି ଦୀପାଳି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାୟିକା ହେଲେ। ତା ପରେ ବି ବାପାଙ୍କ ହତ୍ୟାକାଣ୍ଡ ନେଇ ଚୁପ୍ ରହିଥିଲେ ଦୀପାଳି ।
ମାଆ ଓ ଭାଇ ଷଡ଼ଯନ୍ତ୍ର କଥା କହିଲେ, ହେଲେ ଦୀପାଳି ନିରବ ରହିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପରିବାର ସହ ଦୀପାଳି, ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ।
ତେବେ ବିଜେପି ସରକାର ଗତ ବର୍ଷ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ମାମଲାର ସାନି ତଦନ୍ତ କରାଯାଇ ଯେଉଁ ଦିଗରେ ତଦନ୍ତ କରି ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି ।
ଏବେ ପ୍ରଶ୍ନ କାହିଁକି ବିଜେଡି ସରକାର ବେଳେ ଚୁପ୍ ଥିଲେ ସେତେବେଳର ବିଧାୟିକା ? କାହିଁକି CBI ତଦନ୍ତ ପାଇଁ ନବୀନଙ୍କ ପାଖରେ ଦାବି କଲେନି ? ଯଦି ଦୀପାଳି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତେବେ ହାଇକୋର୍ଟରେ କାହିଁକି ସିବିଆଇ ତଦନ୍ତ ନେଇ ଦାବି କରୁନାହାନ୍ତି ? କାହିଁକି ତ୍ଵରିତ ଶୁଶାଣି ପାଇଁ ନେଉନାହାନ୍ତି ଅଦାଲତର ଆଶ୍ରୟ ?
📱 Get Argus News App
✨Related Topics
Explore more stories