Sarthak Missing / ଜାହାଜରେ ଫିଜିକାଲ୍ ସର୍ଚ୍ଚ ପାଇଁ ପରିବାର ଲୋକଙ୍କୁ ସହଯୋଗ କଲାନି ଜାହାଜ କମ୍ପାନୀ

Key Points
ଓଡ଼ିଆ ନାବିକ ସାର୍ଥକ ମହାପାତ୍ର ନିଖୋଜ ଘଟଣା
ଜାହାଜରେ ଫିଜିକାଲ୍ ସର୍ଚ୍ଚ ପାଇଁ ପରିବାର ଲୋକଙ୍କୁ ସହଯୋଗ କଲାନି ଜାହାଜ କମ୍ପାନୀ
ସିଙ୍ଗାପୁର ହାଇକମିଶନଙ୍କୁ ଭେଟି ଆଲୋଚନା କଲେ ସାର୍ଥକଙ୍କ ମାଆ ଓ ମାମୁଁ
ମିଳିଲା ପ୍ରତିଶ୍ରୁତି, ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ
ଏପଟେ ସିପିଂ କମ୍ପାନୀର ସନ୍ଦିଗ୍ଧ କାମ ନେଇ ସାର୍ଥକଙ୍କ ଜେଜେ ମା' କଲେ ସାଂଘାତିକ ଖୁଲାସା
ଗଡୁଛି ଦିନ... ବଢୁଛି ସସପେନ୍ସ । ଓଡ଼ିଆ ମର୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣା ନେଇଛି ନୂଆ ମୋଡ଼ । ପରିବାର ଲୋକେ ସମ୍ପୃକ୍ତ ଜାହାଜର ଫିଜିକାଲ ସର୍ଚ୍ଚ ସମୟରେ ଜାହାଜର କର୍ମଚାରୀ କୌଣସି ସହଯୋଗ କରିନାହାନ୍ତି । ସିଙ୍ଗାପୁର ହାଇ କମିଶନରଙ୍କୁ ଭେଟି ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି । ଏପଟେ ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ବଡ଼ ଖୁଲାସା କରିଛନ୍ତି ସାର୍ଥକଙ୍କ ଜେଜେ ମା' ।
ପ୍ରାୟ ୧୩ ଦିନ ହେଲାଣି । ମରିସସରୁ ସିଙ୍ଗାପୁର ଯାଉଥିବା ଜାହାଜରୁ ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କର ଏ ଯାଏଁ ମିଳିନାହିଁ କିଛି ପତ୍ତା । ସାର୍ଥକଙ୍କୁ ଠାବ କରିବାକୁ ପରିବାରରୁ ନେଇ ସରକାର ସମସ୍ତେ କରୁଛନ୍ତି ଉଦ୍ୟମ । ଅନ୍ୟପଟେ ଘଟଣାରେ ଆସିଛି ନୂଆ ମୋଡ଼ । ଗତକାଲି ସନ୍ଧ୍ୟାରେ ସିଙ୍ଗାପୁର ବନ୍ଦରରେ ଥିବା ସମ୍ପୃକ୍ତ ଜାହାଜକୁ ଯାଇଥିଲେ ସାର୍ଥକଙ୍କ ମା ଓ ମାମୁଁ । ସାଙ୍ଗରେ ଥିଲେ DG ସିପିଂର ଦୁଇ ଜଣ ବରିଷ୍ଠ ଅଧିକାରୀ । ପ୍ରାୟ ୪୫ ମିନିଟ ଧରି ଜାହାଜରେ ସେମାନେ ଖୋଜାଖୋଜି କଲେ । କିନ୍ତୁ ସାର୍ଥକଙ୍କ ମାମୁଁ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ଜାହାଜରେ ଫିଜିକାଲ ସର୍ଚ୍ଚ କରିବାରେ ସହଯୋଗ କଲାନାହିଁ ଜାହାଜ କମ୍ପାନୀ । କେବଳ ସାର୍ଥକଙ୍କ ଚ୍ୟାମ୍ବର ଓ ରୁମ୍ ଛଡ଼ା ସେମାନଙ୍କୁ ଜାହାଜର ଅନ୍ୟ କୌଣସି ସ୍ଥାନକୁ ଛଡ଼ା ଗଲାନାହିଁ, କିମ୍ବା କୌଣସି କର୍ମଚାରୀଙ୍କ ସହ କଥା ହେବାକୁ ଦିଆଗଲାନାହିଁ ଅନୁମତି । ଏତିକି ନୁହେଁ କମ୍ପାନୀ କର୍ମଚାରୀ ଜାହାଜରେ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ସାର୍ଥକଙ୍କ ମାମୁଁ ।
ଅନ୍ୟପଟେ ଆଜି ସିଙ୍ଗାପୁରରେ ହାଇ କମିଶନଙ୍କୁ ଭେଟି ୪୫ ମିନିଟ ଯାଏଁ ଆଲୋଚନା କରି ସବୁ କଥା ଜଣାଇଥିଲେ ସାର୍ଥକଙ୍କ ପରିଜନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ଏବଂ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହାଇ କମିଶନର ।
ଏପଟେ ସମ୍ପୃକ୍ତ ଜାହାଜ କମ୍ପାନୀର ସନ୍ଦିଗ୍ଧ କାମ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସାର୍ଥକଙ୍କ ପରିବାର ଲୋକେ। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ତାଙ୍କ ଜେଜେମା କହିଛନ୍ତି ପୂର୍ବରୁ ବି ସମ୍ପୃକ୍ତ ଜାହାଜରୁ ନିଖୋଜ ହୋଇଛନ୍ତି ସାର୍ଥକଙ୍କ ଭଳି ଅନେକ ନାବିକ। ଅନ୍ୟ ନିଖୋଜ ଅଫିସରଙ୍କ ପରିବାର ଲୋକେ ସମ୍ପୃକ୍ତ ଜାହାଜ କମ୍ପାନୀର କେଳେଙ୍କାରୀ ବିଷୟରେ ଜଣାଇଛନ୍ତି । ସାର୍ଥକଙ୍କୁ ପ୍ରମୋସନ ଦେବା କଥା କହି ଗତ ୧୫ ଦିନ ଧରି ୟୁନିଫର୍ମ ନ ପିନ୍ଧିବାକୁ କୁହାଯାଇଥିଲା । ସାର୍ଥକଙ୍କୁ ଜାହାଜର କ୍ୟାଣ୍ଟିନ୍ ନ ଯିବାକୁ ଥିଲା ନିର୍ଦ୍ଦେଶ, ତାଙ୍କ ରୁମକୁ ଆସୁଥିଲା ଖାଦ୍ୟ ।
ପରିବାର ଲୋକଙ୍କ ଏ ସାଂଘାତିକ ଅଭିଯୋଗ ପରେ ଜାହାଜ କମ୍ପାନୀ ଉପରେ ବଢ଼ିବାରେ ଲାଗିଛି ସନ୍ଦେହ । ଅନ୍ୟପଟେ ସମୟ ଯେତେ ଗଡୁଛି ସେତେ ଅଧିକ ବଢୁଛି ପରିବାରଲୋକଙ୍କ ଆଶଙ୍କା ଓ ଭୟ ।
📱 Get Argus News App
✨Related Topics
Explore more stories