Nuapada By Election / ପୁରୁଣା କଥା ମନେ ପକାଇଲେ ଜୟ ଢୋଲକିଆ...

Key Points
ପୁଣି ବିଜେଡି ଉପରେ ବର୍ଷିଲେ ନୂଆପଡ଼ା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତାଙ୍କ ବାପା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡିର ଅସମ୍ମାନ ପ୍ରସଙ୍ଗରେ ସେ ପୁଣି ଶଙ୍ଖ ଦଳକୁ ସମାଲୋଚନା କରିଛନ୍ତି।
ଜୟ ଢୋଲକିଆ କହିଛନ୍ତି, 'ମୋ ବାପା ଥରେ ଚେନ୍ନାଇ ଓ ଥରେ ମୁମ୍ବାଇରେ ଚିକିତ୍ସା ହୋଇଥିଲେ । କିନ୍ତୁ ବିଜେଡିର କେହି ବି ନେତା କଥା ହୋଇନଥିଲେ କି ପଚାରିନଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ଯୋଗାଯୋଗ କରିନଥିଲେ। ଖରିଆର ରୋଡ ଶ୍ରଦ୍ଧାଞ୍ଜଳି ପ୍ରସ୍ତୁତି ସଭାକୁ ବି ମୋତେ ଡାକିନଥିଲେ। ୧୫ ହଜାରରୁ ୨୦ ହଜାର ଲୋକ ନଖାଇ ଫେରିଗଲେ' ।
ନୂଆପଡ଼ାବାସୀଙ୍କୁ ସମ୍ବୋଧନ କରି ଜୟ ଢୋଲକିଆ କହିଛନ୍ତି, 'ଯେଉଁ ଲୋକ ସାରା ଜୀବନ ଦଳ ପାଇଁ ଉତ୍ସର୍ଗ କରିଥିଲେ, ତାଙ୍କୁ ବିଜେଡି ସମ୍ମାନ ଦେଲାନି । ସେ ଦଳ ଆପଣଙ୍କୁ କଣ ସମ୍ମାନ ଦେବ । ବିଜେଡି ସଭାପତି ନବୀନ ପଟ୍ଟନାୟକ, ଶ୍ରାଦ୍ଧଞ୍ଜଳି ସଭାକୁ ଆସିଲେନି କିନ୍ତୁ ଉପନିର୍ବାଚନ ପ୍ରଚାରକୁ ଆସିଲେ। ଏବେ ଭାରତର ସବୁଠୁ ବଡ଼ ପରିବାର ମୋଦି ପରିବାର ସହ ଢୋଲକିଆ ପରିବାର ଯୋଡ଼ି ହୋଇଛି । କେବେ ବି ନୂଆପଡ଼ାବାସୀଙ୍କ ବିଶ୍ଵାସ ଭାଙ୍ଗିବେ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଜୟ ଢୋଲକିଆ।
ଅନ୍ୟପଟେ ଯେଉଁଠି କେବେ କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନଥିଲା ସେଠି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପାଦ ପଡ଼ିଲା । ୩ ହଜାର ଫୁଟ ଉଚ୍ଚରେ ରହୁଥିବା ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ପାଖରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚକୋଟିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମାଆ ସୁନାଦେଇଙ୍କ ପାଖରେ କରିଥିଲେ ପୂଜାର୍ଚ୍ଚନା। ପରେ ସାଧାରଣ ସଭାରେ ଆଦିମ ଅଧିବାସୀଙ୍କୁ ସେମାନଙ୍କ ସମସ୍ୟା ଦୂର ପାଇଁ ଦେଇଥିଲେ ଭରସା। ସୁନାବେଡା ଓ ସୋସଙ୍ଗ ପଞ୍ଚାୟତରେ ରହୁଥିବା ଲୋକଙ୍କ ପାଖରେ କାହିଁକି ପହଁଞ୍ଚିପାରିନି ମୌଳିକ ସୁବିଧା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲମ୍ବା ସମୟ ଶାସନ ଗାଦିରେ ଥିବା ନବୀନଙ୍କୁ ପଚାରିଥିଲେ ପ୍ରଶ୍ନ। ଓଡ଼ିଆ କହି ପାରୁନଥିବାରୁ ନବୀନ ସୁନାବେଡ଼ା ଆସିନଥିଲେ ବୋଲି କହି ଟାର୍ଗେଟ କରିଥିଲେ ମୋହନ ।
ଦେଖନ୍ତୁ ଏହି ଖବର: ନବୀନଙ୍କ ସନ୍ତାନ ଥିଲେ ଅସୁସ୍ଥ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?: ଶ୍ରୀମୟୀ ମିଶ୍ର
ଏହାସହ ସୁନାବେଡ଼ାରେ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ନକୁଳ ରାମ ମାଝୀଙ୍କ ଘରେ ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟାହ୍ନ ଭୋଜନ। ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆତିଥ୍ୟ ଦେଇ ବେଶ ଖୁସି ଚକୋଟିଆ ଭୁଞ୍ଜିଆ ଆଦିମ ଅଧିବାସୀ । ସୁନାବେଡ଼ାରୁ ନୂଆପଡ଼ା ଫେରି ମୁଖ୍ୟମନ୍ତ୍ରୀ କରିଥିଲେ ବିରାଟ ରୋଡ ଶୋ । ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ଶୋ କରି ଜୟଙ୍କ ପାଇଁ ଭୋଟ ମାଗିଥିଲେ ମୋହନ ମାଝୀ।
ଏପଟେ ପ୍ରଚାର ମଇଦାନରେ ଝାଳ ବୁହାଉଥିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ। କୋମନା, ବେଲଟୁକୁରୀ, କୋନାବେରାରେ ପ୍ରଚାର କରିଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ। ହାତରେ କମ ସମୟ ଥିବାରୁ ଘର ଘର ବୁଲି ପ୍ରଚାର କରିବା ସହ ପଥପ୍ରାନ୍ତ ସଭାକରି ସ୍ନେହାଙ୍ଗୀନି ମାଗିଥିଲେ ଭୋଟ। ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ମଧ୍ୟ ଅନ୍ୟ ନେତାଙ୍କ ସହ ମିଶି ବିଭିନ୍ନ ସ୍ଥାନରେ କରିଥିଲେ ପ୍ରଚାର।
📱 Get Argus News App
✨Related Topics
Explore more stories