Murder / ଝିଅ ସହ ମିଶି ମାଆ ମାରିଦେଲା ସମୁଦୁଣୀକୁ !

Key Points
ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି ।
ପୁଣି ଏକ ପାରିବାରିକ କଳହକୁ ନେଇ ଜଘଣ୍ୟ କାଣ୍ଡ । ଚାଲିଗଲା ନୀରିହ ଜୀବନ । ଶାଶୁକୁ ହତ୍ୟା କଲା ବୋହୂ । ଏଭଳି ଅଭିଯୋଗ ଆସିଛି ଅନୁଗୁଳ ସଦର ଥାନା ଖଲାରି ଅଞ୍ଚଲରୁ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ କାହ୍ନୁ ନାୟକ । କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ।
ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ। ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା। ପୋଲିସ ବୋହୂ ଏବଂ ତାଙ୍କ ମା'ଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି ।
ଅନ୍ୟପଟେ ଏମିତି ଆଉ ଏକ ଜଘଣ୍ୟ କାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ରାସ୍ତାରେ ବାଇକ୍ ରଖାକୁ କେନ୍ଦ୍ର କରି ସାନ ଭାଇର ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ମାନକୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ମାନକୁଣ୍ଡା ଗାଁର ବଡ଼ ଭାଇ ସନିଆ ମାଝୀ ଓ ସାନ ଭାଇ ପବନ ମାଝୀଙ୍କ ମଧ୍ୟରେ ରାସ୍ତା ଉପରେ ବାଇକ୍ ରଖାକୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜି ଥିଲା। ଗଣ୍ଡଗୋଳର ଉଗ୍ର ରୂପ ନେଇ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ପରସ୍ଥିତି ସୃଷ୍ଟି ହେଇଥିଲା। ସେହି ଗଣ୍ଡଗୋଳରେ ବଡ଼ ଭାଇ ସନିଆ ମାଝୀ ଗୁରୁତର ଅବସ୍ଥାରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେଇଛି। ଘଟଣା ବାବଦରେ ଅଭିଯୋଗ ପାଇ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାନ ଭାଇ ପବନକୁ ଉଠେଇ ଆଣି ଅଧିକ ତଦନ୍ତ କରୁଛି।
📱 Get Argus News App
✨Related Topics
Explore more stories