Nuapada By Election / ଲାଗିଲା ନିର୍ବାଚନ ଆଚରଣବିଧି, ତେଜିଲା ରାଜନୈତିକ ଘମାସାନ !

Key Points
ନୂଆପଡ଼ା ଉପନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା
ନଭେମ୍ବର ୧୧ରେ ଭୋଟ୍, ୧୪ରେ ହେବ ମତ ଗଣନା
୧୩ ଅକ୍ଟୋବରରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା ସହ ନୂଆପଡ଼ା ଉପ ନିର୍ବାଚନ ପାଇଁ ବାଜିଛି ବିଗୁଲ । ନଭେମ୍ବର ୧୧ରେ ହେବ ନୂଆପଡ଼ା ଉପନିର୍ବାନ ଭୋଟ୍। ୧୪ ନଭେମ୍ବରରେ ଭୋଟ୍ ଗଣତି ସହ ହେବ ଫଳ ପ୍ରକାଶ । ୧୩ ଅକ୍ଟୋବରରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞାପ୍ତି ପ୍ରକାଶ ପାଇବ । ଏଥିସହ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ୨୦ ଅକ୍ଟୋବର ପ୍ରାର୍ଥୀପତ୍ର ଦାଖଲର ରହିଛି ଶେଷ ତାରିଖ। ୨୨ରେ ହେବ ପ୍ରାର୍ଥୀ ପତ୍ର ଯାଞ୍ଚ । ୨୪ ଅକ୍ଟୋବର ହେଉଛି ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ ।
ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ାରେ ଜୋର ଧରିସରିଛି ରାଜନୈତିକ ଗତିବିଧି। ନୂଆପଡ଼ାରେ ପ୍ରଭାବ ବିସ୍ତାର ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି ୩ ମୁଖ୍ୟ ଦଳ। ସୋମବାର ନୂଆପଡା ଗସ୍ତରେ ଯାଇ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ସେଥିମଧ୍ୟରୁ ୬୪ କୋଟି ୨ ଲକ୍ଷ ଟଙ୍କା ବିନିଯୋଗରେ ୧୦୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ୧୫୯ କୋଟି ୭୬ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏବଂ ୭୫ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରାଯିବ।
ତାସହିତ ନୂଆପଡା ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଖରିଆର ରୋଡକୁ ମୁନିସପାଲଟି ଏବଂ କୋମନାକୁ ଏନଏସି ମାନ୍ୟତା ନେଇ ଘୋଷଣା କରିଛନ୍ତି ମୋହନ। ସିନାପାଲି ଗ୍ରାମପଞ୍ଚାୟତ ଓ ଗୋଡାଲ ଗ୍ରାମପଞ୍ଚାୟତକୁ ମିଶାଇ ଏହି ଏନଏସି ଗଠନ ହେବ । ସେହିପରି ନୂଆପଡା ତହସିଲ ଅଧିନରେ ୩ଟି ସ୍ଥାନ ସିନାପାଲି, କୋମନା ଓ ବୋଡେନରେ ସବ୍ ରେଜିଷ୍ଟ୍ରେସନ ଅଫିସ ଖୋଲିବା ନେଇ ଘୋଷଣା ହୋଇଛି। ମୋହନ କହିଛନ୍ତି ନୂଆପଡା ବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା।
ସେପଟେ କଂଗ୍ରେସ ବି ନୂଆପଡ଼ାରେ କରିଛି ଶକ୍ତି ପ୍ରଦର୍ଶନ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଏକ ବିଶାଳ ବାଇକ ଶୋଭାଯାତ୍ରା ନୂଆପଡ଼ାରୁ ଖରିଆର ରୋଡ୍ ଯାଇ କରାଯାଇଛି। ନୁଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବାହାଘର ବେଳକୁ ବାଇଗଣ ରୁଆ କହି ସମାଲୋଚନା କରିଛି ବିଜେଡି।
ସେପ୍ଟେମ୍ବର ୮ ତାରିଖରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଖାଲି ପଡିଛି ନୂଆପଡ଼ା ଆସନ। ଏଠାରୁ ଚାରିଥର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ। ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛନ୍ତି ତାକୁ ରହିଛି ଅପେକ୍ଷା।
📱 Get Argus News App
✨Related Topics
Explore more stories