Nuapada Bye Election / କିଏ ସାଜିବ ଗେମ୍ ଚେଞ୍ଜର, କାହା ଉପରେ ତିନି ଦଳର ନଜର ? ଜାଣନ୍ତୁ...

Key Points
ଆଦିବାସୀ ସଂଘର ଅସହଯୋଗ ଘାସିରାମଙ୍କ ପାଇଁ ଅଡୁଆ
ନୂଆପଡ଼ା ବିଜୟରେ ନିର୍ଣ୍ଣାୟକ ସାଜିବେ ଆଦିବାସୀ ଭୋଟର । ୩ ଦଳର ଫୋକସରେ ଆଦିବାସୀ ମତଦାତା, ନିର୍ବାଚନମଣ୍ଡଳୀରେ ଯେଉଁମାନଙ୍କର ସଂଖ୍ୟା ୪୦ ପ୍ରତିଶତ । ମୋଦି ସରକାରଙ୍କ ଆଦିବାସୀ କଲ୍ୟାଣ ଯୋଜନାକୁ ଭରସା କରିଛି ବିଜେପି । ବିଜେଡି ବି ଆଦିବାସୀ ଭୋଟ୍ ହାତେଇବାକୁ ଆପଣାଉଛି ବିଭିନ୍ନ ରଣନୀତି । ଆଦିବାସୀ ଚେହେରା ଭାବେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ହେଲେ ଆଦିବାସୀ ସଂଘର ଅସହଯୋଗ ଘାସିରାମଙ୍କ ପାଇଁ ସୃଷ୍ଟି କରିଛି ଅଡୁଆ ।
ନୂଆପଡ଼ା ଉପନିର୍ବାଚନରେ ତିନି ଦଳର ଫୋକସରେ ଆଦିବାସୀ ମତଦାତା । ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ । ଅର୍ଥାତ ୧ ଲକ୍ଷରୁ ଅଧିକ ଅଛନ୍ତି ଆଦିବାସୀ ଭୋଟର । କୋମନା ବ୍ଳକରେ ୫୦ ହଜାର, ନୂଆପଡ଼ା ବ୍ଳକରେ ୪୦ ହଜାର ଆଦିବାସୀ ମତଦାତା ଥିବା ବେଳେ ନୂଆପଡ଼ା ଓ ଖରିଆର ଏନଏସିରେ ସେମାନଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୫ ହଜାର । ଏହି ସଂଖ୍ୟାକୁ ଆଖି ଆଗରେ ରଖି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କାରଣ ଘାସିରାମ ଆଦିବାସୀ ସମାଜରୁ ଆସୁଛନ୍ତି । ହେଲେ ଆଦିବାସୀ ସଂଘର ଅସହଯୋଗ ଘାସିରାମଙ୍କ ପାଇଁ ସୃଷ୍ଟି କରିଛି ଅଡୁଆ ।
ମୋଦି ସରକାରଙ୍କ ଆଦିବାସୀ କଲ୍ୟାଣ ଯୋଜନାକୁ ଭରସା କରିଛି ବିଜେପି । ଏଥିସହ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପରେ ଆଦିବାସୀ ଭୋଟରଙ୍କ ବ୍ୟାପକ ସମର୍ଥନ ମିଳିବା ନେଇ ଆଶାବାଦୀ ବିଜେପି । ଦେଶର ରାଷ୍ଟ୍ରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆଦିବାସୀଙ୍କୁ ବସାଇ ମୋଦି ସରକାର ଆଦିବାସୀଙ୍କୁ ଯେଉଁଭଳି ସମ୍ମାନ ଦେଇଛନ୍ତି ତାହ ଦଳ ସପକ୍ଷରେ ଯିବ ବୋଲି ଆଶା ରଖିଛି ଶାସକ ଦଳ । ବିଜେଡି ମଧ୍ୟ ଆଦିବାସୀ ଭୋଟ୍ ହାତେଇବାକୁ ଆପଣାଉଛି ବିଭିନ୍ନ ରଣନୀତି । ତେବେ କାହା ରଣନୀତି କାମ କରୁଛି ଆଉ ଜନଜାତି ଭୋଟ୍, କାହା ସପକ୍ଷରେ ଯାଉଛି, ତାହା ନଭେମ୍ବର ୧୪ ଭୋଟ୍ ଗଣତି ପରେ ହୋଇଯିବ ସ୍ପଷ୍ଟ।
ଅନ୍ୟପଟେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଇ.ଭି.ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ସୁର୍ମି ସୋରେନଙ୍କ ଲଗ୍ଇନରେ ଏହା ସମ୍ପନ୍ନ ହୋଇଥିଲା।
ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖା ଯାଇଛି । ଆଜି ଉପନିର୍ବାଚନର ସମସ୍ତ ପ୍ରାର୍ଥୀ ତଥା ସେମାନଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ଇ-ପ୍ରଶାସନ ପରିଚାଳକ ବିରେନ୍ଦ୍ର ସିଂ ଦଣ୍ଡସେନା କମ୍ପ୍ୟୁଟର ମାଧ୍ୟମରେ ଇ ଭି ଏମ୍ ଓ ଭିଭିପାଟ ତିନି ରାଉଣ୍ଡ ରାଣ୍ଡୋମାଇଯେସନ କରିଥିଲେ ।
📱 Get Argus News App
✨Related Topics
Explore more stories