Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପଢ଼ିବେ ଛାତ୍ରଛାତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପଢ଼ିବେ ଛାତ୍ରଛାତ୍ରୀ
Dharmendra Pradhan

Key Points

ଓଡ଼ିଆ ଭାଷା ଏବଂ ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଡିନ ତଥା ଓଡ଼ିଆ ଷ୍ଟଡ଼ିଜ ସେଣ୍ଟରର ଚେୟାରମ୍ୟାନ ପ୍ରଫେସର ବଳରାମ ପାଣି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପଢ଼ିବେ ଛାତ୍ରଛାତ୍ରୀ । ମାତୃଭାଷା ସହ ଗୌରବମୟ ଇତିହାସ ଜାଣିବାର ମିଳିବ ସୁଯୋଗ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଥମ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡିଜ୍ । ସଫଳ ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ । ରାଜ୍ୟ ବାହାରେ କୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ଲାଗି ଓଡ଼ିଆ ଭାଷାକୁ ନେଇ ପ୍ରତିଷ୍ଠା ହେବାକୁ ଯାଉଛି ଏଭଳି କେନ୍ଦ୍ର। ଓଡ଼ିଆ ଭାଷା ଓ ଗୌରବମୟ ଇତିହାସ ଏବଂ ଦେଶ ପାଇଁ ମହତ୍ୱପୂର୍ଣ୍ଣ ଅବଦାନକୁ ଧ୍ୟାନରେ ରଖି ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଛି ଏପରି ଏକ ଉଲ୍ଲେଖନୀୟ ପଦକ୍ଷେପ।

ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡିଜ୍ ଖୋଲିବା ନେଇ ପ୍ରଥମେ ଉଦ୍ୟମ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହା ଆଜି ସଫଳ ହେବାକୁ ଯାଉଛି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ୟମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ ଓଡ଼ିଆ ଭାଷା ଏବଂ ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ର ଡିନ ତଥା ଓଡ଼ିଆ ଷ୍ଟଡ଼ିଜ ସେଣ୍ଟରର ଚେୟାରମ୍ୟାନ ପ୍ରଫେସର ବଳରାମ ପାଣି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ସ୍ତରରେ ନିର୍ଣ୍ଣୟ କରାଯାଇ କାମ ଆରମ୍ଭ ହୋଇଛି। ସବୁକିଛି ଠିକ ରହିଲେ ଏବଂ ଠିକ ସମୟରେ ପ୍ରଫେସର, ଅଧ୍ୟାପକ ଏବଂ ସମସ୍ତ ନିଯୁକ୍ତି ହୋଇଗଲେ ଆଗାମୀ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ କରି ପାରିବୁ ବୋଲି କହିଛନ୍ତି ଓଡ଼ିଆ ଷ୍ଟଡିଜ୍ ସେଣ୍ଟର ଅଧ୍ୟକ୍ଷ।

ସେପଟେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରାଜ୍ୟ ବାହାରେ ଦେଶର ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଲଟିଛି ଯେଉଁଠି ଓଡ଼ିଆରେ ଅଧ୍ୟୟନ କରିପାରିବେ ଓଡ଼ିଆ ଛାତ୍ରଛାତ୍ରୀ । ଏହି ସେଣ୍ଟରରେ କେବଳ ଓଡ଼ିଆ ଭାଷା ନୁହେଁ, ଓଡ଼ିଶାର ଇତିହାସ, କଳା, ଶିଳ୍ପ, ସଂସ୍କୃତି, ଲୋକଭାଷା, ଆଦିବାସୀ ଅସ୍ମିତା, ତଥା ଭାରତବର୍ଷର ପ୍ରଗତିରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ, ଜଗନ୍ନାଥ ସଂସ୍କୃତି, ସନ୍ଥ କବି ଭୀମ ଭୋଇ, ପଣ୍ଡିତ ଗୋପବନ୍ଧୁ ଦାସ ଆଦି ମହାଋଷିଙ୍କ ଦେଶ ପାଇଁ ଅବଦାନ ଏବଂ ଏହିପରି ଅନ୍ୟ ଗୁରୁତ୍ୱପୂର୍ଣ ବିଷୟ ବସ୍ତୁ ଉପରେ ଅଧୟନ ଏବଂ ଗବେଷଣା କାର୍ଯ୍ୟ କରାଯିବ ।

ଓଡ଼ିଶା ବିଷୟରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଯାହାକି ବହୁ ପୂରାତନ ତାଳପତ୍ର ପୋଥି ଆଦିରେ ଲୁକ୍କାୟିତ ହୋଇ ରହିଛି ତାକୁ ଲୋକଲୋଚନକୁ ଆଣିବା ଏବଂ ସେଗୁଡିକର ସଂଗ୍ରହ ଓ ସଂରକ୍ଷଣ କରିବା ଦିଗରେ ଏହି ସେଣ୍ଟରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।

ଏହି ଅଧୟନ କେନ୍ଦ୍ରରେ ଓଡ଼ିଆ ରେ ଛାତ୍ର ଛାତ୍ରୀ ମାନେ ପିଜି କରି ପାରିବେ, ଏଥିପାଇଁ ପ୍ରାୟ ୩୦ ସିଟ୍‌ର ବ୍ୟବସ୍ଥା କରାଯାଉଛି। ଏଥି ସହିତ ଭାଷା ଓ ଇତିହାସ ଉପରେ ଗବେଷଣା ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନରେ ଓଡ଼ିଆ ଭାଷା ଉପରେ ହେବ ପାଠପଢ଼ା। ରାଜ୍ୟର ଭାଷା, ଇତିହାସ, ସଭ୍ୟତା ଓ ସଂସ୍କୃତି ଉପରେ ହେବ ଗବେଷଣା । ଯାହା ଓଡ଼ିଶା ଏବଂ ଓଡ଼ିଆଙ୍କୁ ଯୋଗାଇବ ବିଶ୍ୱସ୍ତରୀୟ ମଞ୍ଚ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Odia students to study Odia at Delhi University | Argus News