ବଦଳିଲା ନିୟମ: ଆଜିଠୁ ବଢିଲା ଟ୍ରେନ୍ ଟିକେଟ ମୂଲ୍ୟ

Key Points
ଆଜିଠାରୁ ନୂଆ ନିୟମ
ବଦଳିଲା ତତ୍କାଳ ଟିକଟ ବୁକିଂ ନିୟମ
ଲାଗୁ ହେଲା ବର୍ଦ୍ଧିତ ରେଳଭଡା
ଭାରତୀୟ ରେଳ ବିଭାଗ ସୋମବାର ଟ୍ରେନ୍ ଟିକଟ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୧ ଅର୍ଥାତ ଆଜିଠୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଯାତ୍ରୀ ସେବା ଉନ୍ନତ କରିବା ଓ ଯାତ୍ରୀ ଭଡ଼ା ଗଣନାକୁ ସରଳ କରିବା ପାଇଁ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଲୋକାଲ ଟ୍ରେନ୍ ଭଡ଼ା ଓ ମାସିକ ଟିକଟ ଭଡ଼ା ଅପରିବର୍ତ୍ତିତ ରହିଛି। ନୂଆ ଯାତ୍ରୀ ଭଡ଼ା ଜୁଲାଇ ୧ରୁ କିଣାଯାଇଥିବା ଟିକଟ ଉପରେ ଲାଗୁ ହେବ। ତେବେ ଆଗୁଆ ବୁକ୍ ହୋଇଥିବା ଟିକଟ ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଲୋକାଲ ଟ୍ରେନ୍ ଭଡ଼ା ଓ ମାସିକ ଟିକଟ ଭଡ଼ା ଅପରିବର୍ତ୍ତିତ ରହିଛି। ନିୟମିତ ଦ୍ବିତୀୟ ଶ୍ରେଣୀ ଯାତ୍ରା କ୍ଷେତ୍ରରେ କେତେକ ସର୍ତ୍ତ ସହିତ କିଲୋମିଟର ପ୍ରତି ୦.୫ ପଇସା ମୂଲ୍ୟ ବୃଦ୍ଧି ହୋଇଛି। ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ୫୦୧ରୁ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ୫ ଟଙ୍କା, ୧୫୦୧ରୁ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା ଓ ୨୫୦୧ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି।
ସେହିପରି ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ପ୍ରତି କି.ମି.ରେ ୦.୫ ଓ ପ୍ରଥମ ଶ୍ରେଣୀ ଯାତ୍ରୀଙ୍କ ପାଇଁ ୦.୫ ପଇସା ବୃଦ୍ଧି କରାଯାଇଛି। ମେଲ/ଏକ୍ସପ୍ରେସ ଟ୍ରେନ (ନନ୍-ଏସି)ର ଦ୍ୱିତୀୟ ଶ୍ରେଣୀ ଯାତ୍ରୀ, ସ୍ଲିପର କ୍ଲାସ ଯାତ୍ରୀ ଓ ପ୍ରଥମ ଶ୍ରେଣୀ ଯାତ୍ରୀଙ୍କ ପାଇଁ ପ୍ରତି କି.ମି.ରେ ୧ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଏସି ଶ୍ରେଣୀ (ମେଲ/ଏକ୍ସପ୍ରେସ ଟ୍ରେନ) କ୍ଷେତ୍ରରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର ଏବଂ ଏସି ପ୍ରଥମ/ଏକ୍ଜିକ୍ୟୁଟିଭ୍ ଶ୍ରେଣୀ/ଏକ୍ଜିକ୍ୟୁଟିଭ୍ ପ୍ରତି କିଲୋମିଟର ପାଇଁ ୨ ପଇସା ବୃଦ୍ଧି କରାଯାଇଛି। ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ତେଜସ୍, ହମ୍ସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏସି ଭିଷ୍ଟାଡୋମ୍ କୋଚ, ଅନୁଭୂତି କୋଚ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଓ ସ୍ବତନ୍ତ୍ର ଟ୍ରେନ ସେବା ପାଇଁ ମଧ୍ୟ ପ୍ରଯୁଜ୍ୟ।
ଅନ୍ୟପଟେ ରିଜର୍ଭେଶନ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ପ୍ରଯୁଜ୍ୟ ନିୟମ ଅନୁଯାୟୀ ଜିଏସ୍ଟି ଲାଗୁ ହେବ। ଭଡ଼ା ରାଉଣ୍ଡିଂ ନୀତି ବିଦ୍ୟମାନ ମାନଦଣ୍ଡ ଅନୁଯାୟୀ ରହିବ। ଜୁଲାଇ ପହିଲାରେ କିମ୍ବା ତା’ପରେ ବୁକ୍ ହୋଇଥିବା ଟିକେଟ ପାଇଁ ସଂଶୋଧିତ ଭଡ଼ା ପ୍ରଯୁଜ୍ୟ ହେବ। ଏହି ତାରିଖ ପୂର୍ବରୁ ଜାରି ହୋଇଥିବା ଟିକେଟଗୁଡ଼ିକ କୌଣସି ଭଡ଼ା ସମାୟୋଜନ ବିନା ବିଦ୍ୟମାନ ଭଡ଼ାରେ ବୈଧ ରହିବ। ପିଆର୍ଏସ୍, ୟୁଟିଏସ୍ ଏବଂ ମାନୁଆଲ ଟିକେଟିଂ ସିଷ୍ଟମଗୁଡ଼ିକୁ ସେହି ଅନୁସାରେ ଅପ୍ଡେଟ୍ କରାଯାଉଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।