Dharmendra Pradhan / Humane Sagarଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points
ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, 'ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ' ।
ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, 'ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି'। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ଓଡ଼ିଶାର ରାଜ୍ୟପାଳ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି ।
ହ୍ୟୁମାନ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ୧୪ ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୁଇ ଦିନ ପୂର୍ବରୁ ଡାକ୍ତର କହିଥିଲେ ତାଙ୍କର ମଲ୍ଟି ଅର୍ଗାନ୍ ଫେଲ ହୋଇଛି । ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ।
ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୟୂରଣୀୟ କ୍ଷତି କହିଲେ ଭୁଲ ହେବନି। ରବିବାର ହ୍ୟୁମାନଙ୍କ ଚେତନା ଶକ୍ତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଥିଲା । ଡାକ୍ତର କହିଥିଲେ, ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ତାପରେ ପୁଣି ବିଗିଡ଼ିଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ।
ଲିଭର ସିରୋସିସ୍ ହେଉଛି ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଯକୃତର ସ୍ୱାଭାବିକ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ସେହି ସ୍ଥାନରେ କ୍ଷତିଗ୍ରସ୍ତ ତନ୍ତୁ ସୃଷ୍ଟି ହୁଏ । ଏହି କ୍ଷତିଗ୍ରସ୍ତ ତନ୍ତୁକୁ 'ଫାଇବ୍ରୋସିସ୍' କୁହାଯାଏ। ଏହି କାରଣରୁ ଯକୃତ କଠିନ ହୋଇଯାଏ ଏବଂ ତା'ର ସ୍ୱାଭାବିକ କାର୍ଯ୍ୟ କରିବା କ୍ଷମତା କମିଯାଏ । ଯକୃତର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଖାଦ୍ୟରୁ ପୁଷ୍ଟିକର ତତ୍ତ୍ୱ ପ୍ରକ୍ରିୟାକରଣ କରିବା ଏବଂ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ପ୍ରୋଟିନ୍ ତିଆରି କରିବା । ସିରୋସିସ୍ ହେଲେ ଏହି ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ରୋଗ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଯକୃତର ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଏହାର ଲକ୍ଷଣ ଜଣାପଡ଼ିଥାଏ । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ଅତ୍ୟଧିକ ମଦ୍ୟପାନ କରିବା ଲିଭର ସିରୋସିସର ଏକ ମୁଖ୍ୟ କାରଣ।
📱 Get Argus News App
✨Related Topics
Explore more stories