Nuapada By Election / ଓଡ଼ିଶା ରାଜନୀତିରେ କ'ଣ ରହିବ BJD ସ୍ଥିତି ? ନୂଆପଡ଼ା କହିଦେଲା ସବୁ କିଛି...

Key Points
ଜୟ ଢୋଲକିଆଙ୍କୁ ମିଳିଛି ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ।
ନୂଆପଡ଼ା ଫଳାଫଳ ରାଜ୍ୟ ରାଜନୀତିକୁ ଦେଇଛି ନୂଆ ସଙ୍କେତ। ବିଜେପିର ବିଜୟକୁ ନେଇ ଯେତିକି ଚର୍ଚ୍ଚା ନୁହେଁ ତାଠୁ ଅଧିକ ଚର୍ଚ୍ଚା ହେଉଛି ବିଜେଡି ଓ କଂଗ୍ରେସର ଦୁର୍ବଳ ରଣନୀତି ଓ ଶୋଚନୀୟ ପ୍ରଦର୍ଶନକୁ ନେଇ। କୁହାଯାଉଛି ରାଜନୈତିକ ଦୃଶ୍ୟପଟରୁ ବିଜେଡି ଖୁବଶୀଘ୍ର ଅଦୃଶ୍ୟ ହେବାକୁ ଯାଉଛି। ଏହାର ସଙ୍କେତ ନୂଆପଡ଼ା ଉପ ନିର୍ବାଚନ ଫଳାଫଳରୁ ମିଳିଛି। ନବୀନ ବ୍ରାଣ୍ଡର ଯୁଗ ଶେଷ ବୋଲି ବି ପ୍ରମାଣ କରି ଦେଇଛି ନୂଆପଡ଼ା।
ଏହା ବି ଦର୍ଶାଇଛି ମନଇଚ୍ଛା ପ୍ରାର୍ଥୀ ଚୟନ ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା କୋଟେରୀ ଗ୍ରୁପକୁ ନେଇ ନିର୍ବାଚନ ପରିଚାଳନା ଦଳ ପାଇଁ କେତେ ଭୟଙ୍କର। ତେଣୁ ବର୍ତ୍ତମାନ ଆତ୍ମ ଚିନ୍ତନ ଓ ଆତ୍ମ ସମୀକ୍ଷା କରି ଗୋଷ୍ଠୀ କନ୍ଦଳର ଜାଲରୁ ନବାହାରିଲେ ଦଳ ଭାଙ୍ଗିଯିବା ଥୟ ତାହା ବି ଦର୍ଶାଇ ଦେଇଛି ନୂଆପଡା ଉପ ନିର୍ବାଚନ। ଖାଲି ସେତିକି ନୁହେଁ ବ୍ରାଣ୍ଡ ନବୀନ ଓ ଶଙ୍ଖ ଚିହ୍ନ ନାଁରେ କରାଯାଉଥିବା ଆତ୍ମ ଗର୍ବକୁ ଛାଡ଼ି ଦ୍ୱିତୀୟ ଧାଡିର ସାଂଗଠନିକ ଦକ୍ଷତା ଥିବା ନେତାଙ୍କ କାନ୍ଧରେ ଆଗକୁ ବଢ଼ିବା ପାଇଁ ବିଜେଡିକୁ ଶିକ୍ଷା ଦେଇଛି ନୂଆପଡା ନିର୍ବାଚନ।
ସେହିପରି କଂଗ୍ରେସକୁ ବି ନୂଆପଡ଼ା ପୁଣି ଥରେ ଚେତାଇ ଦେଇଛି। ବିଜେଡିକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଆସିବା ସତ୍ତ୍ବେ ବି ଭୋଟ ରାଜନୀତିରେ କଂଗ୍ରେସ ଏବେ ବି ରହିଛି ବହୁ ପଛରେ। ନୂଆପଡ଼ାରେ ଅନେକ ବଡ଼ ବଡ଼ କଂଗ୍ରେସ ନେତାଙ୍କ ଅନୁପସ୍ଥିତି ଆଉ କିଛି ନେତାଙ୍କ କାମଚଳା ପ୍ରଚାର ଏହା ସନ୍ଦେଶ ଦେଇଛି।
ନୂଆପଡା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟରେ ବିଜୟ ହୋଇଛନ୍ତି । ଜୟ ଢୋଲକିଆଙ୍କୁ ମିଳିଛି ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ । ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝିଙ୍କୁ ମିଳିଛି ୪୦ ହଜାର ୧୨୧ ଖଣ୍ଡ ଭୋଟ । ଆଉ ତୃତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଖଣ୍ଡ ଭୋଟ।
ଏବେ ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଶାଳ ବିଜୟ ଲେଖିଛି ନୂଆ ଇତିହାସ । ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଆଉ ଏକ ଯୁଗ । ବିଜେଡି ସହ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯେ ଆଉ ନାହିଁ, ତାହା ସ୍ପଷ୍ଟ କରିଛି ନୂଆପଡ଼ା ଉପନିର୍ବାଚନ ରେଜଲ୍ଚ ।
ଦିନ ଥିଲା ସରକାରରେ ଥିବାବେଳେ ବିଜେଡି ଗୋଟିଏ ପରେ ଗୋଟିଏ ପ୍ରାୟ ସମସ୍ତ ଉପନିର୍ବାଚନ ଜିତି ଆସୁଥିଲା । ସନାତନ ବିଶି, ପ୍ରଫୁଲ୍ଲ ସାମଲ, ମନ୍ଦାକିନି ବେହେରା, ରୀତା ସାହୁ ଉପନିର୍ବାଚନରେ ଜିତି ବିଜେଡିର ଶକ୍ତି ବଢ଼ାଇଥିଲେ । ହେଲେ ଏବେ ସମୟ ବଦଳିବା ସହ ଲୋକଙ୍କୁ ଆକୃଷ୍ଟ କରୁଛି ବିଜେପି । ୨୦୨୨ରେ ଧାମନଗର ଉପନିର୍ବାଚନ ଜିତିଥିଲା ବିଜେପି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ସେତେବେଳେ ବିଜେଡି ସରକାରରେ ଥିଲା । ଏବେ ସମୟ କ୍ରମେ ବିଜେପି କ୍ଷମତାକୁ ଆସିବା ସହ ମୋହନ ସରକାରର ପ୍ରଥମ ଉପନିର୍ବାଚନ ନୂଆପଡ଼ାକୁ ଦଳ ଦଖଲକୁ ନେଇଛି । ପୂର୍ବରୁ ବିଜେଡି ଅକ୍ତିଆର୍ରେ ଥିଲା ଏହି ଆସନ ।
୨୦୦୦ ମସିହା ପରଠାରୁ ଓଡ଼ିଶାରେ ହୋଇଥିବା ଉପନିର୍ବାଚନ ।
୨୦୦୧ - ରେଢ଼ାଖୋଲ - ସନାତନ ବିଶି - ବିଜେଡି
୨୦୦୨ - ଭଦ୍ରକ - ପ୍ରଫୁଲ୍ଲ ସାମଲ - ବିଜେଡି
୨୦୦୨ - ନୟାଗଡ଼ - ମନ୍ଦାକିନି ବେହେରା - ବିଜେଡି
୨୦୦୩ - ବୀରମହାରାଜପୁର - ସଞ୍ଜୀବ କୁମାର ସାହୁ - ବିଜେଡି
୨୦୦୫ - ସୁନ୍ଦରଗଡ଼ - ସୁଶମା ପଟେଲ - ବିଜେଡି
୨୦୦୬ - ତଳସରା - ଡ. ପ୍ରଫୁଲ୍ଲ ମାଝୀ - କଂଗ୍ରେସ
୨୦୦୮ - ଲକ୍ଷ୍ମୀପୁର - ପୂର୍ଣ୍ଣଚନ୍ଦ୍ର ମାଝୀ - କଂଗ୍ରେସ
୨୦୧୧ - ଉମରକୋଟ - ସୁବାଶ ଗଣ୍ଡ - ବିଜେଡି
୨୦୧୨ - ଆଠଗଡ଼ - ରଣେନ୍ଦ୍ର ପ୍ରତାପ ସ୍ଵାଇଁ - ବିଜେଡି
୨୦୧୮ - ବିଜେପୁର - ରୀତା ସାହୁ - ବିଜେଡି
୨୦୧୯ - ପାଟକୁରା - ସାବିତ୍ରୀ ଅଗ୍ରୱାଲ - ବିଜେଡି
୨୦୨୦ - ବାଲେଶ୍ଵର - ସ୍ଵରୂପ କୁମାର ଦାସ - ବିଜେଡି
୨୦୨୦ - ତିର୍ତ୍ତୋଲ - ବିଜୟ ଶଙ୍କର ଦାସ - ବିଜେଡି
୨୦୨୧ - ପିପିଲି - ରୁଦ୍ର ପ୍ରତାପ ମହାରଥୀ - ବିଜେଡି
୨୦୨୨ - ପଦ୍ମପୁର - ପଦ୍ମପୁର - ବର୍ଷା ସିଂ ବରିହା - ବିଜେଡି
୨୦୨୨ - ଧାମନଗର - ସୂର୍ଯ୍ୟବଂଶୀ ସୂରଜ - ବିଜେପି
୨୦୨୨ - ବ୍ରଜରାଜନଗର - ଅଳକା ମହାନ୍ତି - ବିଜେଡି
୨୦୨୩ - ଝାରସୁଗୁଡ଼ା - ଦୀପାଳି ଦାସ - ବିଜେଡି
୨୦୨୫ - ନୂଆପଡ଼ା - ଜୟ ଢୋଲକିଆ - ବିଜେପି
📱 Get Argus News App
✨Related Topics
Explore more stories