Suryakumar Yadav Punished / ପାକିସ୍ତାନ କଲା ଅଭିଯୋଗ, ଦଣ୍ଡିତ ହେଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ

Key Points
ଦଣ୍ଡିତ ହେଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ
'ପହଲଗାମ୍' ବୟାନ ପାଇଁ ଆଇସିସି ଦ୍ବାରା ଭୋଗିଲେ ଦଣ୍ଡ
ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଆଇସିସି ପାଖରେ କରିଥିଲା ଅଭିଯୋଗ
ଭାରତୀୟ ଟି-୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି। ପାକିସ୍ତାନ ବିପକ୍ଷ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପରେ ସେ ଦେଇଥିବା ‘ପହଲଗାମ’ ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସୂର୍ଯ୍ୟ କୁମାରଙ୍କ ମ୍ୟାଚ୍ ଫି’ ୩୦% କଟାଯାଇଛି।
ସେପ୍ଟେମ୍ବର ୧୪ ତାରିଖରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହି ବିଜୟକୁ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଭାରତୀୟ ସେନା ବାହିନୀକୁ ଉତ୍ସର୍ଗ କରିଥିଲେ। ଏହା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ସମବେଦନା ବି ଜଣାଇଥିଲେ।
ତେବେ ସୂର୍ଯ୍ୟକୁମାରଙ୍କ ଏହି ବୟାନ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିର ଦ୍ୱାରସ୍ଥ ହୋଇଥିଲା। ପିସିବି ଏହାକୁ ଏକ ରାଜନୀତିକ ବୟାନ ଭାବେ ଚିତ୍ରିତ କରିଥିଲା। ଅଭିଯୋଗ ପରେ ଆଇସିସି ମ୍ୟାଚ୍ ରେଫରୀ ରିଚି ରିଚାର୍ଡସନ ବିଧିବଦ୍ଧ ଭାବେ ଏହାର ଶୁଣାଣି କରିଥିଲେ। ତେବେ ସୂର୍ଯ୍ୟ କୁମାର ଏହି ଅଭିଯୋଗକୁ ଗ୍ରହଣ କରିନଥିଲେ କିମ୍ବା ଦୋଷ ସ୍ୱୀକାର କରି ନଥିଲେ। ଏହି ବୟାନ ପାଇଁ ସେ ନିଜ ସପକ୍ଷରେ ଏକାଧିକ ଯୁକ୍ତି ରଖିଥିଲେ। ହେଲେ ଆଇସିସି ସୂର୍ଯ୍ୟକୁମାରଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲା । ସୂର୍ଯ୍ୟ କୁମାରଙ୍କ ଆବେଦନକୁ ଅଗ୍ରାହ୍ୟ କରି ICC ତାଙ୍କର ୩୦% ମ୍ୟାଚ୍ ଫି’ କାଟି ଦେଇଛି। ଏହା ସହ ଭବିଷ୍ୟତରେ ରାଜନୈତିକ ବୟାନବାଜୀରୁ କ୍ଷାନ୍ତ ରହିବାକୁ ତାଙ୍କୁ କୁହାଯାଇଛି।
ତେବେ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଇସିସି ମ୍ୟାଚ୍ ରେଫରୀ ଦଣ୍ଡିତ କରିଥିଲେ ମଧ୍ୟ BCCI ଏହା ବିରୋଧରେ ପୁଣି ଆବେଦନ କରିଛି। ତେଣୁ ଏବେ ICC କି ପ୍ରକାରର ପଦକ୍ଷେପ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ତେବେ ଏହା ପୂର୍ବରୁ ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଔଦ୍ଧତ୍ୟର ସୀମା ଟପିଥିବା ପାକିସ୍ତାନୀ ବୋଲର ହାରିଶ ରୌଫଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଇସିସି। ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିବା ରୌଫଙ୍କ ମ୍ୟାଚ୍ ଫିକୁ ମଧ୍ୟ ୩୦% କାଟି ଦେଇଥିଲା ଆଇସିସି।
📱 Get Argus News App
✨Related Topics
Explore more stories