|
logo
Live
Argus News App
GET APP

Argus News - ଓଡ଼ିଶାରେ ସରିଲା ପକ୍ଷୀ ଗଣନା ଚିଲିକାରେ ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି

Travel & Tourism

Chilika Bird Census / ଓଡ଼ିଶାରେ ସରିଲା ପକ୍ଷୀ ଗଣନା ଚିଲିକାରେ ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି

Bikash Mohanty
Browse all articles by Bikash Mohanty
·2 months ago·2 min read
ଓଡ଼ିଶାରେ ସରିଲା ପକ୍ଷୀ ଗଣନା ଚିଲିକାରେ ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି
Chilika Bird Census

Key Points

ଓଡ଼ିଶାରେ ସରିଲା ପକ୍ଷୀ ଗଣନା
ଚିଲିକାରେ ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି
ଚିଲିକାରେ ୧୧ ଲକ୍ଷ ୩୨ହଜାର ପକ୍ଷୀ
କାଲି ଠାରୁ ଚିଲିକାରେ ହେବ ଡଲଫିନ ଗଣନା
ଓଡ଼ିଶାରେ ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି | ଚିଲିକା, ଭିତରକନିକା, ହୀରାକୁଦ, କୋଲାବ ଡ୍ୟାମ ଅଂଶୁପା ପରି ପ୍ରମୁଖ ଆର୍ଦ୍ରଭୂମି ସମେତ ସମସ୍ତ ୫୧ଟି ବନଖଣ୍ଡରେ ଥିବା ଜଳାଶୟଗୁଡ଼ିକରେ ଜଳଚର ପକ୍ଷୀଙ୍କର ଗଣନା ହୋଇଥିଲା। ପୂର୍ବରୁ ବନଖଣ୍ଡଗୁଡ଼ିକରେ ଭିନ୍ନଭିନ୍ନ ତାରିଖରେ ପକ୍ଷୀ ଗଣନା ହେଉଥିବା ବେଳେ ଏବେ ଗୋଟିଏ ତାରିଖରେ ସାରା ରାଜ୍ୟରେ ଅନୁଷ୍ଠିତ ହେଇଛି। ଆସନ୍ତା କାଲି ଠାରୁ ଚିଲିକାରେ ହେବ ଡଲଫିନ ଗଣନା।

ଖୁସିର ବିଷୟ ହେଉଛି ଯେ ଗତବର୍ଷ ତୁଳନାରେ ଏଥର ଚିଲିକାକୁ ସର୍ବାଧିକ ପକ୍ଷୀ ଆସିଛନ୍ତି। ଏବର୍ଷ ୧୯୬ ପ୍ରଜାତିର ୧୧ଲକ୍ଷ ୩୨ହଜାର ୨୦୦ ପକ୍ଷୀ ଚିଲିକାରେ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧ଲକ୍ଷ ୧୦ହଜାର ୨୫୭ବିଦେଶାଗତ ପକ୍ଷୀ ଏବଂ ୯୦ ପ୍ରଜାତିର ୨୧ହଜାର ୯୪୩ଟି ସ୍ଥାନୀୟ ପକ୍ଷୀ ରହିଛନ୍ତି। ପ୍ଲେନ୍ ମାର୍ଟିନ୍ ଓ ବେଙ୍ଗଲ୍ ବୁସ୍‌ ଲାର୍କ ପ୍ରଜାତିର ନୂତନ ପକ୍ଷୀ ପ୍ରଥମ ଥର ପାଇଁ ଚିଲିକାରେ ଦୃଶ୍ୟମାନ ହୋଇଥିବା ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ପ୍ରେମ୍ କୁମାର ଝା ସୂଚନା ଦେଇଛନ୍ତି।

ଚିଲିକାର ନଳବଣରେ ପକ୍ଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏବର୍ଷ ନଳବଣକୁ ୩ଲକ୍ଷ ୯୭ ହଜାର ୫୮୭ଟିପକ୍ଷୀ ଆସିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୫୪ହଜାର ୩୬୨ ଅଧିକା। ୨୦୨୫ରେ ଚିଲିକାକୁ ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀ ଆସିଥିଲେ। ଅର୍ଥାତ୍ ଗତବର୍ଷ ତୁଳନାରେ ଏଥର ୪,୯୭୨ ସଂଖ୍ୟକ ଅଧିକ ପକ୍ଷୀ ରହିଛନ୍ତି। ନର୍ଦନ ପିଣ୍ଡେଲ୍ ପ୍ରଜାତିର ସର୍ବାଧିକ ୨ଲକ୍ଷ ୧୮ହଜାର ୯୯୩, ୟୁରାସିଆ ଉଇଗର୍ନ ପ୍ରଜାତିର ୧ଲକ୍ଷ ୫୩ହଜାର ୩୧୮, ଗାଡୱାଲ୍ ପ୍ରଜାତିର ୧ଲକ୍ଷ ୪୩ହଜାର ୧୨୭ ପକ୍ଷୀ ରହିଛନ୍ତି।

ପକ୍ଷୀ ଗଣନା ପୂର୍ବରୁ ପିସିସିଏଫ୍(ବନ୍ୟପ୍ରାଣୀ) ଶ୍ରୀ ଝାଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରୀ ଓ ବେସରକାରୀ ସଂସ୍ଥାର ୧୩୩ଜଣଙ୍କୁ ୨୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ସେଥିମଧ୍ୟରୁ ୩ଟି ଗ୍ରୁପ୍ ସଡ଼କ ପାର୍ଶ୍ଵରେ ଓ ୧୯ଟି ଡଙ୍ଗା ଦ୍ବାରା ପକ୍ଷୀ ଗଣନା କରିଥିଲେ। ୨୨ଟି ଦଳରେ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞଙ୍କ ସହ ୩ରୁ ୫ଜଣ ସଦସ୍ୟ ରହିଥିଲେ। ପକ୍ଷୀ ଗଣନାରେ ବନ ବିଭାଗ କର୍ମଚାରୀଙ୍କ ସହିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ, ବରିଷ୍ଠ ପକ୍ଷୀ ବିଶାରଦ, ବନ ସୁରକ୍ଷା ସମିତିର ସଦସ୍ୟ ଅଂଶଗ୍ରହଣ କରିଥିଲେ ।

କୋରାପୁଟ ବନାଞ୍ଚଳ ଅଧିନସ୍ଥ କୋଲାବ ଜଳଭଣ୍ଡାର, ନାଲକୋ ଆଶ ପୋଣ୍ଡ, ଡଙ୍ଗରୀ ମାଳିଗୁଡା, ବାଗ୍ରା ଡ୍ୟାମ ଓ ରାଣିଗୁଡା ଜଳଭଣ୍ଡାର ରେ ପକ୍ଷୀ ଗଣନା ହୋଇଥିବା ବେଳେ ୧୭୩୧ ଗୋଟି ପକ୍ଷୀ ରହିଥିବାର ଗଣତି ହୋଇଛି। ଗଣତି ହୋଇଥିବା ପକ୍ଷୀ ମଧ୍ୟରୁ ପ୍ରାୟ ୧୨୫୦ ଗୋଟି ଚକୁଆ ପ୍ରଜାତିର ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷୀ ମାନଙ୍କ ମଧ୍ୟରେ ରହିଥିଲା ପାଣିକୁଆ, ମାଛରଙ୍ଗା, ବଗୁଲି, ବଗ ଆଦି ୯ ଗୋଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା। ଗତ ବର୍ଷ ୨୦୧୨ ଗୋଟି ପକ୍ଷୀ ଗଣନା ହୋଇଥିବା ବେଳେ ଚଳିତ ବର୍ଷ ପକ୍ଷୀ ଆଗମନ ସଂଖ୍ୟା କମିଥିବା ଜଣାପଡିଛି।

କୁଲଡ଼ିହା ଅଭୟାରଣ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୭୩୧ ଟି ଅଧିକ ପକ୍ଷୀ ଦେଖାଦେଇଛନ୍ତି। ପ୍ରଥମ୍ ଥର ପାଇଁ ନୂତନ ପକ୍ଷୀ ଭାବେ ଗ୍ରେ ହେଡେଡ ଫିସ ଇଗଲ ଋଷିଆ ହ୍ରଦ ରେ ଦେଖାଦେଇଥିବା ବେଳେ ପାଖାପାଖି ୧୨୨୮ ଟି ଟଫଟେଡ ଡକ ପକ୍ଷୀ ଚିହ୍ନଟ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chilika Bird Census: ଓଡ଼ିଶାରେ ସରିଲା ପକ୍ଷୀ ଗଣନା ଚିଲିକାରେ ଚିହ୍ନଟ ହେଲେ ଦୁଇଟି ନୂଆ ପ୍ରଜାତି | Argus News