Videos
|
Accident

Ahmedabad plan crash / "ଖୁସିରେ କହି ବୁଲୁଥିଲେ ଝିଅ ମୋର ଲଣ୍ଡନ ଯିବ" ହେଲେ...

Smruti Parija
Browse all articles by Smruti Parija
·1 year ago·2 min read
"ଖୁସିରେ କହି ବୁଲୁଥିଲେ ଝିଅ ମୋର ଲଣ୍ଡନ ଯିବ" ହେଲେ...
Ahmedabad plan crash

Key Points

ମାରେ ଦେଖିକି ଯିବୁ | ପାସପୋର୍ଟ, କାଗଜ ପତ୍ର ସବୁ ଠିକ୍ ଠାକ୍ ରଖିଛୁ ତ | ପ୍ରଥମ ଥର ଦେଶ ବାହାରକୁ ଯାଉଛୁ | ମତେ କାଇଁ ଭାରି ଡର ଲାଗୁଛି |ହେଲେ ତୁ ଆମର ଡରିବୁନି | ତୁ ତ ମୋର ସାହସୀ ଝିଅ ...

ମନରେ କୋହକୁ ଚାପି ଝିଅକୁ ଏୟାରପୋର୍ଟରେ ଛାଡି ଦେଇ ଆସିଲେ ବାପା । ଆଉ ଝିଅ ସହ ଗୋଟେ ଫଟୋ ବି ଉଠାଇଲେ । କି କଥା ଝିଅ ମୋର ବିଦେଶ ଯାଉଛି । ଆଖିରେ ଆସୁଥିବା ଲୁହକୁ ଚାପି ଦେଇ ଶେଷ ଥର ପାଇଁ ଝିଅକୁ ଦେଖି ଟିକେ ହସିଦେଲେ । ତାକୁ ମନ ପୁରାଇ ଦେଖିଦେଲେ । ହେଲେ...

ନୂଆ ନୂଆ ବାହାଘର । ସ୍ୱାମୀଙ୍କ ପାଖକୁ ଯିବାକୁ ଖୁସବୁ ଯେତିକି ଉତ୍ସାହିତ ଥାଆନ୍ତି । ଘର ଲୋକଙ୍କୁ ଛାଡି ଚାଲିଯିବାର ଦୁଃଖ ମଧ୍ୟ ସେତିକି ଥାଏ । ଯିବା ପୂର୍ବରୁ ମା, ସାନ ଭାଇ-ଭଉଣୀଙ୍କୁ ଛାତିରେ ଜାବୁଡି ଧରିଲେ । ଆଉ ବାଏ କହି ଚେକ୍ ଇନ୍ କଲେ....

ବାସ୍ କେଇ ସେକେଣ୍ଡର କଥା । ଝିଅକୁ ଛାଡି ଗାଡିରେ ବାପା, ମା, ଭାଇ, ଭଉଣୀ ଅଳ୍ପ ବାଟ ଫେରିଛନ୍ତି କି ନାହିଁ ...ସଙ୍ଗେ ସଙ୍ଗେ ଗଣମାଧ୍ୟମରେ ଖବର ଆସେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବୋଇଂ ବିମାନ AI-171 କ୍ରାସ୍ ହୋଇଯାଇଛି...ଗାଡି ଚଲାଉଥିବା ବାପା..ପଛରେ ବସିଥିବା ମା, ଭଉଣୀ, ଭାଇ ସବୁ ଆଶ୍ଚର୍ଯ୍ୟ ।

କେଇ କ୍ଷଣରେ ଝିଅର ସୁନାର ସଂସାର ଜଳିଗଲା । ଉଜୁଡିଗଲା ସ୍ୱପ୍ନ । ଏଇ ଜାନୁଆରୀ ମାସରେ ତ ବାହାଘର ହୋଇଥିଲା । ବାହାଘରର ଦୁଇ ମାସ ପରେ ସ୍ୱାମୀ ଲଣ୍ଡନ ଚାଲିଯାଇଥିଲେ । କାର୍ଯ୍ୟରେ ଯୋଗ ଦେବାକୁ । ବିବାହ ପରେ ଖୁସବୁ ପ୍ରଥମ ଥର ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ । ନୂଆ ଦେଶ, ନୂଆ ବାହାଘର ମନରେ କେତେ କଣ ଆଶା..ଉତ୍ସାହ । ହେଲେ ନିମିଷକେ ସବୁ ଛାରଖାର ହେଇଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅହମ୍ମଦାବାଦର ବିମାନ ଦୁର୍ଘଟଣାରେ ଅନେକ ଲୁହଭିଜା କାହାଣୀ ମଧ୍ୟରୁ ଏ କାହାଣୀ ହେଉଛି ରାଜସ୍ଥାନ ବାଲୋତ୍ରା ଜିଲ୍ଲାର ନବବିବାହିତା ୨୧ ବର୍ଷୀୟା ଖୁସବୁଙ୍କର । ଜାନୁଆରୀରେ ଡାକ୍ତର ବିପୁଲଙ୍କ ସହ ତାଙ୍କର ହାତଗଣ୍ଠି ପଡିଥିଲା । ହେଲେ ସାତ ଜନ୍ମର ସାଥୀକୁ ଏତେ ଶୀଘ୍ର ଛାଡି ଚାଲିଯିବେ, ସେ ବି ଭାବି ନଥିଲେ । ବୁଧବାର ରାତିରେ ତାଙ୍କ ବାପା ଏବଂ ସମ୍ପର୍କୀୟ ଭାଇଙ୍କ ସହ ଅହମ୍ମଦାବାଦରେ ପହଞ୍ଚିଥିଲେ ଖୁସବୁ । ତାଙ୍କ ବାପା ମଦନ ସିଂହ, ପ୍ରସ୍ଥାନ ପୂର୍ବରୁ ବିମାନବନ୍ଦରରେ ତାଙ୍କ ସହିତ ଏକ ଫଟୋ ଉଠାଇ ହ୍ୱାଟସଆପରେ ଷ୍ଟାଟସ୍ ଦେଇଥିଲେ । "ଆଶୀର୍ବାଦ ଖୁସବୁ ବେଟା, ମୋ ଝିଅ ଲଣ୍ଡନ ଯାଉଛି ।"

ହେଲେ ଝିଅକୁ ଛାଡିବାର କିଛି ମୁହୂର୍ତ୍ତ ପରେ, ପୁରା ପରିବାର ଫେରୁଥିଲା ବେଳେ ଦୁର୍ଘଟଣାର ଖବର ସେମାନଙ୍କ ଦୁନିଆକୁ ଭାଙ୍ଗି ଦେଇଛି । ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଖୁସବୁ ଥିଲେ ଜଣେ । ଏହିଭଳି ଅନେକ ଲୋକ ନିଜ ପରିବାରକୁ ହରାଇ ଭାଙ୍ଗିପଡ଼ିଛନ୍ତି । ପ୍ରିୟଜନଙ୍କୁ ହରାଇ ସମସ୍ତେ ହତବାକ ସମସ୍ତେ ସ୍ତବ୍ଧ । ସତରେ ଭଗବାନ ଏମିତି ମୃତ୍ୟୁ କାହାରିକୁ ନ ଦିଅନ୍ତୁ ।

Related Topics

Explore more stories

Ahmedabad plan crash: "ଖୁସିରେ କହି ବୁଲୁଥିଲେ ଝିଅ ମୋର ଲଣ୍ଡନ ଯିବ" ହେଲେ... | Argus News