Videos
|
Accident

Car Accident / ଶେଷ ଯାତ୍ରା ହେଲା ବରଯାତ୍ରା, ଚାଲିଗଲା ୫ ଜଣଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଶେଷ ଯାତ୍ରା ହେଲା ବରଯାତ୍ରା, ଚାଲିଗଲା ୫ ଜଣଙ୍କ ଜୀବନ
Car Accident

Key Points

ବରଯାତ୍ରା ଫେରିବା ବେଳେ ପୋଖରୀରେ ପଶିଲା କାର୍ । 
ବିବାହ ଖୁସି ପାଲଟିଲା ଶୋକ ୫ ବରଯାତ୍ରୀଙ୍କ ମୃତ୍ୟୁ ।  
ଶେଷ ଯାତ୍ରା ହେଲା ବରଯାତ୍ରା ପ୍ରାଣ ହରାଇଲେ ୫ ଜଣ ।  
ପୋଖରୀକୁ ଖସିଲା ବରଯାତ୍ରୀ କାର୍ ୨ ଉଦ୍ଧାର, ୫ ମୃତ  । 

ଖୁସିର ମାହୋଲ... ବାଜା, ରୋଷଣୀ, ହସ ଓ ଉଲ୍ଲାସରେ ଭରିଥିବା ବରଯାତ୍ରା । ସମସ୍ତଙ୍କ ମନରେ ଥିଲା ବିବାହ ଉତ୍ସବର ଆନନ୍ଦ, ଆଉ ଘରକୁ ଫେରି ପରିବାର ସହ ସେହି ସ୍ମୃତି ବାଣ୍ଟିବାର ଆଶା । କିନ୍ତୁ କିଏ ଜାଣିଥିଲା, ଏହି ବର ଯାତ୍ରା ହିଁ ହେବ ଜୀବନର ଶେଷ ଯାତ୍ରା ।

ମାତ୍ର କିଛି ମୁହୂର୍ତ୍ତର ଅସାବଧାନତା କିମ୍ବା ଦୁର୍ଭାଗ୍ୟ, ପାଞ୍ଚଟି ପରିବାରର ଖୁସିକୁ ସବୁଦିନ ପାଇଁ ଛିନିନେଲା। ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଭାରସାମ୍ୟ ହରାଇ ସିଧା ପୋଖରୀ ଭିତରକୁ ପଶିଯିବାରୁ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା। କାରରେ ଥିବା ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ପାଞ୍ଚ ଜଣ ଆଉ କେବେ ଘରକୁ ଫେରିପାରିଲେ ନାହିଁ ।

ଏହି ଅଭାବନୀୟ ଦୁର୍ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର–ଛାଟିଆ ଗାଁରେ । ମୋଟଗାଁ ଥାନା ବାଙ୍ଗୁରସିଂ ଗାଁରୁ ବରଯାତ୍ରୀ ହୋଇ ଇନ୍ଦିପୁର ଆସିଥିବା ଏହି ଯୁବକମାନେ ବିବାହ ସାରି ଫେରୁଥିବା ବେଳେ ଏହି ଅଘଟଣର ଶିକାର ହୋଇଥିଲେ ।

ସୂଚନା ଅନୁସାରେ, ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗାଁରୁ ସାତ ଜଣ ଏକ କାରରେ ବରଯାତ୍ରୀ ହୋଇ ଇନ୍ଦିପୁର ଗାଁକୁ ଆସିଥିଲେ । ବିବାହ କାର୍ଯ୍ୟ ସରିବା ପରେ ରାତିରେ ସମସ୍ତେ ନିଜ ଗାଁକୁ ଫେରୁଥିବା ବେଳେ କାରଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରକୁ ପଶିଯାଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାର ଭିତରେ ଥିବା ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । କିନ୍ତୁ ଅନ୍ୟ ପାଞ୍ଚ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।

ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ଶ୍ରୀରାମ ସାହୁ, ଚନ୍ଦ୍ରକାନ୍ତ ସ୍ୱାଇଁ, ଅଭିନାଶ ସାହୁ, ରାକେଶ ସାହୁ ଓ ଅଭିଜିତ ସାହୁ । ସମସ୍ତେ ମୋଟଗାଁ ଥାନା ଅନ୍ତର୍ଗତ ବାଙ୍ଗୁରସିଂ ଗାଁର ବାସିନ୍ଦା । ଏକ ବିବାହର ଆନନ୍ଦ ମାତ୍ର କିଛି ମୁହୂର୍ତ୍ତରେ ପାଞ୍ଚଟି ପରିବାର ପାଇଁ ଆଜୀବନର ଶୋକରେ ପରିଣତ ହୋଇଛି । ଏହି ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored