କମିବ ଖରା, ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: କମିବ ଖରା । ମିଳିବ କିଛି ମାତ୍ରାରେ ଆଶ୍ୱସ୍ତି । ଆସୁଛି ପଶ୍ଚିମା ଝଡ । ପ୍ରଭାବରେ ତାତିରେ ଲାଗିବ ବିରାମ । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବାବେଳେ ପଶ୍ଚିମାଝଡ ପ୍ରଭାବରେ ୫ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ଵର, ଅନୁଗୁଳ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ ।
ଗତକାଲି ୩୭ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ମାଲକାନଗିରି। ସେହିପରି ଭୁବନେଶ୍ଵର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ୍।