ବ୍ରିକ୍ସ ସମ୍ମିଳନୀରେ ଯୋଗଲ ଦେବାକୁ ଋଷିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି କି, ଏହି ଗସ୍ତ ବେଳେ ମୋଦି ଇରାନ ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିବେ । ସୂଚନା ଅନୁସାରେ, ୨୦୨୦ରେ ଏଲଏସିରେ ତିକ୍ତତା ବଢିବା ପରେ ପାଟ୍ରୋଲିଂ ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ଉଭୟ ଦେଶର ଆଲୋଚନା ପରେ ସ୍ଥିତି ସ୍ଵାଭାବିକ ହେବ ବୋଲି ଚର୍ଚ୍ଚା ଚାଲିଛି ।
ଏଲଏସିରେ ଉଭୟ ଦେଶ ପାଟ୍ରୋଲିଂ କରିବାର ଖବର ସାମ୍ନାକୁ ଆସିବା ପରେ ଏହା ସକରାତ୍ମକ ସ୍ଥିତି ବୋଲି ଜୟଶଙ୍କର କହିବା ସହିତ ସୀମାରେ ଶାନ୍ତି ଫେରାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହାରେ ଏଲଏସିରେ ଅଶାନ୍ତ ସୃଷ୍ଟି ହୋଇଥିଲା । ଉଭୟ ଦେଶର ସୈନ୍ୟ ଏକାଠି ହୋଇଥିଲେ । କିନ୍ତୁ ୪ ବର୍ଷ ପରେ ସ୍ଥିତିରେ ସୁଧାର ଆସିଛି । କୁହାଯାଉଛି କି ଉଭୟ ଦେଶ ୨୦ ସ୍ଥିତିକୁ ଫେରିଛନ୍ତି ।
ଭାରତ ଓ ଚୀନ ସୀମା ବିବାଦ କିଛି ନୂଆକଥା ନୁହେଁ । ବର୍ଷବର୍ଷ ଧରି ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏମିତିକି ବାରମ୍ବାର ଆଲୋଚନା ପରେ ଶାନ୍ତ ହୋଇନାହିଁ । ହେଲେ ଏବେ ସ୍ଥିତିରେ ସୁଧାର ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର । କହିଛନ୍ତି, ୨୦୨୦ ସେପ୍ଟେମ୍ବରରେ ଯେତେବେଳେ ମୁଁ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ମସ୍କୋରେ ଭେଟିଥିଲି ସେତେବେଳଠାରୁ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ତେଣୁ ଶାନ୍ତି ଏବଂ ସ୍ଥିରତା ପାଇଁ ତାହା ଭିତ୍ତି ପକାଇଥିଲା । ୨୦୨୦ ମସିହା ପୂର୍ବରୁ ସୀମାରେ ଯେଭଳି ଶାନ୍ତି ରହିଥିଲା ତାହା ବଜାୟ ରହିବା ଆବଶ୍ୟକ । ଆମେ ବର୍ତ୍ତମାନ ସେହି ସ୍ତରକୁ ଫେରିବାକୁ ସକ୍ଷମ ହେବୁ ।
ବାରମ୍ବାର ଆଲୋଚନା ପରେ ଭାରତ-ଚୀନର ସମ୍ପର୍କ ସୁଧୁରୁଛି । କହିରଖୁଛୁ ଯେ, ୨୦୨୦ ମସିହାର ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଆସିଛି । ତେବେ ଦୁଇ ଦେଶ ମଧ୍ୟରେ ସଂପର୍କକୁ ସ୍ଵାଭାବିକ କରିବା ପାଇଁ ଉଭୟ ପକ୍ଷ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନା କରିଛନ୍ତି । ୨୦୨୨ ସେପ୍ଟେମ୍ବରରେ ଏ କ୍ଷେତ୍ରରେ ଏକ ବଡ଼ଧରଣର ଅଗ୍ରଗତି ହୋଇଥିଲା, ଯେତେବେଳେ ଉଭୟପକ୍ଷ ଏଲଏସିରୁ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲେ। ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳର ପଏଣ୍ଟ-୧୫ ପାଟ୍ରୋଲିଂ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲା । ହେଲେ ଏବେ ଦୁଇଦେଶ ମଧ୍ୟରେ ଶାନ୍ତି ଫେରୁଥିବା ଚର୍ଚ୍ଚା ଜୋର ।