ରାଜସ୍ଥାନରେ ପୁଟିଲା ପଦ୍ମ, କଂଗ୍ରେସଠୁ ମୁଖ୍ୟମନ୍ତ୍ରୀ ଚୌକି ନେଇ ଆସିଲା ବିଜେପି । କୁହାଯାଉଛି କି ରାଜସ୍ଥାନରେ ପାଇଲଟ୍ ଓ ଗେହଲଟ୍ଙ୍କ ତୁ ତୁ ମେଁ ମେଁ ପାଇଁ ପରାଜୟର ସ୍ଵାଦ ଚାଖିଲା କଂଗ୍ରେସ । ଆଉ ସଠିକ୍ ଗୋଟି ଚଳାଇବାରୁ ପୁଣି ଥରେ ଶାସନ କ୍ଷମତାକୁ ଫେରିଲା ବିଜେପି । ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ୍ । ତେବେ କେଉଁ କେଉଁ ଫ୍ୟାକ୍ଟର ବିଜେପି ଜିତିବାରେ ସହାୟକ ହେଲା ତାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ । କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଜେପିର ବୃହତ ବିଜୟ ପରେ ପଦ୍ମ ଶିବିରରେ ଦେଖାଯାଇଛି ଅଭୂତପୂର୍ବ ଖୁସି । ଗୀତ ବାଜିଥିଲା, ବାଜା ବାଜିଥିଲା...ପ୍ରବଳ ନାଚିଥିଲେ ନେତା ଓ କର୍ମୀ । ହେଲେ ସମସ୍ତଙ୍କର ଏବେ ଗୋଟିଏ କଥା କେମିତି ଜିତିଲା ବିଜେପି ?
୦୧. କାମ କଲା ମୋଦିଙ୍କ ଲୋକପ୍ରିୟତା
୦୨. କଂଗ୍ରେସ କଳି, ବଳି ପଡିଲା ମୁଖ୍ୟମନ୍ତ୍ରୀ ଚୌକି
୦୩. ପ୍ରତିଥର ସରକାର ବଦଳାଇବାର ପରମ୍ପରା
୦୪. ଦୁର୍ନୀତିରେ ବୁଡିଥିଲା କଂଗ୍ରେସ !
ଏହିସବୁ କାରଣ ଲାଗି ରାଜସ୍ଥାନରେ ବିଜେପିର ବାଜିମାତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜ ପରାଜୟକୁ ସ୍ଵୀକାର କରିଛି କଂଗ୍ରେସ । ସେପଟେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ବି ଚର୍ଚ୍ଚା ଜୋର । ହେଲେ ଜାତୀୟ ଗଣମାଧ୍ୟମରେ ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର । ତେବେ ସମୟ କହିବ ରାଜସ୍ଥାନରେ କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ।