ମାଆଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର 7 ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ। ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ। ମୂର୍ତ୍ତି ହସ୍ତାନ୍ତରେ ବେଳେ ଏଏସଆଇ ଅଧିକାରୀଙ୍କ ସହ ଦର୍ପଣଗଡ ଲୋକେ ବି ଉପସ୍ଥିତ ଥିଲେ।
ହଂକଂକୁ ଚୋରା ଚାଲାଣ ହେଉଥିବା ବେଳେ 2022ରେ ନୂଆ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ ବିଭାଗ ଏହି ମୂର୍ତ୍ତିକୁ ଉଦ୍ଧାର କରିଥିଲା। ଏହା ଜାଣିବା ପରେ ମୂର୍ତ୍ତିଟି ଓଡ଼ିଶା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ କଷ୍ଟମ ବିଭାଗକୁ ପ୍ରଟୋକୋଲ ଅନୁସାରେ ଓଡ଼ିଶା ପୋଲିସକୁ ମୂର୍ତ୍ତି ଫେରାଇବା ଲାଗି ସୁପାରିଶ କରାଯାଇଥିବା ପ୍ରତ୍ୟୁତ୍ତରରେ ଧର୍ମେନ୍ଦ୍ରଙ୍କୁ ଜଣାଇଥିଲେ। ମୂର୍ତ୍ତି ଫେରିବା ପରେ ଦର୍ପଣଗଡ଼ ବାସୀଙ୍କ ଶରୀରକୁ ପୁଣି ପ୍ରାଣ ଫେରି ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ। ଏବେ ଗ୍ରାମବାସୀ ଚାତକ ପରି ଅନାଇ ରହିଛନ୍ତି ସେହି ବହୁ ପ୍ରତିକ୍ଷିତ ମୂହୁର୍ତ୍ତକୁ ଯେଉଁ ଦିନ ମା କୋଟ୍ରାକ୍ଷୀଙ୍କୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ।
ଅଧିକ ପଢ଼ନ୍ତୁ ଦେଶ ଖବର: