ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରନ୍ତି ପୋଡ ପିଠା । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ ହୋଇଥାଏ । ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ପ୍ରଥମେ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ । ହାଣ୍ଡି ଉପରେ ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ । ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ । ଏହାପରେ ତାହାକୁ ଥଣ୍ଡା କରାଯାଏ । ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧ ଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା' ମନ୍ଦିର ନିକଟରେ ରଥ ଅଟକିବା ସମୟରେ ପୋଡ ପିଠା ଭୋଗ କରାଯାଇଥାଏ ।
ମା'ଙ୍କ ପୂଜକ ତଥା ପୋଡ ପିଠା ପ୍ରସ୍ତୁତରେ ନିୟୋଜିତଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ । ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ବତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ । ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ପିଠା ଖିଆ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନେ ଅତି ଆନନ୍ଦର ସହ ଅପେକ୍ଷାରେ ରହିଥାନ୍ତି ।
ମାଉସୀ ମା'ର ସ୍ନେହର ଡୋରି, ବାତ୍ସଲ୍ୟ ମମତା ଆଉ କାଳିଆ ଦିଅଁର ମାଉସୀ ମା' ହାତ ପୋଡ ପିଠା ପାଇଁ ଆସକ୍ତି, ଅନୁରାଗ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହିଁ ଜଗନ୍ନାଥ ସଂସ୍କୃତି ଆଉ ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଅପୂର୍ବ ନିଦର୍ଶନ।
ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ସିଂହଦ୍ୱାର ନିକଟରେ ପହଂଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ ରୁହନ୍ତି । ବିମାନବଡୁମାନେ ଲକ୍ଷ୍ମୀଙ୍କୁ ଆଣି ସିଂହଦ୍ୱାର ଚାହାଁଣି ମଣ୍ଡପରେ ରହି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଡକୁ ମୁହଁ କରାଇଥାନ୍ତି । ଗଜପତି ମହାରାଜା ଲକ୍ଷ୍ମୀ-ନାରାୟଣ ଭେଟ କରାନ୍ତି । ପରେ ନନ୍ଦିଘୋଷ ରଥ ପୁଣି ଗଡ଼ିବା ଆରମ୍ଭ କରେ ଏବଂ ସିଂହଦ୍ୱାର ନିକଟକୁ ଆସିଥାଏ I