ମଂଚ ବନ୍ଧା ସରିଥିଲା, ନାଚଗୀତର ବି ଆସର ଜମିଥିଲା । କିନ୍ତୁ ଖବର ପହଞ୍ଚିଥିଲା ଏହି କାର୍ଯ୍ୟକ୍ରମରେ ନେତା ଯୋଗ ଦେଉନାହାନ୍ତି । ବାସ୍ ଏହାପରେ ଉପସ୍ଥିତ କୁଜି ନେତା ଓ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର କେଇ ମୁହୂର୍ତ୍ତରେ ଅସମ୍ଭାଳ ହୋଇଥିଲା । ଆଉ ଏଥିରେ ଯୋଗ ଦେଇଥିବା ଜଣେ ମହିଳା ହଠାତ୍ ଅଣନିଶ୍ଵାସୀ ହୋଇପଡିଥିଲେ । ଅବଶ୍ୟ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କଟକ ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ " ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ପ୍ରବଳ ଭିଡ ବି ଜମିଥିଲା । କିନ୍ତୁ ଠିକଣା ସମୟରେ ନେତା ଆସିଲେନି । ଓଲଟି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ନେତା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ସେହି ନେତା ହିଁ ସଭାକୁ ଆସିଲେ ନାହିଁ । କୁହାଯାଉଛି କି ଦଳୀୟ କନ୍ଦଳ ଏତେ ଅଧିକ ଥିଲା ଯେ ସଭାରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଳା । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାରୀ ସଭା ହୋଇଥିବାରୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନେତାଙ୍କ ଗଣ୍ଡଗୋଳ ଯୋଗୁଁ ସେ ପ୍ରାଣ ହରାଇଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ।
(ମାହାଙ୍ଗାରୁ ଅସୀତ ସାମଲଙ୍କ ରିପୋର୍ଟ)