Videos
|
Odisha

ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ଭକ୍ତ

Smruti Parija
Browse all articles by Smruti Parija
·2 years ago·2 min read
ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ଭକ୍ତ

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ରାତିସାରା ଜଗନ୍ନାଥ ଦର୍ଶନ ସହ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ଦେଖିଲେ ଶ୍ରୀଜୀଉଙ୍କ ସୁନାବେଶ । ସେପଟେ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଦେଇ କାର୍ତ୍ତିକ ବ୍ରତ ଉଦ୍ଜାପନ କଲେ ହବିଷ୍ୟାଳି । ମହୋଦଧିରେ ସକାଳୁ ସକାଳୁ ବୁଡ଼ ଦେଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଆ କା ମା ଵୈ ଶବ୍ଦରେ କମ୍ପିଲା ପୁରପଲ୍ଲୀ । ୫୦ରୁ ଉର୍ଦ୍ଧ୍ଵ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଜଗିଲେ ଶ୍ରୀକ୍ଷେତ୍ର ।

ଆଜିର ଦିନରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ବୁଡ଼ ଦେବା ସହ ଡଙ୍ଗା ଭସେଇଥିଲେ ଶ୍ରଦ୍ଧାଳୁ । କିଏ ପାରମ୍ପରିକ କଦଳୀ ପଟୁକାରେ ତ ପୁଣି କିଏ ସୋଲରେ ତିଆରି ସୁନ୍ଦର ଡଙ୍ଗାରେ ବରକୋଳି ପତ୍ର,ଫୁଲ,ଚନ୍ଦନ ବଳିତା,ରେଜା ଟଙ୍କା,ପାନ ଗୁଆ ରଖି ମେଲାଣି ଦେଇଥିଲେ । ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଉତ୍କଳୀୟ ପରମ୍ପରାର ଏହି ମହାପର୍ବରେ ସାମିଲ ହୋଇଥିଲେ । ପୁରୀ ବେଳାଭୂମି ସମେତ ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗା ଦେଇ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି କହିଥିଲେ ସମ୍ବିତ। 

ସେପଟେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜୀଉ। ଗତକାଲି ପହୁଡ଼ ନୀତି ହୋଇନଥିବା ବେଳେ ରାତିତମାମ ଜଗନ୍ନାଥ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ସକାଳେ ଭୋର ୫ଟାରେ ମଙ୍ଗଳ ଆଳତୀ,୫ ଟା ୫ ରେ ମଇଲମ ଓ ପରେ ୬ଟାରେ ଅବକାଶ ପୂଜା ନୀତି ପରେ ସୁବର୍ଣ୍ଣ ବେଶ ହୋଇଥିଲେ ଶ୍ରୀଜୀଉ । ଶଙ୍ଖ ଚକ୍ର ହଳ ମୁଷଳ ସହ ଆଡକାନି, ଚନ୍ଦ୍ରିକା, ହରିଡା ମାଳି, ଅଁଳା ମାଳି ଇତ୍ୟାଦି ଅନେକ ଦୁର୍ମୂଲ୍ୟ ସୁନା ଅଳଙ୍କାରରେ ଝଟକିଥିଲେ ଦାରୁ ବିଗ୍ରହ । ଯାହାଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଜନ । 

ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ଵ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଥିଲେ । ଭିଡ଼ କମାଇବା ପାଇଁ ହ୍ୟୁମାନ ଚେନର ସାହାରା ନେଇଥିଲା ପୁରୀ ପୋଲିସ। ହାତକୁ ହାତ ଛନ୍ଦି ଚେନ କରି  ଆଗେ ଆଗେ ଯାଇଥିଲେ ପୋଲିସ । ପଛକୁ ପଛ ଯାଇଥିଲେ ଭକ୍ତ। ଭକ୍ତଙ୍କ ଯନ୍ତ୍ରଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ପୋଲିସ ସାମାନ୍ୟ ଚେତିଲା ଭଳି ମନେ ହୋଇଥିଲା । ସେପଟେ ବାହାର ଭିଡ଼ ନିୟନ୍ତ୍ରିତ ହୋଇଥିବା ବେଳେ ଭିତରେ ଭିଡ଼ କିନ୍ତୁ ତଥାପି ରହିଥିଲା । ହେଲେ ଦର୍ଶନ ପରେ ଭାବବିହ୍ଵଳ ହୋଇଥିଲେ ଶ୍ରଦ୍ଧାଳୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
lord-jagannath-suna-besa-held-at-puri-temple | Argus News