ନୂଆ ଆଇନରେ ମହିଳା ଓ ଶିଶୁ ବିରୋଧୀ ହିଂସା ବିରୋଧରେ କଡ଼ା ଦଣ୍ଡର ବ୍ୟବସ୍ଥା କରାଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ । ସେହିପରି ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ଜନିତ ହତ୍ୟାକୁ ବଡ଼ ଅପରାଧ ଭାବେ ବିବେଚନା କରାଯାଇ ଏଥିରେ ବି ଦୋଷୀଙ୍କୁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି । ୫ ଏବଂ ତା ଠୁ ଅଧିକ ଲୋକ ଏକାଠି ହୋଇଛି ଜାତି, ସମୁଦାୟ ଓ ଭାଷା ଭଳି ଆଧାରରେ କୌଣସି ହତ୍ୟାକାଣ୍ଡ ଭିଆଇଲେ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ବ୍ୟବସ୍ଥା କରାଯାଇଛି । ମହିଳାଙ୍କୁ ଗଣଦୁଷ୍କର୍ମଜନିତ ଯେକୌଣସି ମାମଲାରେ ୨୦ ବର୍ଷ ଯାଏଁ ଜେଲ୍ ସହ ଆଜାବୀନ କାରାଦଣ୍ଡାଦେଶର ବ୍ୟବସ୍ଥା ହୋଇଛି । ଏପିରିକି ୧୮ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀଙ୍କୁ ବି ମୃତ୍ୟୁଦଣ୍ଡ ଦିଆଯିବ । ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ସହ ସଂଜ୍ଞା ବି ବଦଳିଛି । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତା କ୍ଷୁର୍ଣ୍ଣ ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଯାହାକୁ ସବୁଠି ସ୍ବାଗତ କରାଯାଇଛି ।
ହତ୍ୟାକାରୀଙ୍କ ପାଇଁ ଆଇପିସିର ଧାରା ୩୦୨ ବଦଳରେ ଏଥର ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩/୧ ଆଧାରରେ ମାମଲା ରୁଜୁ ହେବ । ସେହପିରି ହତ୍ୟା ଉଦ୍ୟମ ପାଇଁ ଆଇପିସିର ଧାରା ୩୦୭ ପରିବର୍ତ୍ତେ ବିଏନଏସର ଧାରା ୧୦୯ ଲାଗୁ ହେବ । ନୂଆ ଫୌଜଦାରୀ ଆଇନରେ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା କ୍ରମେ ଏଣିକି ୯୦ ଦିନ ମଧ୍ୟରେ ପୋଲିସ କୌଣସି ଅପରାଧିକ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବାଧ୍ୟ । ଯଦି କୋର୍ଟ ଚାହିଁବେ ଏଥିପାଇଁ ଅଧିକ ୯୦ ଦିନ ଦେଇପାରିବେ । ସେହିପରି ଚାର୍ଜସିଟ୍ ଦାଖଲର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ ଓ ଶୁଣାଣି ଶେଷ କରି ସର୍ବାଧିକ ୩୦ ଦିନ ମଧ୍ୟରେ ରାୟ ଶୁଣାଇବେ କୋର୍ଟ । ଅର୍ଥାତ୍ ମାମଲା ଆରମ୍ଭ ହେବାର ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ । ଫଳରେ ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ଦିଆଯାଇପାରିବ । ଏଥିପାଇଁ ରାଜ୍ୟ ପୋଲିସ ମଧ୍ୟ ଫୁଲ୍ ଆକ୍ଟିଭ୍ ।
୨୦୧୯ ମସିହା ଅଗଷ୍ଟ ମାସରୁ ମୋଦି ସରକାର ବ୍ରିଟିଶ ଆଇନରେ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ମୋଦି ସରକାର । ଯେଉଁଥିରେ ସୁପ୍ରିମକୋର୍ଟ, ହାଇକୋର୍ଟର ବିଚାରପତି, ଲ ୟୁନିଭରସିଟିର ମତାମତ ବି ଲୋଡ଼ା ଯାଇଥିଲା । ୨୦୨୩ରେ ଏହା ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମୋହର କ୍ରମେ ଆଇନରେ ପରିଣତ ହୋଇଥିଲା ।