ନିର୍ବାଚନ ପରିଚାଳନାକୁ ନେଇ ବିଜେଡି ନେତା ପୂର୍ବରୁ ବେଶ ଗର୍ବ କରୁଥିଲେ । ଆତ୍ମଗର୍ବ ଏତେ ବଢିଥିଲା ଯେ ସେମାନେ ପୁଣି ଥରେ ଷଷ୍ଠଥର କ୍ଷମତାକୁ ଫେରିବେ ବୋଲି ଆଶା କରିଥିଲେ । କିନ୍ତୁ ନିର୍ବାଚନ ପରିଚାଳନାରେ ଏମିତି ସାଙ୍ଘାତିକ ତ୍ରୁଟି ରହିଲା ଯେ ସିଧା ଶାସକ ଦଳରୁ ବିରୋଧୀ ଦଳରେ ଯାଇ ବସିଲା । ସେଇଥି ଲାଗି ତ ଗତକାଲି ଶଙ୍ଖ ଭବନରେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିଥିଲେ ସଭାପତି ନବୀନ । ଆଉ ଏହି ସମୟରେ ବିଜେଡି ହାରିବାର ତିନି କରାଣ ଦର୍ଶାଇଥିଲେ ପ୍ରଦୀପ ମାଝୀ । କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦଳରେ ତୀବ୍ର ଅନ୍ତଃକନ୍ଦଳ ଓ ଶୂନ୍ୟ ନିର୍ବାଚନ ପରିଚାଳନା ଲାଗି ଦଳ ପରାଜିତ ହେଲା । ହେଲେ, ପ୍ରଶ୍ନ ନବୀନଙ୍କ ନିର୍ବାଚନ ପରିଚାଳନାରେ କେମିତି ଭୁଲ୍ ହେଲା ? ଯେଉଁ ଆଗଧାଡ଼ିର ନେତାଙ୍କୁ ଦାୟିତ୍ୱ ଦେଇ ନିର୍ଦ୍ୱନ୍ଦ୍ୱରେ ବସିଥିଲେ ନବୀନ ସେମାନେ କଣ ବିଶ୍ୱାସଭାଜନ ହୋଇପାରିଲେନି କି ? କିଛି ଏମିତି ପ୍ରଶ୍ନ ଏବେ ବିଜେଡି ଶିବିରରେ ଉଙ୍କି ମାରୁଛି ।
ପୂର୍ବରୁ ନବୀନ ସାଧାରଣତଃ ନେତାଙ୍କ ସହ ମିଶୁନଥିଲେ କି ଆଲୋଚନା ବି କରୁନଥିଲେ । ଯାହା ବୁଝୁଥିଲେ ତଥାକଥିତ କ୍ଷମତାକେନ୍ଦ୍ର ସାଜିଥିବା ପାଣ୍ଡିଆନ । ହେଲେ ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ । ତେବେ ପ୍ରଦୀପଙ୍କ ନିଆଁ ଲିଭି ନଥିବା ବେଳେ ସେଥିରେ ଘିଅ ଢାଳିଛନ୍ତି ଘଷିପୁରା ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରି ପାତ୍ର । ସେ କହିଛନ୍ତି ନବୀନ ବାବୁ ନିର୍ବାଚନ ବେଳେ ପ୍ରଚାର ପାଇଁ ସମୟ ଦେଲେନି, ଯେଉଁଥି ପାଇଁ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ବୁଲିଥିଲେ ଏପରି ହୋଇନଥାନ୍ତା । ଏପଟେ କନ୍ଦଳକୁ ଘଂଟ ଘଉଡାଇଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି ଓ ରମେଶ ମାଝୀ । କହିଛନ୍ତି, ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାରଣ ଥିଲା । ଯଦି ନିର୍ବାଚନ ପରିଚାଳନା ଠିକ୍ରେ ହୋଇନି ତାହାଲେ ଶାସକ ଦଳଠୁ ଆମେ ଅଧିକ ଭୋଟ୍ ପାଇଲୁ କେମିତି ?
ମୋଟ୍ ଉପରେ, ବିଜେଡି ହାରିବା ପରେ ଏବେ ନେତା ଓ କର୍ମୀ କାହାର ବି ଦଳ ଉପରେ ବିଶ୍ଵାସ ରହୁନି । ସେଇଥି ଲାଗି ତ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଯଦି ଏମିତି ସ୍ଥିତି ଲାଗିରହେ ତାହାଲେ ଆଗାମୀ ଦିନରେ ଦଳ ଆହୁରି କ୍ଷତି ସହିବା ସହିତ ନେତା ଆହୁରି ଦଳ ଛାଡିପାରନ୍ତି । ତେବେ ସମୟ କହିବ ଆଗାମୀ ଦିନରେ ନବୀନ କି ନିଷ୍ପତ୍ତି ନେଉଛନ୍ତି ।